କେଦାରପୁରରେ ବିଶ୍ଵ ପରିବେଶ ଦିବସ ପାଳନ : ବୃକ୍ଷରୋପଣ ଓ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ଵ କାର୍ଯ୍ୟକ୍ରମ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପଞ୍ଚାୟତର କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହିତ ମିଶନ ଶକ୍ତି କୋଭିଡ-୧୯ ସ୍ୱୟଂସିଦ୍ଧା ଗୋଷ୍ଠୀମାନଙ୍କୁ କରୋନା ସଚେତନତା ଉପରେ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପିନାଥ ପଟ୍ଟନାୟକ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ବ୍ଲକ ଉପଧ୍ଯକ୍ଷା ପ୍ରତିନିଧି ଶ୍ରୀ ଏମ.ନିରଞ୍ଜନ ରେଡ୍ଡି ଯୋଗ ଦେଇଥିଲେ । ସେହିପରି ଶିକ୍ଷକ ଏଲ୍. କୃଷ୍ଣମୁର୍ତ୍ତୀ ଦୋରା, ରାମଚନ୍ଦ୍ର ସେଠୀ, ପି.କୁନା ଦୋରା, ପ୍ରଭାକର ଘଡେଇ, ସୁଶାନ୍ତ ସାହୁ, ବିରଣୀ ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଆଜିର ଏହି ପବିତ୍ର ଦିବସରେ ଅତିଥି ବୃନ୍ଦ ଓ ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟ ପରିସରକୁ ସଫାସୁତୁରା ଓ ପରିବେଶକୁ ସବୁଜ ବନାନୀ କରିବା ନିମନ୍ତେ କିଛି ଗଛ ଲଗାଇ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଏଥିସହ ପୃଥିବୀର ତାପାୟନ, ପଲିଥିନ ମୁକ୍ତ, ପରିବେଶ ଓ ପରିମଳ ମୁକ୍ତ ଏବଂ ଚାରାରୋପଣ ଉପରେ ଆୟୋଜିତ ସଭାରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଲକଡାଉନ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଛି କିନ୍ତୁ ବିଦ୍ୟାଳୟ ଖୋଲାଯିବା ପରେ ପିଲାଟିଏ ଗଛଟିଏ ଯୋଜନାରେ ପ୍ରାୟ ଶହେଟି ବୃକ୍ଷ ଲଗାଇବା ପାଇଁ ସ୍ଥିର କରାଯାଇଥିଲା । ଶେଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ ଓ ପଞ୍ଚାୟତ ସ୍ତରରେ” ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ଵ” କାର୍ଯ୍ୟକ୍ରମ ଜରିଆରେ ‘ମିଶନ ଶକ୍ତି ଶାଖା ଓ ସ୍ୱାସ୍ଥ୍ୟ’ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଶନ ଶକ୍ତି କୋଭିଡ-୧୯ ସ୍ୱୟଂସିଦ୍ଧା ଗୋଷ୍ଠୀମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସମଗ୍ର ବିଶ୍ଵ ଏବେ ମହାମାରୀ କରୋନା ସଂକ୍ରମଣରେ ପିଡୀତ । ଯାହାଫଳରେ ସମସ୍ତ ଜନସାଧାରଣଙ୍କ ମନ ଭିତରେ କୋକୁଆ ଭୟ ଭଳି ପରିସ୍ଥିତି ସୃଷ୍ଟି ହୋଇପାରିଛି ଏଥରୁ ବାଦ ପଡ଼ିନାହାନ୍ତି ରାଜ୍ୟର ସମସ୍ତ ଜିଲ୍ଲାର ଜନସାଧାରଣ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଅଙ୍ଗନୱାଡ଼ି ଓ ଆଶାକର୍ମୀ ଓ ଡାକ୍ତରଙ୍କ ସମେତ ପ୍ରଶାସନ ଗ୍ରାମ ପରିକ୍ରମା କରି ନିଜ ଜୀବନକୁ ବାଜି ଲଗାଇ ଜଣେ କରୋନା ଯୋଦ୍ଧା ଭାବେ ଲୋକମାନଙ୍କ ପାଖରେ ପହଞ୍ଚି ସଚେତନ କରାଉଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କରୋନା ସଂକ୍ରମଣ ଭୂତାଣୁ ଠାରୁ ରକ୍ଷା ପାଇବା ଏବଂ ଦୂରେଇ ରହିବା ପାଇଁ ପ୍ରଥମେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଏବଂ କରୋନାକୁ ନ ଡରି ସାହାସର ସହ ଲଢେଇ କରିବା ପାଇଁ ଜନସାଧାରଣଙ୍କୁ ତାଲିମ ଦେବା ପାଇଁ ଆଲୋଚନା କରାଯାଇଥିଲା । ଏପରିକି ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ଥିବା ପ୍ରବାସୀମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ବ୍ୟବହାର, ବାରମ୍ବାର ହାତ ସଫା କରିବା, ପରିବେଶ ସଫାସୁତୁରା ରଖିବା ପାଇଁ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରାଇବା ପାଇଁ କହିଛନ୍ତି । ଏପରିକି ୧୦ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପ୍ରକାଶ କରିଛନ୍ତି । ଏହି ଆୟୋଜିତ ଶିବିରରେ ହାଇସ୍କୁଲ ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ କର୍ମୀ, ଆଶାକର୍ମୀ, ଏସଏସଜି ଗ୍ରୁପ, ସ୍ଵେଚ୍ଛାସେବୀ, ଏଏନଏମ, ସ୍ୱାସ୍ଥ୍ୟ କର୍ମୀ ଅଂଶ ଗ୍ରହଣ କରି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ : ଗୋପୀନାଥ ପଟ୍ଟନାୟକ