କୃଷକ ଆନ୍ଦୋଳନର ଐତିହାସିକ ବିଜୟ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଂଯୁକ୍ତ କୃଷକ ମୋର୍ଚ୍ଚା ଗଞ୍ଜାମ ପକ୍ଷରୁ ଗତକାଲି ବ୍ରହ୍ମପୁର ଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଏକ ଦୀର୍ଘ ମିଆଦୀ, ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ଐତିହାସିକ ମିଳିତ କୃଷକ ଆନ୍ଦୋଳନର ଅସାଧାରଣ ବିଜୟ l ଏକ ବର୍ଷ ଧରି ଲକ୍ଷ ଲକ୍ଷ କୃଷକମାନଙ୍କର ଅସୀମ ତ୍ୟାଗ, ସଙ୍ଘର୍ଷ ସହିତ ୭୧୫ କୃଷକଙ୍କ ମୃତ୍ୟୁ ବିନିମୟରେ ଏହି ବିଜୟ ହାସଲ ହୋଇଛି l କୃଷକ ଆନ୍ଦୋଳନର ଏହି ଅନମନୀୟ ପ୍ରତିବଦ୍ଧତା, ସାହସ ଏବଂ ସଂକଳ୍ପ ସାମନାରେ ଦେଶର ଏକଛତ୍ରବାଦୀ ଏବଂ ଜନ ବିରୋଧୀ ସରକାର ମୁଣ୍ଡ ନୁଆଁଇ କୃଷକମାନଙ୍କର ସମସ୍ତ ଦାବି ଗୁଡିକୁ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି l ଏହି ସଙ୍ଘର୍ଷ ଏବଂ ବିଜୟ ଭବିଷ୍ୟତରେ ଦେଶର ଗଣତାନ୍ତ୍ରିକ ଆନ୍ଦୋଳନକୁ ନିଶ୍ଚୟ ପ୍ରଭାବିତ କରିବ l ସ୍ୱାଧୀନ ଭାରତର ଇତିହାସରେ ଏହା ଏକ ପ୍ରେରଣାଦାୟୀ ଅଧ୍ୟାୟ l ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବିଜୟ ପାଇଁ ଦେଶର ସମସ୍ତ ପ୍ରତିବାଦକାରୀ କୃଷକ, କୃଷି ଶ୍ରମିକ ଓ ଆଦିବାସୀମାନଙ୍କୁ ଅଭିନନ୍ଦନ ଜଣାଇଛି l ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତର ଶ୍ରମିକ ଶ୍ରେଣୀକୁ ମଧ୍ୟ ଅଭିନନ୍ଦନ ଜଣାଇଛି, ଯେଉଁମାନେ କି ନିଷ୍ଠା ଏବଂ ଆନ୍ତରିକତାର ସହିତ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି l ଏହି ବିଜୟ ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ସମସ୍ତ ଗଣତାନ୍ତ୍ରିକ ଶକ୍ତି, ମହିଳା, ଯୁବ, ଛାତ୍ର, ଆଦିବାସୀ, ଦଳିତ ଇତ୍ୟାଦି ସକଳ ସ୍ତରର ସଂଗଠନ, ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ଜନବାଦୀ ସାମ୍ବାଦିକ, ସ୍ଥାନୀୟ ବାସିନ୍ଦା ମାନଙ୍କୁ ଶୁଭେଚ୍ଛା, କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛି l କୃଷକ ଆନ୍ଦୋଳନକୁ ବଦନାମ ଏବଂ ବମନ କରିବା ପାଇଁ ହୋଇଥିବା ସମସ୍ତ ପ୍ରତିବନ୍ଧକ ଏବଂ ଚକ୍ରାନ୍ତକୁ ପ୍ରତିହତ କରି ମୂଳ ଲକ୍ଷ୍ୟ ହାସଲ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବଭାରତୀୟ ନେତୃତ୍ୱ ନିଜ ଧୈର୍ଯ୍ୟ ଏବଂ ପରିପକ୍ଵତାର ପରିଚୟ ଦେଇଛନ୍ତି l କେନ୍ଦ୍ର ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଦେଇଥିବା ଚିଠିରେ ଉଲ୍ଲିଖିତ ସମସ୍ତ ଦାବି ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତୁରନ୍ତ ପୂରଣ କରିବେ ବୋଲି ଆଶା ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ସ୍ପଷ୍ଟ ଭାବେ କହିଛି ଯେ ଏଠାରେ ଆନ୍ଦୋଳନକୁ ସ୍ଥଗିତ ରଖୁଛୁ, ମାତ୍ର କୃଷକ ମାନଙ୍କର ଅଧିକାର ପାଇଁ ବିଶେଷ କରି ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପାଇଁ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ଦାବୀରେ ସଙ୍ଘର୍ଷ ଜାରି ରହିବ l ସଂଯୁକ୍ତ କୃଷକ ମୋର୍ଚ୍ଚା ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୟ ଉତ୍ସବରେ ଅଖିଳ ଭାରତ କୃଷକ ସଭାର ବରିଷ୍ଠ କୃଷକ ନେତା ରାଜୀବ ଲୋଚନ ପଣ୍ଡା, ଓଡିଶା କୃଷକ ସଭାର ପି. ହରେକୃଷ୍ଣ ରେଡ୍ଡୀ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, କ୍ରାନ୍ତିକାରୀ କୃଷକ ସଭାର ପି. ପାର୍ବତୀ, ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ବାଇଁ, ଚାଷି ମୂଲିଆ ସଂଘର ନିରାକାର ନାୟକ, ଏଆଇକେକେଏମ୍ ଏସ୍ ର ନାରାୟଣ ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା ଓ ଗଗନ ଚନ୍ଦ୍ର ମଲ୍ଲିକ, ଗଣତାନ୍ତ୍ରିକ ମହିଳା ସମିତିର ଜୟନ୍ତୀ ବାଳା ମିଶ୍ର, ଏଆଇଓ୍ବ।ଇ ଏଫ୍ ର କାମଦେବ ନାହକ, ଆଦିବାସୀ ନେତା ହାଡିଆ ମଣ୍ଡଳ, ମଧୂସୁଦନ, ଶିବରାମ, ଗୋପାଳ ପାଣିଗ୍ରାହୀ, ସୁଦର୍ଶନ ପାତ୍ର, ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସିପିଏମ୍ ର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ର ନିମାଇଁ ଚରଣ ସାହୁ ଆଦି ଉପସ୍ଥିତ ଥିଲେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଶଙ୍କର ସାହୁ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା