କୁଶପଡାରେ ଉଚ୍ଚ ଶିକ୍ଷା ଅପହଞ୍ଚ:୮ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକ ଚିନ୍ତାରେ…

ଦିଗପହଣ୍ଡି,(ସମୃଦ୍ଧ ଓଡିଶା)ଦିଗପହଣ୍ଡି ବ୍ଳକ ଅଧିନସ୍ଥ କୁଶପଡା ଗ୍ରାମରେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ ଉଚ୍ଚ ଶିକ୍ଷା ନେଇ ଅଭିଭାବକମାନଙ୍କୁ ଚିନ୍ତା ଘାରୁଥିବା ମତ ପ୍ରକାଶ ପାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଗାଁର ମେଧାବୀ ପିଲାମାନେ ବାହାର ଗ୍ରାମକୁ ଯାଇ ପାଠ ପଢୁଥିବା ଜାଣିବାକୁ ମିଳିଛି । ସାମାନ୍ୟତମ ଅସାବଧାନତାରୁ ରାଜରାସ୍ତାରେ ଦୈନିକ ଘଟଣା ଦୂର୍ଘଟଣା ମାନ ଘଟୁଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଘରୁ ଯାଉଥିବା ପିଲାମାନଙ୍କର ଲେଉଟାଣି ନହେବା ଯାଏଁ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ଘାରୁଛି ବୋଲି ଅଭିଯୋଗ ହୋଇଛି । ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ଖୋଲାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି । କୁଶପଡା ପଞ୍ଚାୟତର ସବୁଠାରୁ ବଡ ଏବଂ ଜନବହୁଳ ଗାଁ ହେଉଛି କୁଶପଡା । ସେଠାରେ ଦୀର୍ଘ ଦିନରୁ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିବାର ସୁବିଧା ସୁଯୋଗ ରହିଥିବା ବେଳେ ପରବର୍ତ୍ତୀ ସମୟରେ ସେଠାରେ ଅଷ୍ଟମ ଶ୍ରେଣୀ ଖୋଲାଯାଇଥିଲା । ପରେ ନବମ ଓ ଦଶମ ଶ୍ରେଣୀ ଖୋଲିବା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲେ ହେଁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରୁନାହିଁ । ପଞ୍ଚାୟତର କେଉଁଠି ହେଲେ ହାଇସ୍କୁଲ ନଥିବାରୁ ପତାଣ୍ଡ ଠାରେ ଏକ ହାଇସ୍କୁଲ ସ୍ଥାପନ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ କୁଶପଡା ଗ୍ରାମରେ ମଧ୍ୟ ଏକ ହାଇସ୍କୁଲ ଖୋଲିବା ପାଇଁ ଆବଶ୍ୟକତା ରହିଆସୁଥିଲେ ହେଁ ସେଥି ନେଇ କେହି ଗୁରୂତ୍ୱାରୋପ ଦେଉନଥିବା ସାଧାରଣରେ ପ୍ରକାଶ ପାଇଛି । ସମ୍ପ୍ରତ୍ତି କୁଶପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟ ଶ୍ରେଣୀ ଯାଏଁ ୨୯୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଚଳିତ ଶିକ୍ଷା ବର୍ଷରେ କେବଳ ଅଷ୍ଟମ ଶ୍ରେଣୀରେ ୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରତ୍ୟେକ ଶିକ୍ଷା ବର୍ଷରେ ୩୦ ରୁ ୪୦ ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେମାନେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ନବମ ଓ ଦଶମ ଶ୍ରେଣୀରେ ନାମ ଲେଖାଇ ପାଠ ପଢିବା ପାଇଁ ପତାଣ୍ଡ, ଗୋକର୍ଣ୍ଣପୁର କିମ୍ବା ଦିଗପହଣ୍ଡିରେ ଥିବା ହାଇସ୍କୁଲ ଉପରେ ନିର୍ଭର ହେଉଥିବା ଜଣାପଡିଛି । ଦୂର ଦୂରାନ୍ତକୁ ସ୍କୁଲ ଯିବା ଆସିବା କରିବା ସହିତ ଟ୍ୟୁସନ୍ ପାଇଁ ମଧ୍ୟ ଦୂରଦୂରାନ୍ତକୁ ଯାଉଥିବା ଜଣାପଡିଛି । ପ୍ରତ୍ୟେକ ଦିନ ପାଠ ପଢିବା ପାଇଁ ପିଲାମାନେ ସାଇକଲ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା ନତୁବା ଚାଲି ଚାଲି ଦୂରଦୂରାନ୍ତକୁ ଯାତାୟତ କରୁଥିବା ବେଳେ ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ସ୍ଥାପନ ନେଇ ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଲେ ଲୋକେ ଉପକୃତ ହୋଇପାରିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଶାଙ୍କ ଦୋରା, ସନ୍ତୋଷ ଦୋରା, ଏସ୍.ସୂର୍ଯ୍ୟନାରାୟଣ ପାତ୍ର, ରାଜେନ୍ଦ୍ର ଦୋରା, ସୁନୀଲ ଦୋରା ପ୍ରମୁଖ କହିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା