ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାଶ୍ୱର୍ ସେବା କେନ୍ଦ୍ର:ଚାରିପଟେ ପାଚେରୀ ନିର୍ମାଣ ଦାବି …

ଦିଗପହଣ୍ଡି,(ସମୃଦ୍ଧ ଓଡିଶା ) ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଛି ପଥ ପାଶ୍ୱର୍ ସେବା କେନ୍ଦ୍ର । ବିଶ୍ୱ ବ୍ୟାଙ୍କ ଅନୁମୋଦନରେ ହୋଇଥିବା ସମସ୍ତ ରାସ୍ତା ପ୍ରକଳ୍ପରେ ଗୋଟିଏ ଲେଖାଏଁ ପଥପାଶ୍ୱର୍ ସେବା କେନ୍ଦ୍ର ରହିଛି । ଦିଗପହଣ୍ଡିରେ ମଧ୍ୟ ଏକ ବସ୍ ଟର୍ମିନାଲ୍ ସଦୃଶ ପଥ ପାଶ୍ୱର୍ ସେବା କେନ୍ଦ୍ର ନିର୍ମାଣ କରାଯାଇଥିଲା । ସେଠାରେ ଯାତ୍ରୀ ବାହୀ ବସ୍ ଗୁଡିକ ରହିବା ସହିତ ଯାତ୍ରୀ ମାନଙ୍କ ପାଇଁ ଖାଇବା ପାଇଁ ରେସ୍ତୁରାଁ, ଉତ୍ତମ ପାନୀୟ ଜଳ ଯୋଗାଣ , ରହିବା ବନ୍ଦୋବସ୍ତ, ଉତ୍ତମ ବିଶ୍ରାମ ପାଇଁ ବ୍ୟବସ୍ଥା ଯୋଗାଇଦେବା ସହ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ଶିଶୁ ଉଦ୍ୟାନ ପାର୍କ ନିର୍ମାଣ କରାଯାଇଥିଲା । ୨୦୧୮ ଅଗଷ୍ଟ ମାସରେ ଏହାର ଶୁଭ ଉଦ୍ଘାଟନ କରାଯାଇଥିଲା । ତାହା ପର ଠାରୁ ତାହାର ପରବର୍ତ୍ତୀ ସୌନ୍ଦର୍ଯ୍ୟ କରଣ ଏବଂ ରକ୍ଷଣା ବେକ୍ଷଣ ପୂର୍ତ୍ତ ବିଭାଗ ପକ୍ଷରୁ ତଦାରଖ କରାଯାଇ ଆସୁଛି । ସେହିପରି ସହରରେ ହନୁମାନ ପାର୍କ ଗୋଟିଏ କେବଳ ମନୋରଞ୍ଜନ ଏବଂ ଆମୋଦ ପ୍ରମୋଦ ପାଇଁ ରହିଥିବା ବେଳେ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିଲା । ସମ୍ପ୍ରତ୍ତି ପଥପାଶ୍ୱର୍ ସେବା କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ସାରଞ୍ଜାମ ଆଦି କରାଯାଇଥିବାରୁ ସେଠାରେ ମୁକ୍ତାକାଶରେ ପବନ ଖାଇବା ସହ ବୁଲିବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଲୋକେ ମଧ୍ୟ ଦୀର୍ଘ ସମୟ ଧରି ସେଠାରେ ରହିବା ସହିତ ମନଲୋଭା ପରିବେଶର ଭରପୁର ମଜା ଉଠାଉଛନ୍ତି । ବିଶେଷ କରି ସେଲ୍ଫି କର୍ଣ୍ଣର୍ ଭାବେ ଦିଗପହଣ୍ଡିରେ ଏହା ପରିଚିତ ହୋଇଥିବା ଚର୍ଚ୍ଚା ହେଉଛି । ମନୋଲୋଭା ଏବଂ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ସନ୍ଧ୍ୟା ଏବଂ ପ୍ରାତଃ ସମୟରେ ଏଠାରେ ଫଟୋ ସୁଟ୍ କରିବା ପାଇଁ ପ୍ରାୟତଃ ଭିଡ ପରିଲକ୍ଷିତ ହେଉଛି । ବର୍ତ୍ତମାନ ଏହା ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ପାଲଟିଥିବାରୁ ସେଠାରେ ଉନ୍ନତ ମାନର ସେବା ଯୋଗାଇଦେବା ସହିତ ତାହାକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଥିବା ଜାଣିବାକୁ ମିଳିଛି । ସେଠାରେ ଭଳିକି ଭଳି ରଙ୍ଗ ବେରଙ୍ଗ କୋଟନ୍ନ ଗଛ ଏବଂ ବିଭିନ୍ନ ପ୍ରକାର ଔଷଧିୟ ଗୁଳ୍ମ ଆଦି ବୃକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ରହିଛି । ବୃକ୍ଷ ଲତାରେ ସାଜସଜ୍ଜା କରି ଉଦ୍ୟାନ ସଦୃଶ ପରିଣତ କରିବା ପାଇଁ ଲକ୍ଷ ରଖାଯାଇଥିବା ବେଳେ ସୋମବାର ଆଉ କିଛି ବୃକ୍ଷ ଲତା ଚାରା ରୋପଣ କରାଯାଇଥିଲା । ପୂର୍ତ୍ତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ, ଏବଂ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପୁହାଣ୍ ପ୍ରମୁଖ ପଥ ପାଶ୍ୱର୍ ସେବା କେନ୍ଦ୍ରରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ତେବେ ପଥ ପାଶ୍ୱର୍ ସେବା କେନ୍ଦ୍ରର ଚତୁଃ ପାଶ୍ୱର୍ ପାଚେରୀ ନଥିବାରୁ ବିଭିନ୍ନ ସମୟରେ ସମସ୍ୟା ଉପୁଜିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ବିଶେଷ କରି ସନ୍ଧ୍ୟା ସମୟରେ ଚଳପ୍ରଚଳ ହେବା ବେଳେ ଅନ୍ଧାର ଏବଂ ପାଚେରୀ ବିହୀନ ଯୋଗୁଁ ଭୟାଶଙ୍କା ରହୁଛି । ନିକଟରେ ପଥ ପାଶ୍ୱର୍ ସେବା କେନ୍ଦ୍ର ପାଚେରୀ ଡେଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ ଗୋଟିଏ କୃଷ୍ଣ ସାର ମୃଗର ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଥିଲା । ପାଚେରୀ ଥିଲେ ହୁଏତ ଏସବୁ ହୋଇନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନେଇ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ଚନ୍ଦନ ପଣ୍ଡା, ମିଲନ୍ ପାଣିଗ୍ରାହୀ, ଶଙ୍କର୍ଷଣ ରଥ, ମୁନା ବିଷୋୟୀ ପ୍ରମୁଖ ଦାବୀ କରିଛନ୍ତି ।

ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା