କୁକୁଡ଼ାଖଣ୍ଡି ତହସିଲଦାରଙ୍କ ବହିଷ୍କାର ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ବହିଷ୍କାର ଦାବିରେ ବ୍ଳକ ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତର ସମସ୍ତ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ବ୍ରହ୍ମପୁର ସବକଲେକ୍ଟର ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କୁକୁଡ଼ାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ରଙ୍କ ସମେତ ସଂପୃକ୍ତ ଅଞ୍ଚଳର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପକ୍ଷରୁ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସାଧାରଣ ଲୋକଙ୍କୁ ଏବଂ ଲୋକ ପ୍ରତିନିଧି ଅସଦାଚରଣ ସହ ଏହି ବ୍ଳକ ଅଞ୍ଚଳର କୈାଣସି ବିକାଶ କାର୍ଯ୍ୟ କରାଇ ନ ଦେବାକୁ କହି ଗତ ଅକ୍ଟୋବର ୧୪ ତାରିଖର ସମିତି ବୈଠକ ଅଧାରୁ ମନଇଚ୍ଛା ଉଠି ପଳେଇ ଯିବା ସହ ବାଲି ମାଫିଆଙ୍କ ଦ୍ଵାରା ଧମକ ଚମକ ଦିଆଯାଉଥିବା ସଂପର୍କରେ ଜଣାଇ ଦାବି ପତ୍ର ଦିଆଯିବାକୁ ସମୟ ମଗାଯାଇଥିଲା । ମାତ୍ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ପ୍ରତିନିଧିମାନେ ବହୁ ସମୟ ଅପେକ୍ଷା କରି ସାକ୍ଷାତ ନପାଇ ଆସିଷ୍ଟାଣ୍ଟ କଲେକ୍ଟର ପ୍ରଦୀପ କୁମାର ମହାରଣାଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ପଡ଼ିଥିଲା । ଏହିଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତକାରରେ ଉପସ୍ଥିତ ସଦସ୍ୟ ପ୍ରମୁଖ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରାନଗଲେ ଜନ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ସେ ପର୍ଯ୍ୟନ୍ତ ଏହି ବ୍ଳକ ଅଞ୍ଚଳର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବାକୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହିପରି ଦୁର୍ନୀତିଖୋର ଅଧିକାରୀମାନଙ୍କ ସରକାରୀ କାର୍ଯ୍ୟରେ ଅସହଯୋଗ ଏବଂ ମନମୂଖୀ କାର୍ଯ୍ୟକଳା ପରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିବାରୁ ଏହି ଅଞ୍ଚଳର ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ଆଜି ଠାରୁ ଏହି ବ୍ଳକ ଅଞ୍ଚଳର ସମସ୍ତ ମନରେଗା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଆବାସ ଯୋଜନା, ବିଜୁପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,କୃଷକ ସାଥିଯୋଜନା ସମେତ ବ୍ଳକ ମାଧ୍ୟମରେ କରାଯାଉଥିବା ସମସ୍ତ କାର୍ଯ୍ୟରେ ଏହି ଜନ ପ୍ରତିନିଧିଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରୀ ରଖାଯିବାକୁ ପ୍ରକାଶ କରିଛନ୍ତି । ଏହାକୁ ନେଇ ମଙ୍ଗଳବାର ଅପରାହ୍ନରେ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ସମସ୍ତ ପଞ୍ଚାୟତ ଜନ ପ୍ରତିନିଧିମାନେ ପହଞ୍ଚି ଘୋର ଉଦବେଗ ପ୍ରକାଶ ସହ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡାଯିବ ଏଥିସହ ରାଜ୍ୟପାଳ ଗଣେଶୀ ଲାଲ୍, ଲୋକାୟୁକ୍ତ, ରାଜ୍ୟ ମୂଖ୍ୟଶାସନ ସଚିବ, ରାଜ୍ୟ 5T ସଚିବ, ରାଜ୍ୟପଞ୍ଚାୟତ ବିଭାଗ ସଚିବ, ଗଞ୍ଜାମ ଜିଲ୍ଲାପାଳ ମହୋଦୟ ପ୍ରମୁଖଙ୍କ ଅବଗତି ସହ ତୁରନ୍ତ ତହସିଲଦାରଙ୍କ ବହିଷ୍କାର କରାଯିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଥିବା ଜନ ପ୍ରତିନିଧିଙ୍କ ଠାରୁ ମତ ପ୍ରକାଶ ପାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା