କାମସାରି ଫେରୁଥିବା ଦିନମଜୁରିଆଙ୍କ ଗାଡି ଓଲଟିଲା : ୧୫ ଆହତ, ୧୦ ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ରାଇବଣିଆ ଅଂଚଳର ଗରିବ ଲୋକମାନେ ଏବେ ବିଲରେ ରୁଆପୋତା ଲାଗି ପ୍ରତିଦିନ ପିକ୍‌ଅପ୍ କିମ୍ବା ଟେମ୍ପୋରେ ଜଳେଶ୍ୱର କିମ୍ବା ଭୋଗରାଇର ବିଭିନ୍ନ ଅଂଚଳରୁ ଯାଉଛନ୍ତି । ଆଜି ବୁଧବାର ୧୦ଟି ପିକ୍‌ଅପ୍ ଓ ୧୨ ଟେମ୍ପୋ ଯୋଗେ ଏହି ଦିନ ମଜୁରିଆମାନେ ରାଇବଣିଆ ଅଂଚଳରୁ ନାମ୍ପୋ, ଇକଡା, କମର୍ଦ୍ଦା, ବାରମାଇଲ, ସାହୁଛକ ଇତ୍ୟାଦିକୁ କାମପାଇଁ ଆସିଥିଲେ । ଅପରାହ୍ନରେ ଫେରିଲାବେଳେ ଓଡି୦୧ୱାଇ-୩୧୪୭ ଏକ ବୋଲେର ପିକ୍‌ଅପ୍‌ରେ ଟି ନାମ୍ପୋ ଫାଣ୍ଡି ଓ ଜଗନ୍ନାଥ ମନ୍ଦିର ମଧ୍ୟରେ ରାସ୍ତାଉପରେ ଓଲଟି ପଡିଥିଲା । ଡ୍ରାଇଭର ଜଣକ ଅତ୍ୟଧିକ ମଧ୍ୟପାନ କରି ବେପାରୁଆଭାବେ ଗାଡି ଚଳାଉଥଲା ବୋଲି ସେଥିରେ ଥିବା ଶ୍ରମିକମାନେ କହିଛନ୍ତି । ଏହି ଦୁର୍ଘଟଣା ଫଳରେ ଚନ୍ଦ୍ରିକା ବେହେରା (୪୫), ଭାରତି ବେହେରା(୨୮) ଚେତାଶୂନ୍ୟ ଥିବାରୁ ଗୁରୁତର ହୋଇ ଭଟ୍ଟର ଅସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ବେହେରା (୨୪), ସଂଧ୍ୟା ପ୍ରମାଣିକ (୬୨), ରିନା ବେହେରା (୪୦), ଲକ୍ଷ୍ମି ବେହେରା (୨୦), କବିତା ବେହେରା(୧୮), ସୁଜାତା ଜେନା (୪୫), ଦିସାରଣା (୨୫), ବାସୁ ହେମ୍ବ୍ରମ (୧୯), ଅତୁଲ ବେହେରା(୨୭) ଚିକିତ୍ସିତ ହେଉଛନ୍ତି । ବହୁ ଶ୍ରମକିଙ୍କର ମୁଣ୍ଡ ଫାଟିବା ଓ ହାଡ ଭାଂଗିବା ଫଳରେ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା