କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳିତ : ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଆହ୍ୱାନ

ଭବାନୀପାଟଣା(ସମୃଦ୍ଧ ଓଡିଶା)ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଭାରତ ସ୍ୱାଧିନତା ସଂଗ୍ରାମରେ କ୍ରାନ୍ତିକାରୀ ଭୂମିକାକୁ ସ୍ମରଣ କରିବା ନିମନ୍ତେ ୩୧ ତାରିଖରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଇଛି । ସ୍ଥାନୀୟ ଟାଉନ ହଲ ଠାରେ ପୂର୍ବାହ୍ନ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚଳିତ ଥର ୨ୟ କ୍ରାନ୍ତି ଦିବସ ପାଳନ କାର୍ଯ୍ୟକ୍ରମରେ ପୂଜ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଚାର ଏବଂ ଚିନ୍ତନ ଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ଜନତାଙ୍କୁ ଦେଶ ପାଇଁ ଦୈନିକ ଏକ ଘଂଟା ପ୍ରଦାନ କରିବା ସହିତ ଦିନକୁ ଦଶଟଙ୍କା ଦାନ କରିବାକୁ କହିଥିଲେ । ଡାକ୍ତର ରାଧାକୃଷ୍ଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବକମାନଙ୍କୁ ଦେଶମାତୃକାକୁ ବିକାଶ ପଥରେ ନେଇ ଯିବା ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଯୁବକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ଏଣୁ ଦେଶର ରୂପାନ୍ତରଣ ଓ ବିକାଶରେ ସେମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ଏହା ପରେ ପରିଷଦର ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡ୍ ନିଜ ବକ୍ତବ୍ୟରେ କ୍ରାନ୍ତି ଦିବସ ଏବଂ କ୍ରାନ୍ତି ଯାତ୍ରାର ମହତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସ୍ୱାଧୀନତା ପରବର୍ତୀ ସମୟରେ ଦେଶ ଅନେକ କ୍ଷେତ୍ରରେ ବହୁ ଆଗକୁ ବଢିଛି । ତଥାପି ଆମେ ଦାରିଦ୍ର‌୍ୟ, ରୋଗ, ଶୋକ, ଅସମାନତା, ଅଶିକ୍ଷା, କୁସଂସ୍କାର, ଲିଙ୍ଗଗତ ବୈଷମ୍ୟ, ପାତର ଅନ୍ତର ଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନାହୁଁ । ସରକାର ପରେ ସରକାର ବଦଳୁଛନ୍ତି । ନୀତି ପରେ ନୀତି ବଦଳୁଛି । ସବୁ ନୀତି ସାଧାରଣ ଜନତାଙ୍କ ମଙ୍ଗଳ, ବିକାଶ ନିମନ୍ତେ ଉଦ୍ଦିଷ୍ଟ ବୋଲି କୁହାଯାଉଛି । କିନ୍ତୁ ତାହାର ବାସ୍ତବ ରୂପାୟନ କେତେ ହେଉଛି ତାହା ଆଜି ବିଚାରର ବିଷୟ । ସମ୍ବିଧାନରେ ଉଲ୍ଲେଖ ଥିବା ଅଧିକାର ସାଧାରଣ ନାଗରିକଙ୍କୁ ମିଳୁଛି କି ? ଏହା ମଧ୍ୟ ବିତର୍କର ବିଷୟ ପାଲଟିଛି । ତେଣୁ ଏଭଳି ପରିସ୍ଥିତିରେ ଆମକୁ ଆମର ନ୍ୟାଯ୍ୟ ଅଧିକାର ହାସଲ ସହିତ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ କାର୍ଯ୍ୟ କରିବାକୁ ହେବ । ଆର୍ଥିକ, ସାମାଜିକ, ନୈତିକ ଆଦି ସବୁକ୍ଷେତ୍ରରେ ଆମକୁ କ୍ରାନ୍ତି ଆଣିବାକୁ ହେବ । ଏହା ହିଁ ଆଜିର ଏହି ଦିବସରେ ଆମ ପାଇଁ ପ୍ରତିଶୃତିବଦ୍ଧତାର ବିଷୟ ହେଉ । ଏହି ଅବସରରେ ବିଭିନ୍ନ ସମାଜ ମୁଖ୍ୟ ତଥା ୫୦ରୁ ଅଧିକ ଅନୁଷ୍ଠାନର ନେତୃତ୍ୱଙ୍କୁ “ନେତୃତ୍ୱ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ୩୦ଟି କଲେଜର ଯୁବ ନେତୃତ୍ୱଙ୍କୁ ମଧ୍ୟ “ଯୁବ ନେତୃତ୍ୱ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ମଂଚ ବିଭିନ୍ନ ବର୍ଗ ତଥା ସଂପ୍ରଦାୟ ଏବଂ ଅନୁଷ୍ଠାନକୁ ଏକତ୍ରିତ କରି ସମାଜକୁ ସମନ୍ଵୟ, ସମ୍ମିଳିତ ଏବଂ ଏକତ୍ରିତର ବାର୍ତା ଦେବା ସହିତ ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ ଜନସାଧାରଣଙ୍କୁ ପ୍ରୋତ୍ସାହନ ଦେଇଥିଲା । ସମାଜର ବିକାଶ ପାଇଁ ମଙ୍ଗ ଧରିଥିବା ନେତୃମଣ୍ଡଳୀଙ୍କ ମଧ୍ୟରୁ ଜଗନ୍ନାଥ ମୁଣ୍ଡ୍‌, ବୃଷଭ ରାଉତ, କେଶବ ମେହେର, ହୃଦାନନ୍ଦ ପଟେଲ, ସଂଯୁକ୍ତା ବେହେରା, ଶଙ୍କର ମେହେର, ପଦ୍ମ ମହାରଣା, ସୋନମ୍ ଜୈନ, ସ୍ୱରନ୍ ସିଂ, ଜୟନାରାୟଣ ବାବୁ, ଶାନ୍ତନୁ ମୁଣ୍ଡ୍‌, ଅଶୋକ ମୁଣ୍ଡ୍‌, ଡା.ଜଳନ୍ଧର ମେହେର, ଗଣେଶ ପ୍ରସାଦ ଅଗ୍ରୱାଲ, ଶାନ୍ତନୁ ବେହେରା, ତରୁଣ ମହାପାତ୍ର, ପ୍ରଦୀପ ଦି ମାଝୀ, ଜୟନ୍ତ ମୁଣ୍ଡ୍‌, ସ୍ନେହଲତା ଷଡଙ୍ଗୀ, ସୁଦେଷ୍ନା ପଣ୍ଡା, ଅଂଶୁମାନ ଜେନା, ଲୋଚନ ସାହୁ, ଅଶୋକ ସିଂହ, ସୂର୍ଯ୍ୟନାରାୟଣ ନନ୍ଦ, ପ୍ରଶାନ୍ତ ନାୟକ, ପ୍ରଶାଂତ ଠାକୁର, କାର୍ତିକ ପୁଞ୍ଜି, ଗଣେଷ କୁମାର, ପ୍ରଦୀପ ସାହୁ, ସରୋଜ ନନ୍ଦ, ନୃପରାଜ ସାହୁ, ଦୋଳଗୋବିନ୍ଦ ସାହୁ, ମଳୟ ମୁଣ୍ଡ୍‌, ଜଗନ୍ନାଥ ତ୍ରିପାଠୀ, ଧବଳେଶ୍ୱର ଠାକୁର, ଉମେଶ ଶତପଥି, ଶଶୀ ଭଉଣୀ, ଗୌର ପଣ୍ଡା, ତ୍ରିନାଥ ମୁଣ୍ଡ୍, ଚକ୍ରଧର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । 30 ଟି କଲେଜ ଛାତ୍ର ଛାତ୍ରୀଙ୍କୁ “ଯୁବ ନେତୃତ୍ୱ” ସମ୍ମାନ ପ୍ରଦାନ କରି ଆଗାମୀ ଦିନରେ ରାଷ୍ଟ୍ର ହିତ ପାଇଁ ନେତୃତ୍ୱ ନେବା ନିମନ୍ତେ ପ୍ରସ୍ତୁତ ହେବାକୁ ପ୍ରୋତ୍ସାହନ ଦିଆ ଯାଇଥିଲା। ଜଗନ୍ନାଥ ତ୍ରିପାଠୀ, ସୁରେନ୍ଦ୍ର ପଣ୍ଡା ଏବଂ ତାଙ୍କ ଟିମ୍ ସଙ୍ଗୀତ ପରିବେଷଣ କରିଥିଲେ । ବେଦପାଠ କରିଥିଲେ ସ୍ନେହଲତା ଷଡଙ୍ଗୀ । ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ମହାପାତ୍ର ଓ ବନଶ୍ରୀ ଦାଶ । ତୁଳସୀ ଆମ ସଂସ୍କୃତି, ଏଣୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ତଥା ସମ୍ବର୍ଦ୍ଧିତ ସମସ୍ତଙ୍କୁ ତୁଳସୀ ବୃକ୍ଷ ପ୍ରଦାନ କରାଯାଇଥିଲା। ଶେଷରେ “କ୍ରାନ୍ତି” ଶୋଭାଯାତ୍ରା ଟାଉନ ହଲରୁ ବାହାରି ନଗର ପରିକ୍ରମା କରି ରାଷ୍ଟ୍ରୀୟ ସ୍ଵୟମ ସେବକ ସଂଘ କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏଥିରେ ଭବାନୀପାଟଣା ଓ କଳାହାଣ୍ଡି ଜିଲ୍ଲାରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।

ରିପୋର୍ଟ : ରଜତ ମହାପାତ୍ର