କଳମା ପଞ୍ଚାୟତର ଦୁର୍ନିତୀ : ତଦନ୍ତ କଲେ ଜିଲା ପଞ୍ଚାୟତ ଅଧିକାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କଳମା ପଞ୍ଚାୟତରେ ୩୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ପରେ ୫ଟି ସଚିବଙ୍କ ହସ୍ତକ୍ଷେପ ଓ ଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ପୂର୍ବାହ୍ନରେ ଜିଲା ପଞ୍ଚାୟତ ଅଧିକାରୀ ରବିଚରଣ କହଁର ସଦଳବଳେ କଳମା ପଞ୍ଚାୟତ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କଳମା ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହୋଇଥିବାରୁ ଜନସାଧାରଣ ଅଧିକ ସଚେତନ ନୁହନ୍ତି । ୪ର୍ଥ ଏସ୍‌ଏଫସି ଓ ୧୪ତମ ସିଏଫସିର ୨ଟି ପାସ୍‌ବୁକ୍ ଦ୍ୱାରା ବାରମ୍ବାରା ୩୩୫୭୦୩୧ଟଙ୍କା ବିଭିନ୍ନ ସମୟରେ ବେନିୟମ ଭାବେ ଉଠାଯାଇଛି । ସରପଞ୍ଚଙ୍କ ସ୍ୱାମୀ ଓ ନିକଟ ପଞ୍ଚାୟତର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ନାମରେ ଉପରୋକ୍ତ ଅର୍ଥ ଉଠାଯାଇଥିବା ସଂପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଡିଓ, ଜିଲାପାଳ ଓ ୫ଟି ମୋ ସରକାରଙ୍କ ଠାରେ ଅଭିଯୋଗ ହୋଇଥିଲା । ପଞ୍ଚାୟତର କୁଚବଣିଆଠାରେ ଏକ ପିଇବା ପାଣି ପ୍ରକଳ୍ପ ନାମରେ ୧ଲକ୍ଷ ୯୬ ହାଜର ଟଙ୍କା କନିଷ୍ଠ ଯନ୍ତ୍ରୀ ଦିନେଶ ଅଢାଙ୍କା ନାମରେ ଉଠାଯାଇଥିବା ବେଳେ ଘଟଣାସ୍ଥାନରେ ପ୍ରକଳ୍ପ ଖନନ ହୋଇନଥିବା ସମ୍ବେଦନଶୀଳ ଘଟଣା ହୋଇଛି । ପ୍ରକାଶଯୋଗ୍ୟ ଏହି ପ୍ରକଳ୍ପ ରାତାରାତି ଏବେ ଖନନ ହେଉଥିବା ବେଳେ ଗ୍ରାମବାସୀମାନେ ବିରୋଧ କରିଥିଲେ । କାରଣ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତତ୍ପରା ହୋଇ ଘଟଣାର କେତେକ ଅଂଶ ବୁଲି ଦେଖିବା ପରେ ପଞ୍ଚାୟତର କେତେକ କର୍ମକର୍ତ୍ତା ସକ୍ରିୟ ହୋଇ ଉଠିଥିଲେ । ଆଜି ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ପଞ୍ଚାୟତ ଅଧିକାରୀ ରବିଚରଣ କହଁର, ଜିପିଓ ମାୟାଧାର ମଲ୍ଲିକ, ସତ୍ୟନାରାୟଣ ପଟ୍ଟନାୟକ, ପିଇଓ ବିକ୍ରମ କୁମାର ଜେନା, ରବିନ୍ଦ୍ର ସିଂ ପ୍ରମୁଖ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଛାନଭିନ୍ କରିଥିଲେ । ପଞ୍ଚାୟତର ଶ୍ରୀକାନ୍ତ ସିଂ, ରାଜୀବ ପାଢୀ, ଜୟଶଙ୍କର ଗିରି ପ୍ରମୁଖ ଗ୍ରାମବାସୀ ତଦନ୍ତ ବେଳେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା