କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ପୋଲିସ୍ ଅଫିସର ଓ ୪ ଗୃହରକ୍ଷୀ ସସ୍‌ପେଣ୍ଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ ନିକଟ ନାମ୍ପୋ ଫାଣ୍ଡିରେ କାର୍ଯ୍ୟରତ ୪ଜଣ ହୋମଗାର୍ଡ ଦିବା ରାତ୍ର ବିଭିନ୍ନ ଗାଡି ଏବଂ କେତେକ ମାଫିଆଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ନିଳମ୍ବିତ ହୋଇଥିବା ଜଣାଯାଇଛି । ନାମ୍ପୋ ଏଏସ୍‌ଆଇ ଉମାକାନ୍ତ ମହାପାତ୍ରଙ୍କ ଜ୍ଞାତସାରରେ ଗୃହରକ୍ଷୀ କରୁଣାକର ଜେନା, ପୂର୍ଣ୍ଣଚନ୍ଦ୍ର ଧଳ, ରତିକାନ୍ତ ଦଳାଇ, ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ରହିଥିବା ଅଭିଯୋଗ ହୋଇଥିଲା । ନାମ୍ପୋର ଜନୈକ ବ୍ୟକ୍ତି ବାଲେଶ୍ୱର ଜିଲା ପୋଲିସ୍ ଆରକ୍ଷୀ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । ଏହି ୪ଜଣ ଗୃହରକ୍ଷୀ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରୁ ଥିବାର ଅଡିଓ ଭଏସ୍‌ର ଏସ୍‌ପିଙ୍କ ନଜରକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ଜଳେଶ୍ୱର କୋର୍ଟରେ ଏସ୍‌ଆଇ ଭାବେ କାର୍ଯ୍ୟରତ ତପସ୍ୱିନୀ ମହାପାତ୍ର ଦୀର୍ଘଦିନ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ମଧ୍ୟ ବାଲେଶ୍ୱର ଏସ୍‌ପି ନିଳମ୍ବନ କରିଥିବା ଜଣାଯାଇଛି । ଏହି ଭଳି ଭାବରେ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜାଠାରେ କେତେକ ହୋମଗାର୍ଡ ସିଧାସଳଖ ଆନ୍ତରାଜ୍ୟ ବସ୍ ଓ ଟ୍ରକ ମାନଙ୍କରୁ ମୋଟା ଅଂକର ଅର୍ଥ ଆଦାୟ କରି ଆସୁଥିବା ବେଳେ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ଜଳେଶ୍ୱର କୋର୍ଟ ପରିସରରେ ଏକ ପୋଲିସ୍ ଫାଣ୍ଡି ଲାଗି ଦାବି ହୋଇ ଆସୁଥିଲେ ମଧ୍ୟ ଏଥିଲାଗି ଗୁରୁତ୍ୱ ଦିଆଯାଉନଥିବାରୁ ସେଠାରେ ଦାଦାବଟି ଓ ଅପରାଧିକରଣ ବୃଦ୍ଧି ପାଇବାରେ ଲାଗିଛି । ଆଜିର ଏହି ନିଳମ୍ବନ ପରେ ଜଳେଶ୍ୱର ପୋଲିସ୍ ବିଭାଗରେ ଛାନିଆ ପଶିଥିବା ଜଣାଯାଇଛି ।