କରୋନାର ଗମ୍ଭୀର ପରିସ୍ଥିତିରେ ଲକ୍‌ଡାଉନ୍ ଅବଧି ବୃଦ୍ଧିଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ କରୋନାର ଆତଙ୍କ ସମଗ୍ର ବିଶ୍ୱରେ କାୟାବିସ୍ତାର କରୁଥିବା ବେଳେ ଏବଂ ହଜାର ହଜାର ବ୍ୟକ୍ତିଙ୍କ ଘରବାହୁଡା ଯୋଗୁଁ ଏହାର ପ୍ରାଦୁର୍ଭାବ ବଢିବା ଆଶଙ୍କା ଥିବାରୁ ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିବାକୁ ଆଜି ଜଳେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପଠାଯାଇଛି । ଆଜି ସମାଜକଲ୍ୟାଣ ବିକାଶ ପରିଷଦର ସାମାଜିକ ଦୂରତା ରକ୍ଷା କରାଯାଇ ଏକ ଜରୁରୀ ବୈଠକ ଆହୁତ ହୋଇ ଉକ୍‌ଡାଉନ୍ ପରିସ୍ଥିତି ସଂପର୍କରେ ବିଶଦ ଆଲୋଚନା କରାଯାଇଥିଲା । ୪୫ଦିନ ପୂର୍ବେ ଲୋକେ ଲକ୍ ଡାଉନ୍ ସଂପର୍କରେ ଜାଣିନଥିବା ବେଳେ ସରକାର ଘୋଷଣା କରି ସମଗ୍ର ଦେଶ ଓ ରାଜ୍ୟବାସୀଙ୍କୁ ଅଜଣା ଆତଙ୍କରୁ ରକ୍ଷା କରିଛନ୍ତି । କିନ୍ତୁ ଏବେ ଜନସାଧାରଣ ଲକ୍‌ଡାଉନ୍‌ର ଆବଶ୍ୟକତା ସଂପର୍କରେ ଉଣାଅଧିକେ ଜାଣିସାରିଲେଣି । ଏବେ ଓଡିଶା ଓ ଭାରତରେ କରୋନାର ତୃତୀୟ ପର୍ଯ୍ୟାୟ ଶେଷ ହୋଇ ୪ର୍ଥ ପର୍ଯ୍ୟାୟକୁ ଯିବାକୁ ଲାଗିଛି । ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଏପରି ହୋଇଛି ଯେ ଯାହାକୁ ଆଗାମୀ ଦିନରେ ପରିଚାଳନା କରିବା କଷ୍ଟକର ହୋଇପାରେ । କ୍ୱାରାଣ୍ଟାଇନ୍‌, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସବୁଥିରେ ଲୋକ ଭିଡ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌କୁ ସରଳିକରଣ କରି ଅନ୍ୟୁନ ୨ ସପ୍ତାହ ବଡାଇବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ବହୁ ଯୁକ୍ତି ଦର୍ଶାଯାଇଛି । ପୁଣି ପ୍ରବାସୀ ଗାଁକୁ ଆସିଲେ ସେମାନଙ୍କ ସ୍ୱାବ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନ୍ ଓ ପଂଚାୟତ କ୍ୱାରାଣ୍ଟାନ୍ ରଖାଯିବାର ବ୍ୟବସ୍ଥା କରିବାକୁ ନିବେଦନ ପତ୍ରରେ ଦର୍ଶାଇଛନ୍ତି । ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାରେ ବ୍ୟାପକ କରୋନା ସଂକ୍ରମିତ ହୋଇଥିବା ବେଳେ ଉତ୍ତର ଉପାନ୍ତ ଓଡିଶାବାସୀ ଆତଙ୍କିତ ଥିବାରୁ ସେ ଅଂଚଳକୁ ଗମନା ଗମନ ଓ ସଂଗରୋଧ କରାଯିବାକୁ ନିବେଦନ କରାଯାଇଛି । ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନିର୍ଦ୍ଦେଶରେ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ ସଭାପତିତ୍ୱ କରିଥିଲା ବେଳେ ସଂପାଦକ ଏଡଭୋକେଟ ରାମଚନ୍ଦ୍ର ଜେନା ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ପରିଡା, ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ସୁକୁମାର ରଣା, ଆଦିତ୍ୟ ନାରାୟଣ ପାତ୍ର, ସତ୍ୟନାରାୟଣ ଦାସ, ରବିନ୍ଦ୍ର ନାଥ ପାତ୍ର, ରବିନାରାୟଣ ପାତ୍ର ଓ ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା