କଂଗ୍ରେସକୁ ବଞ୍ଚାଅ ମୁଁ କଂଗ୍ରେସରୁ ଜନ୍ମ : ଚିରଞ୍ଜୀଵୀ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କଂଗ୍ରେସକୁ ବଞ୍ଚାଅ ମୁଁ କଂଗ୍ରେସରୁ ଜନ୍ମ ବୋଲି କହିଛନ୍ତି ଚିରଞ୍ଜିବି I ଦୀର୍ଘ ୨୩ବର୍ଷ ହେଲା କଂଗ୍ରେସ ରାଜ୍ୟରେ କ୍ଷମତାରେ ନାହିଁ । ଯେଉଁ ଜିଲ୍ଲାରେ ବି କଂଗ୍ରେସ ସବଳ ରହିଛି ସେଠାରେ ସଂଗଠନକୁ ଦୁର୍ବଳ କରିବା ପାଇଁ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଚକ୍ରାନ୍ତ କରାଯାଉଛି । ସେମାନଙ୍କ ଚକ୍ରାନ୍ତରେ ମୋତେ ଦଳରୁ ନିଲମ୍ବନ କରାଯାଇଛି । ତେଣୁ କଂଗ୍ରେସକୁ ବଂଚାଇବା ପାଇଁ ଦଳର ନେତା, କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ଏକଜୁଟ ହୁଅନ୍ତୁ” । ଆଜି ଏଭଳି କିଛି ଅପିଲ୍ କରିଛନ୍ତି କଂଗ୍ରେସରୁୁ ନିଲମ୍ବିତ ପୂର୍ବତନ ବିଧାୟକ ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । ଏହାସହିତ ସେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ ନକରି ସମସ୍ତ ବିକଳ୍ପ ଖୋଲା ରହିଛି ବୋଲି ସଙ୍କେତ ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶରେ ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଗତ ୧୫ତାରିଖରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରିଥିଲେ । ଏହି ନିଲମ୍ବନ ନିଷ୍ପତ୍ତି ଉପରେ ଗତ ଦୁଇଦିନ ଧରି ନିରବ ଥିବା ଚିରଞ୍ଜୀବ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସେ ଭୟ କରୁନାହାନ୍ତି । ଏହା ତାଙ୍କ ସ୍ୱାଭିମାନକୁ ଆଘାତ ଦେଇଛି । କଂଗ୍ରେସର ସେ ଜଣେ ଶୃଙ୍ଖଳିତ କର୍ମୀ । ନିଲମ୍ବନ ଆଦେଶ ତାଙ୍କୁ ଦାରୁଣ ଆଘାତ ଦେଇଛି । କୁଚକ୍ରୀ ଗୋଷ୍ଠୀ ତାଙ୍କୁ ଓ ତାଙ୍କ ପରିବାରକୁ କଂଗ୍ରେସଠୁ ଦୂରେଇ ଦେବାକୁ ଚେଷ୍ଟା କରୁଛନ୍ତି । ତେବେ ସେ ଆଜି ବି କଂଗ୍ରେସରେ ଅଛନ୍ତି । ୧୯୮୦ ରୁ ୧୯୮୯ ମସିହା ବେଳେ କଂଗ୍ରେସ ପାଇଁ ରାଜ୍ୟରେ ସୁବର୍ଣ୍ଣ ଯୁଗ ଥିଲା । ସେ ସମୟରେ କଂଗ୍ରେସ କିଭଳି ଥିଲା ତାହା କର୍ମୀମାନଙ୍କୁ ଜାଣିବାର ଆବଶ୍ୟକତା ରହିଛି । ତୃଣମୂଳସ୍ତର କର୍ମୀଙ୍କ ମନୋବଳ ବୃଦ୍ଧି କରି ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲି । ସଂଗଠନର କିଭଳି ସୁଦୃଢ଼ ହେବ ସେ ନେଇ କହିବା କ’ଣ ଭୁଲ୍ । ତେଣୁ ସେଭଳି ସନ୍ଦେଶ ଦେବା ଯଦି ଭୁଲ୍ ବା ପାପ ତା’ହେଲେ ସେହି ପାପ ସେ ବାରମ୍ବାର କରିବାକୁ ଚାହିଁବେ । ୨୦୧୯ ସାଧାରଣ ନିର୍ବାଚନ ପରଠୁ ପ୍ରତ୍ୟେକ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଭୋଟ ହାର ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ବିଜେଡିର ପ୍ରଭାବ ଅଧିକ ଥିବାବେଳେ ସେ ୨୦୦୪ ଓ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ଜଗତସିିଂହପୁର ଜିଲ୍ଲାରେ ପ୍ରାୟ ୨ଲକ୍ଷ ଭୋଟ୍ ରହିଛି । କଟକ, କୋରାପୁଟ ଓ ଜଗତସିଂହପୁର ଭଳି ଜିଲ୍ଲାରେ କଂଗ୍ରେସର ସଂଗଠନର ସ୍ଥିତି ଭଲ ଥିବାବେଳେ ସେଠାରେ ସଂଗଠନକୁ ଦୁର୍ବଳ ଓ ଭାଗଭାଗ କରିବାକୁ କୁଚକ୍ରୀ ଗୋଷ୍ଠୀ ପ୍ରୟାସ କରୁଛି । କ’ଣ ପାଇଁ ଓ କାହା ଇସାରାରେ ହେଉଛି ତାହା ସେ କହିବାକୁ ଚାହୁଁନାହାନ୍ତି । କିନ୍ତୁ କଂଗ୍ରେସକୁ ବଂଚାଇବା ପାଇଁ ଦଳର ନେତା,କର୍ମୀ, ସମର୍ଥକ ଓ ଶୁଭେଚ୍ଛୁମାନେ ଏକଜୁଟ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।ଶ୍ରୀ ବିଶ୍ୱାଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ତେବେ ତାଙ୍କ ବିରୁଦ୍ଧରେ କିଛି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି । ନିଜ ଛାଇ ଦେଖି ଓ ଗୋଡ଼ତଳେ ମାଟି ନଥିବା ଲୋକ ହିଁ ତାଙ୍କ ବିରୁଦ୍ଧରେ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କୁ ଓ ତାଙ୍କ ପରିବାରକୁ ଦୂରେଇ ରଖି ଯଦି କଂଗ୍ରେସ ରାଜ୍ୟରେ ୯ରୁ ୯୦ ହୋଇପାରିବ ତା’ହେଲେ ତାକୁ ସ୍ୱାଗତ କରିବି । ସୁଯୋଗ ମିଳିଲେ ଏଆଇସିସି କର୍ତ୍ତୃପକ୍ଷଙ୍କ ଆଗରେ ନିଜର ପକ୍ଷ ରଖିବି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି ଶ୍ରୀ ବିଶ୍ୱାଳ ଦମ୍ଭୋକ୍ତି ବାଢ଼ିବା ସହ କେଉଁ ଦଳର ଟିକେଟରେ ଲଢ଼ିବେ ତାହା କହିନାହାନ୍ତି । ଆସନ୍ତାକାଲି କିଏ ଦେଖିଛି ବୋଲି କହି ଅନ୍ୟ ଦଳକୁ ଯିବା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ଚିରଞ୍ଜିବୀ କହିଛନ୍ତି । ହେଲେ ଜନ୍ମ ଯା’ର କଂଗ୍ରେସ, ସେ କଣ କଂଗ୍ରେସ ଛାଡ଼ିବେ ?