ଓଷ୍ଟାର ୩୮ ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଉଦଯାପିତ-ସଫଳତା ଜୀବନତମାମର ପ୍ରକ୍ରିୟା : ଅବକ୍ଷୟଷ୍ଣୁ ସମାଜରେ ସଇତାନୀ ପ୍ରବୃତ୍ତି ଦୂର ଅବସମ୍ଭାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ଅବକ୍ଷୟିଷ୍ଣୁ ଭାବ ଅଧିକାରୁ ଅଧିକ ହେଉଥିବା ବେଳେ ସଇତାନୀ ପ୍ରବୃତ୍ତି ମୁଣ୍ଡ ଟେକୁଛି । ସେଥିରେ ପ୍ରତିଭା, ପୂର୍ଣ୍ଣତାର ପରିପ୍ରକାଶ ସନ୍ଦେହ ସୃଷ୍ଟି କରେ । ଅନ୍ୟପକ୍ଷରେ ସଫଳତା ହେଉଛି, ଜୀବନ ତମାମର ପ୍ରକ୍ରିୟା, ପ୍ରତିଟି ମଣିଷ ୪ଟି ଗୁଣର ଅଧିକାରୀ ହେଲେ ଜଣେ ଭଲ ମଣିଷ ଓ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ଆଜି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ୩୮ତମ ଜିଲାସ୍ତରାୀୟ ଶିଶୁ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବର ଉଦଯାପନୀ ଉତ୍ସବରେ ମତପ୍ରକାଶ ପାଇଛି । ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ୨ ଦିନିଆ ଉତ୍ସବରେ ଓଷ୍ଟାର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ସମାଜରେ ସଠିକ୍ ରାସ୍ତାକୁ ଆସିବା ବରଂ ସହଜ କିନ୍ତୁ ଠିକ୍ ପଥରେ ଚାଲିବା ବହୁ କଷ୍ଟକର ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଆମେ ଶିଳ୍ପୀର ମୁଖ୍ୟ ତଥା ରେବତୀର ସମ୍ପାଦିକା ସୁବାସିନୀ ଜେନା ଯୋଗ ଦେଇ ଦୀର୍ଘଦିନର ସାଧନା ଦ୍ୱାରା ସଫଳତା ମିଳିଥାଏ । ଅତୀତରେ ଗାଲିଲିଓ, ରାଇଟ୍ ବ୍ରଦର୍ସ, ଥମାସ୍ ଏଡିସନ୍ ଆଲଭା, ଆବ୍ରାହିମ ଲିଙ୍କନ, ଆବୁଲ କାଲାମଙ୍କୁ ସ୍ମରଣ କରି ତାଙ୍କର ଜୀବନଚର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜୀବନରେ ସରଳତା, ନମ୍ରତା, କ୍ଷମାଶୀଳତା ଓ ସହନଶୀଳତା ଗୁଣ ରହିଲେ ସଫଳତା ମିଳିବା ସମ୍ଭବ ଓ ଜଣେ ଭଲ ମଣିଷ ହୋଇପାରିଥାଏ । ମୁଖ୍ୟବକ୍ତାଭାବେ ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଓ ଜାତୀୟ ସ୍ତରର ପୂର୍ବତନ ଉପସଭାପତି ଇନ୍ଦୁମାଧବ ମହାନ୍ତି ଓଷ୍ଟର ଶିଶୁ ଉତ୍ସବକୁ ସୁପ୍ତ ପ୍ରତିଭାର ଅନ୍ୱେଷଣ ବୋଲି ବର୍ଣ୍ଣନା କରି ସାମ୍ପ୍ରତିକ ସମାଜରେ ଅବକ୍ଷୟ ହୋଇ ଚାଲୁଥିବା ବେଳେ ପ୍ରତିଭା ଓ ପୂର୍ଣ୍ଣତା ପାଇବା ସନ୍ଦେହ ମନେହୁଏ ବୋଲି କହିଥିଲେ । ତେଣୁ ସଇତାନୀ ପ୍ରବୃତି ଦ୍ରୁତ ଗତିରେ ବଢିଚାଲିଥିବାରୁ ଅଭିଭାବକ, ଶିକ୍ଷକ, ବୁଦ୍ଧିଜିବୀ ସାମାଜିକ ପ୍ରତିବଦ୍ଧତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଡେଣାରର ସଂପାଦିକ ଓ ଅବଦୁଲ ଫାଉଣ୍ଡେସନର ମୁଖ୍ୟ ଡ. ପଂକଜ କୁମାର ଜେନା, ଓଷ୍ଟାର ଉପସଭାନେତ୍ରୀ ରେବତୀ ଜେନା, ବାଲେଶ୍ୱର ଜିଲା ପୂର୍ବତନ ସଭାପତି ଜିତେନ୍ଦ୍ର କୁମାର ବେହେରା ଓ କାର୍ଯ୍ୟକାରୀ ସଦସ୍ୟ ଜଗବଂଧୁ ପଣ୍ଡା ଯୋଗ ଦେଇ ସୃଙ୍ଖଳା, ସଂସ୍କୃତି ଓ ପରମ୍ପରା ପରିବାରୁ ହିଁ ସୃଷ୍ଟି ହୋଇଥାଏ । ବେଇମାନ ଭାଳି ବଡପାପ ଅର୍ଜନ କରିବାଠାରୁ ଜଣେ ସାଧୁ ମଣିଷ ହୋଇ ଜୀବନ ବିତାଇବା ଉଚିତ୍ ବୋଲି କହିଥିଲେ । ଗତ ୨ ଦିନ ତଳେ ଜଳେଶ୍ୱରଠାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସବ୍ୟସାଚୀ ବେହେରା ଓ ଉତ୍ସବ ଚାଲିଥିବା ବିଦ୍ୟାଳୟର ଶିକ୍ଷକ କାହ୍ନୁଚରଣ ଜେନାଙ୍କ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଜଳେଶ୍ୱର ବିଦ୍ୟାଳୟର ଏନ୍ସିସି ଛାତ୍ରଛାତ୍ରୀଙ୍କର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଜିଲା ସଂପାଦକ ମନୋରଂଜନ ଦାସ ଆସନ୍ତା ୨୭ ରୁ ୨୯ ତାରିଖ ହେବାକୁଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ କଟକର ସହୀଦ ଭବନଠାରେ ଅନୁଷ୍ଠିତ ହେଉଥିବାରୁ ବାଲେଶ୍ୱର ଜିଲାର ୧୦ଟି ବିଭାଗରେ ୩୦ଜଣ ଛାତ୍ରଛାତ୍ରୀମାନେ ନିର୍ଦ୍ଧିଷ୍ଟ ସମୟରେ ଉପସ୍ଥିତ ହେବାକେୁ ପରାମର୍ଶ ଦେଇଥିଲେ । ଶିକ୍ଷକ ସରୋଜ ପାଣିଗ୍ରାହୀ ବେଦପାଠ କରିଥିବା ବେଳେ ଡ. ଅଜିତ୍ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଇବଣିଆ ମଣ୍ଡଳର ସଂପାଦକ ବଂଶୀଧର ବାରିକ ଧନ୍ୟବାଦ ଦେଇଥିବା ବେଳେ ୩୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ରାଜେନ୍ଦୁ ବିକାଶ ପାତ୍ର ମଂଚ ଆହ୍ୱାନ କରିଥିଲେ । ଜିଲାର ୧୨ଟିି ବ୍ଲକରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଉତ୍ସବରେ ଭାଗ ନେଇଥିଲେ । ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଓଷ୍ଟାର ସଭ୍ୟମାନେ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା