ଓଡିଶା କ୍ଷେତ ମଜଦୁର ୟୁନିୟନର ବ୍ଳକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବାଣିଦାର ଅଜିତ୍ ଦାସଙ୍କ ବାସଭବନରେ କ୍ଷେତମଜଦୁର ୟୁନିୟନର ଜଳେଶ୍ୱର ବ୍ଳକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ କମିଟି ସଭାପତି ଦୀପ୍ତିମାନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଲ୍ଟୁ ଦାସ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିବାପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂପାଦକ ନିର୍ମଳ ନାୟକ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ସଂଗଠନ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ । ସଂପାଦକ ସେକ୍ ଅବଦୁଲ ସାଦ୍ଦିକ ୩ବର୍ଷର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ୧୬ଜଣ ପ୍ରତିନିଧି ରିପୋଟ ଉପରେ ଆଲୋକପାତ କରିଥିଲେ । ୟୁନିୟନର ବରିଷ୍ଠ ନେତା ରୁହ୍ୱା ଟୁଡୁ ଲାଲ ପତାକା ଉତ୍ତୋଳନ କରିଥିଲେ । ୧୫ଟି ପଂଚାୟତରୁ ଆସିଥିବା ପ୍ରତିନିଧିମାନେ ସହିଦ୍ ବେଦୀରେ ମାଲ୍ୟାର୍ପଣ କରିଥିଲେ । ସମ୍ମିଳନୀରେ ଗଠିତ ହୋଇଥିବା କମିଟିରେ ସଭାପତିଭାବେ ଦିପ୍ତିମାନ ଆଚାର୍ଯ୍ୟ, ସଂପାଦକ ସେକ୍ ଅବଦୁଲ ସାଦ୍ଦିକ, ଉପସଭାପତି ଦିଲ୍ଲିପ ପରିଡା, ସହସଂପାଦକ ନିରୋଜ ବେହେରା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ଜାନୁଆରୀ ୭ଓ୮ ତାରିଖରେ ଭଦ୍ରକଠାରେ ରାଜ୍ୟ ସମ୍ମିଳନୀ ୧୩ଜଣ ପ୍ରତିନିଧି ଯୋଗ ଦେବା ସଂପର୍କରେ ଆଲୋଚନା କରାଯାଇଥିଲା । ଉଦ୍‌ଯାପନୀ ସଭାରେ କୃଷକ ସଭାର ଜିଲା ନେତା ଦିଲ୍ଲିପ ଗିରି ଯୋଗ ଦେଇ କୃଷି ଶ୍ରମିକ ମାନଙ୍କୁ ବଂଚିବାକୁ ହେଲେ ଅଧିକାର ସାବ୍ୟସ୍ତ କରିବାକୁ ହେବ ବୋଲି କହିଥିଲେ । ଜବକାର୍ଡଧାରୀଙ୍କୁ ବର୍ଷକୁ ୨ଶହ ଦିନର କାମ, ଦୈନିକ ୬ଶହ ଟଙ୍କା ମଜୁରୀ, ଭୁମୀହୀନଙ୍କୁ ଘରଡିହ ପଟା, ବାସଗୃହ, ବାର୍ଦ୍ଧକ୍ୟଙ୍କୁ ୩ହଜାର ଟଙ୍କା, ରେସନ୍‌କାର୍ଡଧାରୀଙ୍କ ଠାରୁ ୧୦କ୍ୟୁଣ୍ଟାଲ ଧାନ କିଣିବା, ବିହନ, ସାର, କୀଟନାସକ ରିଆତି ମୂଲ୍ୟରେ ଯୋଗାଇବାକୁ ଆହ୍ୱାନ ଦେଇଥିଲେ । ଏଥିରେ କୃଷକ ନେତା ସିତାଂଶୁ ସେନାପତି, ଦିଲ୍ଲିପ ପରିଡା, ରବିନ୍ଦ୍ର ବାରିକ, ବିକର୍ତ୍ତନ କବି, ମହୁଆ ବସୁ, ଅମିସା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା