ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ଆଦେଶ ପରେ ସାଇନାଥ ବସ୍ତିବାସିନ୍ଦା ପାଇଲେ ପୁନଃ ବିଦ୍ୟୁତ ସଂଯୋଗ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ମାନବିକ ଅଧିକାର କମିଶନଙ୍କ ଆଦେଶ ପରେ ଆନ୍ଦୋଳନକାରୀ ସାଇନାଥ ବସ୍ତିବାସିନ୍ଦାଙ୍କ ଘରେ ଆଜି ପୁନଃ ବିଦ୍ୟୁତ ସଂଯୋଗ କରାଯାଇଛି । ଗତ ୩ ମାର୍ଚ୍ଚରୁ ବସ୍ତି ଉଚ୍ଛେଦ କରିବାକୁ ଆସି ଏହି ପରିବାର ମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ସାଇନାଥ ବସ୍ତିବାସିନ୍ଦାଙ୍କ ପୁନଃ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଓଡିଶା ମାନବିକ ଅଧିକାର କମିଶନ ସାଇନାଥ ବସ୍ତି କମିଟିର ସଭାପତି ଦିଲ୍ଲୀପ କୁମାର ସିଂ ଓ ଅନ୍ୟ ପରିବାରଙ୍କ ଆବେଦନ କେଶ ନମ୍ବର ୮୧୩, ୨୦୨୧ ଶୁଣାଣୀ କରି ତା ୧୮.୦୩.୨୦୨୧ ରିଖରେ ଏହି ଆଦେଶ କେଶ ନମ୍ବର ୮୧୩, ୨୦୨୧ /ଲେଟର ନମ୍ବର ୩୦୬୩ /ଓଏଚଆରସି ପ୍ରଦାନ କରିଥିଲେ । ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ଶ୍ରମଜିବୀ ବସ୍ତିବାସିନ୍ଦା ପରିବାର ଅତ୍ୟାବଶ୍ୟକୀୟ ସେବାରୁ ବଞ୍ଚିତ ହୋଇ ଖରା ଗରମରେ ପ୍ରବଳ କଷ୍ଟ ପାଇବା ସହିତ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ସାଇନାଥ ବସ୍ତି ବଳପୂର୍ବକ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଏହି ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ବେଆଇନ ଉଛେଦ ବନ୍ଦ କରିବା ଏବଂ ବସ୍ତି ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନ କରିଥିବା ପରିବାରଙ୍କ ଘର ଭାଙ୍ଗିବାରେ ବିଫଳ ହୋଇଥିଲେ ମଧ୍ୟ ସ୍ଥାନୀୟ ବିଲ୍ଡର ଓ ଜମି ମାଫିଆଙ୍କ ଚାପରେ ପ୍ରଶାସନ ବିଦ୍ୟୁତ ଭଳି ଅତ୍ୟାବଶ୍ୟକୀୟ ସେବାରୁ ବସ୍ତିବାସିନ୍ଦାଙ୍କୁ ବଞ୍ଚିତ କରି ଘର ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ । ତଥାପି ବସ୍ତିବାସିନ୍ଦା ଏହାକୁ ସାମ୍ନା କରି ଲଢେଇ ଜାରୀ ରଖିଥିଲେ । ସ୍ଥାନୀୟ ଜେ.ଇ, ଡ଼ିଜିଏମ୍, ବିଏମସି ଓ ବିଡ଼ିଏ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ମନା କରିବା ପରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମାନ୍ୟବର ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିସହ, ଗତ ୮ ମାର୍ଚ୍ଚରେ ମାନ୍ୟବର ଓଡିଶା ହାଇକୋର୍ଟ ସାଇନାଥ ବସ୍ତି ଭଙ୍ଗା/ଉଛେଦ ଉପରେ ରହିତାଦେଶ ଦେଇଛନ୍ତି । ଡବ୍ଲ୍ୟୁପିସି ନମ୍ବର ୪୭୫୩, ୨୦୨୧ (WPC No. 4753 of 2021), ୮ ମାର୍ଚ୍ଚ ୨୦୨୧ରେ ଆଇନ ପ୍ରକ୍ରିୟା ଅନୁସରଣ କରି ବିକଳ୍ପ ଥଇଥାନ ଯୋଗେଇଦେବା ପୂର୍ବରୁ ବସ୍ତି ଉଛେଦ ନ କରିବାକୁ/ ଘର ନ ଭାଙ୍ଗିବାକୁ ଓଡିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି । ପ୍ରକାଶଯୋଗ୍ୟ, ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ଏହି ବସ୍ତିକୁ ଉଚ୍ଛେଦ କରିବା ଯୋଜନାରେ ଗତ ୧୬ ମାର୍ଚ୍ଚ ବିଳମ୍ବିତ ରାତିରେ ଉଛେଦ ଯୋଜନାର ମୁଖ୍ୟ କାର୍ପଟଦାର ବିଲଡ଼ରଙ୍କ ପକ୍ଷରୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଏହା ବିରୁଦ୍ଧରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଡ଼ିସିପି ଅଫିସ ଘେରାଉ କରାଯିବା ସହିତ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ଆକ୍ରମଣକାରୀ ବିଲଡ଼ର ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ମଞ୍ଚେଶ୍ୱର ଥାନାରେ କେଶ ନମ୍ବର ୦୮୮ ତା ୭.୦୩.୨୦୨୧ ପଞ୍ଜିକୃତ ହୋଇଛି । ଏଥିସହ ବସ୍ତିବାସିନ୍ଦାଙ୍କୁ ସୁରକ୍ଷା ଯୋଗେଇ ଦେବାକୁ ଡ଼ିସିପି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଇନାଥ ବସ୍ତି କମିଟି ପକ୍ଷରୁ ସମ୍ପାଦକ ସଛବକାନ୍ତ ଭାଟ୍ରା, ସବିତା ସିଂ, ପ୍ରକାଶ ମହାପାତ୍ର, ଶାରଳା ବିଶ୍ୱାଳ, ସ୍ୱାଗତିକା ବେହେରା, ସୁଜିତ ପ୍ରଧାନ ଆଦି ଜଣାଇଛନ୍ତି । ମାନବିକ ଅଧିକାର କମିଶନରେ ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ ଓ ଆଡ଼ଭୋକେଟ ବିଜୟ ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ । ଏହି ଆନ୍ଦୋଳନରେ ବସ୍ତି ସୁରକ୍ଷା ମଞ୍ଚ ସେମାନଙ୍କୁ ଦୃଢ଼ ସମର୍ଥନ ଓ ସହଯୋଗ ଯୋଗାଇଥିଲା ବୋଲି ବସ୍ତିବାସିନ୍ଦାମାନେ ପ୍ରକାଶ କରିବା ସହିତ ବସ୍ତି ସୁରକ୍ଷା ମଞ୍ଚର ନେତୃତ୍ୱ ଓ ସହଯୋଗୀ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ପୀଡ଼ିତ ବସ୍ତିବାସିନ୍ଦା ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ଯେଉଁ ମିଡ଼ିଆ ଓ ସାମ୍ୱାଦିକ ମାନେ ସେମାନଙ୍କ ପ୍ରତି ହୋଇଥିବା ବେଆଇନ କାର୍ଯ୍ୟ ଓ ଅନ୍ୟାୟ ବିରୁଦ୍ଧରେ ଲେଖିଛନ୍ତି ତଥା ଦେଖାଇଛନ୍ତି, ସେମାନଙ୍କୁ ମଧ୍ୟ ବସ୍ତିବାସିନ୍ଦା ଧନ୍ୟବାଦ ଦେଇଛନ୍ତି ବୋଲି ସାଇନାଥ ବସ୍ତି କମିଟି ସଭାପତି ଦିଲ୍ଲୀପ କୁମାର ସିଂ ଓ ସମ୍ପାଦକ ସଛବକାନ୍ତ ଭାଟ୍ରା, ସମ୍ପାଦିକା ପ୍ରମିଳା ଜଣାଇଛନ୍ତି ।