ଏସିସି ତାଲିକାଧାରୀ ଆବାସ ଯୋଜନାରୁ ବଞ୍ଚିତ : ବ୍ଳକ ସମ୍ମୁଖରେ ଆମରଣ ଅନସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ଝାଡପିମ୍ପଳ ପଞ୍ଚାୟତର ସେହି ଗାଁ ର କନ୍ଦର୍ପ ବାରିକ (୭୭)ଙ୍କର ନାମ ୨୦୧୧ ମସିହା ଏସିସି ଫାଇନାଲ ଯୋଗ୍ୟ ତାଲିକାରେ ଥିବା ବେଳେ ଅଦ୍ୟାବଧି ସେ ଆବାସ ଗୃହ ପାଇନଥିବାରୁ ଆଜି ବ୍ଳକ ପରିସରରେ ଯୁଗ୍ମ ଶୁଣାଣୀ ଚାଲିଥିବା ବେଳେ ଫାଟକ ବାହାରେ ସପରିବାର ଆମରଣ ଅନଶନରେ ବସିଥିଲେ । ଘଟଣାରୁ ପ୍ରକାଶ ଦିନମଜୁରିଆ ଭାବେ କନ୍ଦର୍ପ ଯାହା ରୋଜଗାର କରନ୍ତି ସ୍ତ୍ରୀ ଓ ବିକଳାଙ୍ଗ ପୁଅ ସହିତ ବହୁ କଷ୍ଟରେ ଚଳି ଆସୁଛନ୍ତି । ଗାଁରେ ଏକ ଝାଟିମାଟିର ଘର ସୁବର୍ଣ୍ଣାରେଖା ନଦୀକୂଳ ଝାଡପିମ୍ପଳ ଗାଁରେ ରହିଛି । ଫଳରେ ବର୍ଷା, ବନ୍ୟା, ଝଡ ଇତ୍ୟାଦିରେ ପରିବାରବର୍ଗ ବହୁ କଷ୍ଟରେ କାଳାତିପାତ କରନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏସିସି ତାଲିକାରେ କ୍ରମିକ ନଂ ୧୪୬୪୬୧୧ରେ ଅନ୍ତଭୁକ୍ତ ହୋଇଥିଲା । କିନ୍ତୁ ଏହି ନାମ ତାଲିକାର ଥିବା ଅନ୍ୟ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇଥିବା ବେଳେ ସେ ଅଦ୍ୟାବଧି ପାଇ ନାହାନ୍ତି । କେତେକ ଦଲାଲ ଓ ସରକାରୀ କର୍ମଚାରୀ ତାଙ୍କୁ ୨୦ହଜାର ଟଙ୍କାର ଉତ୍କଚ ମାଗୁଥିବାରୁ ସେ ଅସମର୍ଥ ହୋଇଥିଲେ । ଫଳରେ ତାଙ୍କୁ ଆବାସ ଯୋଜନାରେ ଘର ମିଳିନଥିବା କହିଛନ୍ତି । ଗତ୨୦୨୦ ମସିହା ଜୁଲାଇ ମାସରେ ସେ ଏ ସମ୍ପର୍କରେ ତତ୍‌କାଳୀନ ଜିଲାପାଳ, ପିଡି ଡିଆର୍‌ଡିଏ ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଫଳରେ ପୂର୍ବ ସୂଚନା ଅନୁଯାୟୀ ଆଜି ବ୍ଳକ ଫାଟନ ନିକଟରେ ସ୍ତ୍ରୀ ଓ ବିକଳାଙ୍ଗ ପୁଅ ସହିତ ଅନସନରେ ବସିଥିଲେ । ମାଧ୍ୟାହ୍ନରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହା ଜାଣିବାପରେ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ସେ ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା