ଏସଏମଆଇଟି ଡିଗ୍ରୀ ଇଂଜିନିୟରିଙ୍ଗ କଲେଜରେ ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଘରୋଇ ବୈଷୟିକ ଶିକ୍ଷା ଅନୁଷ୍ଠାନ ଏସଏମଆଇଟି ଚଣ୍ଡୀପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ‘ଉତ୍କର୍ଷ-୨୦୨୦’ ମାର୍ଚ୍ଚ ୪ ତାରିଖ ଦିନ ଏକ ସାରସ୍ୱତ ସମାରୋହରେ କଲେଜ ପରିସର ମଧ୍ୟରେ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ପ୍ରତିଭା ଗୁଣଗାନ କରିବା ସଙ୍ଗେ ସଙ୍ଗେ ଆଜି ଏହି ବୈଷୟିକ ଅନୁଷ୍ଠାନ ଦେଶ ଓ ବିଦେଶରେ ଯେପରି ସୁନାମ ଅର୍ଜନ କରିପାରିଛି ଓ ସେଭଳି ପ୍ରତିଭାବାନ ବ୍ୟକ୍ତିଙ୍କ ଆଦର୍ଶରେ ଆଜିର ଛାତ୍ରସମାଜ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଆଜିର ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ହୋଇପାରିଛି । ସେଥିପାଇଁ ଅଧ୍ୟାପକ ଓ କର୍ମଚାରୀଙ୍କ ଅବଦାନ ରହିଛି ଓ ଏହାକୁ ସର୍ବଭାରତୀୟ ସ୍ତରରେ ଏକ ଉଚ୍ଚ ସ୍ଥାନରେ ରଖିପାରିଛି । ଦୀର୍ଘ ୪୦ ବର୍ଷର ଏହି ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଆଜି ଦେଶ ଓ ବିଦେଶରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ଉପଯୁକ୍ତ ପଦପଦବୀରେ ନିଯୁକ୍ତି ପାଇ ନିଜକୁ ଗର୍ବିତ କରିପାରିଛନ୍ତି । ଏସଏମଆଇଟିରେ ଉପଯୁକ୍ତ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ ପ୍ରଣାଳୀ, ଆବଶ୍ୟକୀୟ ଯନ୍ତ୍ରପାତି ସହ ପାଠ ପଢା ପରେ ନିଯୁକ୍ତି କ୍ଷେତ୍ରରେ ସୁବ୍ୟବସ୍ଥା ଯୋଗାଇ ଦେଉଥିବା ଯୋଗୁଁ ବହୁ କମ୍ପାନୀ ଆଗ୍ରହର ସହ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇ ପାରିଛନ୍ତି । ଛାତ୍ରଛାତ୍ରୀମାନେ ହେଉଛନ୍ତି ଅନୁଷ୍ଠାନର ମେରୁଦଣ୍ଡ । ସେମାନେ ସଫଳ ହେଲେ ଅନୁଷ୍ଠାନର ଉନ୍ନତି ହେବା ସଙ୍ଗେ ସଙ୍ଗେ ତାଙ୍କରି ଜୁନିୟର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ମିଳିବ ବୋଲି ସେ ପ୍ରକାଶ କରିଥିଲେ । ଅନୁଷ୍ଠାନ ଯେହେତୁ ସଦାସର୍ବଦା ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ଆସୁଛି, ସେହିଭଳି ସିନିୟର ଛାତ୍ରଛାତ୍ରୀମାନେ ଜୁନିୟର ଛାତ୍ରଛାତ୍ରୀମାନଙ୍କୁ ଉଚିତ ଦିଗଦର୍ଶନ ଦେଇ ଅନୁଷ୍ଠାନର ନୂତନ ପିଢ଼ି ଗଠନ କରିବା ପାଇଁ ସେ ଅନୁରୋଧ କରିଥିଲେ । ଚଳିତ ବର୍ଷ କ୍ରୀଡା, ବକୃତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ ଓ ସମ୍ମାନିତ କରିଥିଲେ । ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ଜେ. ଶଙ୍କର ନାରାୟଣ, ପରିଚାଳନା କମିଟିର ଯୁଗ୍ମ ସଂପାଦକ ତଥା ଦୈନିକଆଶା ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାବତ, ପ୍ଲେସମେଣ୍ଟ ଅଫିସର ଡ଼. ଜିତେନ୍ଦ୍ର କୁମାର ସାହୁ, ପ୍ରଫେସର ଇଂ ଏସ.କେ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା