ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଉପଖଣ୍ଡ ରାଜସ୍ୱ ସମୀକ୍ଷା ବୈଠକ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇରାତ ଗୁଡିକ ଉପରେ ଦୃଷ୍ଟି ରଖିବାକୁ ଉପଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ନଜର ରଖି ଚଢଉ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଉପଖଣ୍ଡରେ ୨୧୩ଟି ସଇରାତ୍ ଥିବା ବେଳେ ଲିଜ୍ ହୋଇ ନଥିବା ୧୦୧ ସଇରାତକୁ ତୁରନ୍ତ ଲିଜ୍ ପ୍ରଦାନ କରିବାରେ ଦିଗରେ ପଦକ୍ଷେପ ନିଆଯିବ । ସେହିପରି ବସୁନ୍ଧରା ଯୋଜନାରେ ୧୫୭ ଜଣ ଭୂମିହୀନ ପରିବାରକୁ ପଟ୍ଟା ଦେବା ଲକ୍ଷ୍ୟ ରହିଥିବା ବେଳେ ସେପ୍ଟେମ୍ବର ୩୧ ତାରିଖ ସୁଦ୍ଧା ୧୦୨ ହିତାଧିକାରୀଙ୍କୁ ପଟ୍ଟା ଯୋଗାଇବା ପାଇଁ କୁହାଯାଇଛି । ବନ୍ଦୋବସ୍ତ ଯୋଜନାରେ ୫୦୧ଜଣ ହିତାଧିକାରୀଙ୍କୁ ପଟ୍ଟା ଯୋଗାଇବାକୁ ରହିଥିବା ବେଳେ ଏହି ମାସ ଶେଷ ସୁଦ୍ଧା ୫୦ ପ୍ରତିଶତ ହିତାଧିକାରୀଙ୍କୁ ପଟ୍ଟା ଯୋଗାଇ ଦିଆଯିବ । ଉପଖଣ୍ଡରେ ଗତ ଏପ୍ରିଲ ମାସ ଠାରୁ ଅଗଷ୍ଟ ଶେଷ ସୁଦ୍ଧା ପ୍ରାୟ ୧୫ ହଜାର ମ୍ୟୁଟେସନ୍ ମାମଲା ହୋଇଥିବା ବେଳେ ବାକି ରହିଥିବା ପ୍ରାୟ ୫ ହଜାର ମାମଲା ତୁରନ୍ତ ଫଇସଲା କରିବାକୁ କୁହାଯାଇଛି । ଏଥିସହ ଉପଖଣ୍ଡ ପାଇଁ ସରକାର ଧାର୍ଯ୍ୟ କରିଥିବା ୨୯.୯୨ କୋଟି ଟଙ୍କା ରାଜସ୍ୱ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ତହସିଲଦାରମାନଙ୍କୁ ସୂଚାଇ ଦିଆଯାଇଛି । ବର୍ତ୍ତମାନ ପିଲାଙ୍କ ସ୍କୁଲ ଓ କଲେଜ ଶିକ୍ଷା ନିମନ୍ତେ ଦରକାରୀ ହେଉଥିବା ସମସ୍ତ ପ୍ରମାଣପତ୍ର ଠିକ୍ ସମୟରେ ଯୋଗାଇ ଦେବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜସ୍ୱ ସହାୟକ ଅଖିଳ କୁମାର ସାବତ ଓ ସେକ୍ସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା