ଉତ୍ତର ବାଲେଶ୍ୱରରେ ହୁ ପକ୍ଷରୁ ଟେଣ୍ଟ କମ୍ୟୁନିଟି ହସ୍ପିଟାଲ ଲାଗି ଜମି ସର୍ଭେ ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଡ୍ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ୱାସ୍ଥ୍ୟ ବିଭାଗ ନାକେଦମ ହେଉଛି । ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିବାରୁ କେନ୍ଦ୍ର/ରାଜ୍ୟ ସରକାର ପର୍ଯ୍ୟପ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ହୋଇ ପାରୁନଥିବାରୁ ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏବେ ଅଣ୍ଟା ଭିଡିଛି । କରୋନା, ବ୍ଲକ ଫଙ୍ଗସ୍ ଭଳି ମହାମାରୀକୁ ମୁକାବିଲା କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ହୁ ପକ୍ଷରୁ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଓଡିଶାର ଉତ୍ତର ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ପଶ୍ଚିମବଂଗ ସନ୍ନିକଟ ଯେ କୌଣସି ସ୍ଥାନରେ ଏକ ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ନିର୍ମାଣ ଲାଗି ଜମି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଲକ୍ଷ୍ମଣନାଥରୋଡ ନିକଟ ପୁରୁଣା ୟୁନିଫାଏଡ ଚେକ୍‌ଗେଟ୍ ନିକଟରେ ୫୨ ଏକର ସରକାରୀ ଉପଯୁକ୍ତ ଜମି ରହିଛି । ଏହି ସ୍ଥାନଟି ପଶ୍ଚିମବଂଗରୁ ମାତ୍ର ୨ କିମି ଦୂର ଏବଂ ଭୋଗରାଇ, ବସ୍ତା, ବାଲିଆପାଳରୁ କେନ୍ଦ୍ରସ୍ଥଳ ହୋଇଥିବାରୁ ତାହା ପ୍ରକୃଷ୍ଠ ବୋଲି ମତପ୍ରକାଶ ପାଇଛି । ବାଲେଶ୍ୱର ସିଡିଏମଓ ଡା. ଦୁଲାଲ ସେନ୍ ଜଗଦେବଙ୍କ ନେତୃତ୍ୱରେ ଡବ୍ଲୁଏଚ୍‌ଓ(ହୁ)ର ରାଜ୍ୟ ଅଧିକାରିଣୀ ଅର୍ଚ୍ଚନା ଗାୟଣ, ହାତିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରର ମୁଖ୍ୟ ଡା. ପ୍ରଭାସ ନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ବିପିଏମ୍ ଅନୀଲ ମହାନ୍ତି, ବିଡିଓ ଦିପ୍ତୀରଂଜନ ସେଠୀ, ମ୍ୟୁନିସିପାଲଟି ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ଉକ୍ତ ସ୍ଥାନ ସର୍ଭେ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି । ୯୬ ବେଡ୍ ବିଶିଷ୍ଟ ଏହି ହସ୍‌ପିଟାଲ ନିର୍ମାଣ ହେଲେ ମହାମାରୀ ସମୟରେ ଉତ୍ତର ଓଡିଶାର ୪ଟି ବ୍ଲକ ଉପକୃତ ହୋଇ ପାରିବ ବୋଲି ବହୁ ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।