ଇଶ୍ଵରଙ୍କର ମଧ୍ୟ ସମସ୍ୟା ରହିଛି

ଥରେ ଜଣେ କବି ଲେଖିଥିଲେ,”ହରିହର ଏକ ଆତ୍ମା ଜାଣେ ଏ ସଂସାର,ମାତ୍ର ହରି ଜନ୍ମ ନିଅନ୍ତି,ଅଜନ୍ମା ଇଶ୍ଵର ।”ହରି ହର ଏକ,ଅଭିନ୍ନ,ଭିନ୍ନ ମଧ୍ୟ କାରଣ ଯେ ଯାହା ବାଟରେ ଜଗତର ମଙ୍ଗଳ କରନ୍ତି,ଜଣେ ସୃଷ୍ଟି କର୍ତ୍ତା,ଜଣେ ପ୍ରଳୟକର୍ତ୍ତା,ହେଲେ ମଧ୍ୟ ଉଭୟ ସଂସାରର ମଙ୍ଗଳକର୍ତ୍ତା,କାରଣ ସେ ପରା ଆଶୁତୋଷ,ସଦାଶିବ ।ସେଥିପାଇଁ ହରିହର ଭେଟ ହୁଏ ଲିଙ୍ଗରାଜ ମନ୍ଦିରରେ।ଅନେକ ପୌରାଣିକ ସିରିୟଲରେ ଦେଖିଥିବେ ପ୍ରଭୁ ଵିଷ୍ପୁ ଦେବ ଦେବ ମହାଦେବଙ୍କର ଶାଳକ,କାରଣ ଦେବୀ ପାର୍ବତୀଙ୍କ ଭାଇ,ଏକଥା ମଦୁରାଇର ମିନାକ୍ଷୀ ସୁନ୍ଦରେଶ୍ଵର ମନ୍ଦିରରେ ପ୍ରମାଣିତ ।ପ୍ରଭୁ ନୀଳକଣ୍ଠ ମାତା ପାର୍ବତୀ(ମିନାକ୍ଷୀ)ଙ୍କ ତପସ୍ୟାରେ ପ୍ରୀତ ହୋଇ ମଦୁରାଇରେ ଅପେକ୍ଷା କରିବାକୁ କହିଥିଲେ, ଶୀତଳଷଷ୍ଠୀରେ ପ୍ରଭୁ ଯେତେବେଳେ କୈଳାସରୁ ଆସିଲେ ବିବାହ ନିମନ୍ତେ ମଦୁରାଇ,ସେତେବେଳେ ସ୍ବୟଂ ଶ୍ରୀବିଷ୍ଣୁ ବୈକୁଣ୍ଠରୁ ମଦୁରାଇ ଆସିଥିଲେ,ମାତା ପାର୍ବତୀଙ୍କ ଭାଇ ଭାବେ କନ୍ୟାଦାନ ପାଇଁ ଏ ସମ୍ବନ୍ଧୀୟ ମୂର୍ତ୍ତୀ ମନ୍ଦିର ମଧ୍ୟରେ ଉତକୀର୍ଣ୍ଣ ।ଶିବ ଓ ଵିଷ୍ପୁ ସଂସାରର ପାଳକ/ଚାଳକ ହେଲେ ସୁଦ୍ଧା ଏମାନଙ୍କର ମଧ୍ୟ ଅନେକ ସମସ୍ୟା ରହିଛି । ଏ ବିଷୟରେ ସବିସ୍ତାର ବର୍ଣ୍ଣନା। ମନୁଷ୍ୟ ଏକ ସାମାଜିକ ପ୍ରାଣୀ,ସଂସାର ଭିତରେ ଘର କରିଥିଲେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ, ସମସ୍ୟା କାହାକୁ ଛାଡିଛି ଏମିତି ନୁହେଁ, କାହାର କୋଉ ପ୍ରକାର ସମସ୍ୟା I ଏ ସମ୍ରାଟ, ଛତ୍ରପତି, ଗଜପତି, ରାଜା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବଡ଼ ଅଫିସର, ଛୋଟ କର୍ମଚାରୀ, ଧନୀ, ଗରୀବ, ଭିକାରୀ କାହାରିକୁ ସମସ୍ୟା ଛାଡି ନାହିଁ । କାହାର ଧନ ନାହିଁ, କାହାର ମନ ନାହିଁ, କିଏ ସମ୍ମାନ ପଛରେ ପାଗଳ, କିଏ ନାମ ପଛରେ ବାଇଆ। କାହାର ଝିଅ ବାହା ଘର ହୋଇ ପାରୁନି, କାହାର ପୁଅର ଚାକିରୀ ନାହିଁ,କାହାର ବାପା ମା’ ରୋଗଗ୍ରସ୍ତ,କାହାର ଜମିବାଡିରେ ଗଣ୍ଡଗୋଳ,ଏମିତି ବହୁବିଧ ସମସ୍ୟା ।ମନୁଷ୍ୟର ଯେତେବେଳେ ଏତେପ୍ରକାର ସମସ୍ୟା, ଆମର ସୃଷ୍ଟିକର୍ତ୍ତାଙ୍କର ମଧ୍ୟ ଅଳ୍ପେ ଵହୁତେ ଥିବ ।କଥା କ’ଣ କି,ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି ଉଦୟଗିରି ମଝି ରାସ୍ତାଦେଇ କଳିଙ୍ଗନଗର ଟାଟା ଆରିୟାନା ହାଉସିଙ୍ଗ ପ୍ରୋଜେକ୍ଟ ଆଡ଼େ ଗଲେ ଗୁଲିଖଟି ନାମକ ଏକ ରେଷ୍ଟୁରାଣ୍ଟ ଅଛି,ସେଠି କୁଆଡେ ଭଲ ଚଟପଟା ଖାନା ମିଳେ । ଆପଣମାନେ ଜାଣିଥିବେ ଟାଟା ଆରିୟାନା ଘରଗୁଡିକର ମୂଲ୍ୟ କିଭଳି,ତା’ମାନେ ଯେତେ ବଡବଡିଆ, କିଳାପୋତିଆ,ନେତା,ଅଫିସର ସବୁ ନିଶ୍ଚୟ ସେଆଡେ ରହୁଥିବେ,ନିଜ ଥାଟବାଟ ଜାହିର କରିବା ନିମନ୍ତେ।ଥରେ ପ୍ରଭୁ ହରି ହର ଆମ ବଡଲୋକିଆମାନେ କେମିତି ଅଛନ୍ତି ବୋଲି ସେଆଡେ ଭ୍ରମଣରେ ଆସିଥିଲେ,”ଗୁଲିଖଟି” ନାଁଟା ଭଲ ଲାଗିବାରୁ ସେ ଭିତରେ ପଶି- ଗଲେ,ଅବଶ୍ୟ ଚଟପଟା ଖାଦ୍ୟ କଥା ଜାଣିଥିଲେ କି ନାହିଁ ମତେ ଅଜଣା,ଆଉ ଗୋଟେ କଥା ତ୍ରିକାଳଦର୍ଶୀ ବିଶ୍ଵଚିନ୍ତାମଣୀଙ୍କୁ କ’ଣ ଅଜଣା ! ସେଇ ଦୁଇଜଣ ସେଦିନ ଯାହା କଥା ହେଉଥିଲେ ସେଇ କଥା ଆପଣଙ୍କୁ କହିବି । ପ୍ରଥମେ ପ୍ରଭୁ ଶ୍ରୀବିଷ୍ପୁ ଆରମ୍ଭ କଲେ,ଆଉ କେମିତି ଅଛନ୍ତି ବାବା ସୋମନାଥ । ଗଙ୍ଗାଧର କହିଲେ କ’ଣ କହିବି ଭାଇ,ମୋ ଦୁଃଖ କହିଲେ ନସରେ ।ଆପଣ ତ ନିଜ ଲୋକ,ମଧୁର ସମ୍ପର୍କ,ମୋର ଦୁଇପୁଅଙ୍କ ମଧ୍ୟରୁ ସାନ,ଯାହାକୁ ଆପଣମାନେ ଅଗ୍ରପୂଜ୍ୟ କରିଛନ୍ତି,ସିଏ ସିନା ଲମ୍ବୋଦର ତା’ର ବାହନ ଏକ ମୂଷିକ,ବଡ଼ପୁଅ,ସ୍ବର୍ଗ ସେନାପତି କାର୍ତ୍ତିକ(ମୁରୁଗାଁ)ର ବାହନ ହେଲା ମୟୁର,ମୁଁ ତ ଦେହମୁଣ୍ଡରେ ସାପ ଗୁଡ଼ାଏ ।ଏ ତିନିହେଁ କିଏ କାହାକୁ ଦେଖି ପାରନ୍ତିନି,ସାପ ମୂଷା ଦେଖିଲେ ଖାଇବାକୁ ଚାହେଁ ତ ମୟୁର ସାପକୁ । ପୁଣି ମୋର ବାହନ ବୃଷଭ ତ ପତ୍ନୀଙ୍କର ବାହନ ବାଘ କିମ୍ବା ସିଂହ,ବୃଷଭ ଓ ବାଘର ସମ୍ପର୍କ ଖାଦ୍ୟ, ଖାଦକ । ମାତ୍ର ଆମ ଭିତରେ ଅନେକ ପ୍ରକାର ବୈରଭାବ ଥିଲେ ମଧ୍ୟ ମୋ ପରିବାର ଯେସଂସାରକୁ ସହାବସ୍ଥାନର ନୀତି ଶିଖାଇଛି ଏଥିରେ ମୁଁ ଆନନ୍ଦିତ।ପୁଣି ତାଙ୍କ ଭଉଣୀ ଗଙ୍ଗା ମୋ ମୁଣ୍ଡ- ରେ ବସିବାଟାକୁ ଆପଣଙ୍କ ଭଉଣୀ ମୋଟେ ସହିପାରନ୍ତି ନାହିଁ । ଆଉ ମୋର ଶ୍ମଶାନରେ ବେଳେ ବେଳେ ବୁଲିବା ଅଭ୍ୟାସ ଅଛି,ପୁଣି ମୁଁ ଶ୍ମଶାନ ଭସ୍ମ ଵିଲେପନ କରେ ଅର୍ଥାତ୍ ବେଳେ ବେଳେ ମଡାପୋଡା ପାଉଁଶ ବୋଳିହୁଏ।ଆପଣଙ୍କର ସିନା ଚନ୍ଦନ,କର୍ପୁର, ଅଗୁରୁ, କୁଙ୍କୁମ,କସ୍ତୁରୀ ଏମିତି କେତେ ପ୍ରକାର ଶ୍ରୀଙ୍ଗାର ଅଛି !ସଂସାରତ୍ୟାଗୀ ବୋଲି କେହି କେହି କହିଲେ ମଧ୍ୟ ସେଇଟା ମୋର ଏକ ସୌକ୍।ମୋର ଏ ସୌକକୁ ନେଇ କିଛି ଭକ୍ତ ଅଘୋରୀ ନାମରେ ପାଉଁଶ ବୋଳିହୋଇ ମଣିଷ ମାଂସ ଖାଉଛନ୍ତି,ମଡାଗୁଡିକ ମଧ୍ୟ ଖାଇ- ଯାଉଛନ୍ତି,କିଛି ନାଗାସନ୍ୟାସୀ ମଧ୍ୟ ଶ୍ମଶାନ ପାଉଁଶ ଵୋଳିହେଉଛନ୍ତି।ଉଜ୍ଜୟିନୀ ମହା- କାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କଠାରେ ଏବେ ମଧ୍ୟ ଏଇ ଶ୍ମଶାନଭସ୍ମ ଵିଲେପନ ଶ୍ରୀଙ୍ଗାର ହେଉଛି ପ୍ରତ୍ୟହ ।ଇଏ ତ ଗଲା ସମୟ ସମୟର କଥା,ସବୁବେଳେ ରହିବା କୈଳାସ କଥା କ’ଣକହିବି,ସେଠି ଯୋଉ ଥଣ୍ଡା,ସେଥିରେ ମୋର ଖୋଲା ଦେହରେ ରହିବା ଅଭ୍ୟାସ ବେଳେବେଳେ ଭାବୁଛି ସନ୍ନିପାତ ହୋଇଯିବ,ଆପଣଙ୍କର ସିନା ପାଟ ପୀତାମ୍ବରୀ କେତେ କଅଣ ! ଏମିତି ସବୁ ଏତେ କଥା ଭାବି ଭାବି ଥରେ ଆତ୍ମହତ୍ୟା କରିବାକୁ ବିଷ ପିଇଦେଲି, ଅବଶ୍ୟ ଏଥିପାଇଁ ଆପଣମାନେ ହିଁ ଦାୟୀ,କହିଲେ ଖରାପ ଲାଗିପାରେ !କାରଣ ସମୁଦ୍ର ମନ୍ଥନରେ ଯାହା ଭଲ ବାହାରିଲା ସବୁ ଆପଣ,ଦେବତାମାନେ ଭାଗ କରି ନେଇଗଲେ, ଅମୃତ ମଧ୍ୟ ଅସୁରମାନଙ୍କୁ ଦେଵେନିବୋଲି ଆପଣ ମୋହିନୀ ହୋଇଗଲେ।ହେଲେ ଗରଳ ବାହାରିଲା ବେଳକୁ କାହାରି ଦେଖା ନାହିଁ, ଅଗତ୍ୟା ସଂସାର ରକ୍ଷାର୍ଥେ ମତେ ପିଇବାକୁ ହେଲା, ହେଲେ ସେ ବିଷଗୁଡା ମଧ୍ୟ ଭିତରକୁ ନଯାଇ ମୋ ତଣ୍ଟି ପାଖେ ରହିଲା,ମତେ ଡାକିଲେ ନୀଳକଣ୍ଠ,କାରଣ ବିଷଜ୍ୱାଳାରେ ମୋ ତଣ୍ଟି ବା କଣ୍ଠ ନୀଳ ହୋଇଗଲା ।ସେଇଠୁ ମୁଁ ବିଷଜ୍ୱାଳାର ପ୍ରଶମନ ନିମନ୍ତେ ସାପ ଗୁଡ଼ାଇହେଲି ବେକରେ,ଥଣ୍ଡା ଦରକାର ବୋଲି ଗଙ୍ଗାଙ୍କୁ ଧରିଲି ମସ୍ତକରେ,ଗଙ୍ଗାଧର,ଚନ୍ଦ୍ରଙ୍କୁ ମସ୍ତକରେ ରଖିଲି,ହେଲି ସୋମନାଥ,ସବୁ- ବେଳେ ମୋ ଉପରେ ଜଳ ଢାଳିବାର ବ୍ୟବସ୍ଥା କରିବାକୁ ହେଲା,ଯେତେପ୍ରକାର ଥଣ୍ଡା, ବିଷନାଶକ, ଘିଅ,ମହୁ,କ୍ଷୀର ଦହିରେ ସ୍ନାନ କରିବାର ବନ୍ଦୋବସ୍ତ କରାଗଲା,ଏସବୁକୁ କୁହାଗଲା ଜଳସାଇ ।ଏ ସମୟରେ ଶୁଭିଲା ଆଃ,ତ୍ରିଲୋଚନ କ’ଣ ହେଲା ପଚାରନ୍ତେ, ପ୍ରଭୁ ଵିଷ୍ପୁ ପକଡିରୁ ଏକ ଗୋଡି ଚୋବାଇଥିବା କହିଲେ ।ସଦାଶିବ ୱେଟରକୁ ଡାକି ପଚାରିବାରୁ ସେ କହିଲା,ଆପଣଙ୍କର ତ ଭଲଅଛି,କାଲି ଜଣକର ଭାତରୁ ଖଣ୍ଡେ ହାଡ଼ ବାହାରିଥିଲା ।ରାମ ରାମ କହିଉଠିଲେ ଶ୍ରୀବିଷ୍ପୁ । ମହେଶ୍ବର ପୁଣି କହିଉଠିଲେ,ଥରେ କ’ଣ ହେଲା ଜାଣନ୍ତି,ମୁଁ ବ୍ୟାଘ୍ରଛାଲ ପିନ୍ଧିବାର ଆପଣ ଜାଣିଥିବେ,ମୁଁ ବ୍ୟାଘ୍ରଛାଲ ଅଣ୍ଟାରେ ଗୁଡ଼ାଇ ହୋଇଯାଏ,ଗୋଟେ ସାପକୁ ବେଲଟ୍ ଭଳି ବାନ୍ଧିଦିଏ ତା ଉପରେ,ଥରେ ମୁଁ ସେମିତି ପିନ୍ଧି ଧ୍ୟାନରେ ବସିଛି,କାର୍ତ୍ତିକ ହଠାତ୍ ଆସି ପୁଣି ପଳେଇଗଲା।ସେଇ ଆସିବା ଭିତରେ ତା ବାହନ ମୟୁରକୁ ଦେଖି ସାପଟି ଭିଡିମୋଡି ହୋଇ ଫିଟି ପଳେଇଲା,ବ୍ୟାଘ୍ରଛାଲ ଖସି ଯାଇଛି, କେତେ ସମୟପରେ ପାର୍ବତୀ ଆସି ହାଁ ହାଁ ଇଏ କ’ଣ କହିବାରେ ମୋର ଧ୍ୟାନ ଭାଙ୍ଗିଲା। ଆଉଥରେ କ’ଣ ହେଲା ଜାଣନ୍ତି,ଆପଣ- ମାନେ ଭଲ ଭାବେ ଜାଣନ୍ତି ମୁଁ ଶ୍ମଶାନଵାସୀ ନତୁବା କୈଳାସବାସୀ,ଆମର ସ୍ଥାୟୀ ଘର- ଦ୍ଵାର କିଛି ନାହିଁ,ଆପଣଙ୍କ ଭଉଣୀଙ୍କ ଜିଦରୁ ଏକଦା ବିଶ୍ଵକର୍ମାଙ୍କୁ କହି ଭଲ ଘରଖଣ୍ଡେ କରେଇଥିଲି,ଶନିଦେବଙ୍କୁ ତ ଆପଣ ଏମିତି ଦାୟିତ୍ଵ ଦେଇଛନ୍ତି,ଯୋଉ ଜିନିଷକୁ ଟିକେ କୁନଜରରେ ଦେଖିଦେବେ ତାହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ।ପାର୍ବତୀଙ୍କ ବୋଲରେ ମୁଁ ଥରେ ଶନିଦେବଙ୍କ ପାଖକୁ ଗଲି ତାଙ୍କୁ କହିବା ପାଇଁ ଯେ ଏତେଦିନ ପରେ ଆମର ହୋଇଥିବା ଘର ଉପରେ କୁନଜର ନପକାନ୍ତୁ ।ଶନିଦେବ ମତେ ବହୁ ଆଦର ସମ୍ମାନ କରି ବସାଇଲେ, ପୁଣି କହିଲେ,ଦେଵ ଦେଵ,ବହୁଦିନୁ ଆପଣଙ୍କର ତାଣ୍ଡବ ନୃତ୍ୟ ଦେଖିନାହୁଁ,ଏତିକି ଟିକେ କୃପାକରନ୍ତେନି।ମୁଁ ତ ଭୋଳାନାଥ,ଆଶୁତୋଷ,ଶନିଦେବଙ୍କ କଥା ଉପେକ୍ଷା କରିପାରିଲିନି ଆରମ୍ଭ କରିଦେଲି ତାଣ୍ଡବ ନୃତ୍ୟ । ଏଣେ ପାର୍ବତୀଙ୍କ ସହ କଥା ହୋଇ ଯାଇଥିଲି ଯଦି ଶନିଦେବ ରାଜି ନହେଵେ,ତେବେ ମୁଁ ଡମ୍ବରୁ ବଜାଇବି ଓ ସେ ଶଦ୍ଦ ଶୁଣିଲେ ପାର୍ବତୀ ନିଜେ ସେ ଘରେ ଅଗ୍ନି ସଂଯୋଗ କରିଦେବେ,ଶନିଦେବଙ୍କ ବଦଳରେ ନିଜ ଘର ନିଜେ ପୋଡ଼ି ଦେବା !ମୋର ଆଉ ସେକଥା ମନେ ନାହିଁ,ତାଣ୍ଡବ ନୃତ୍ୟ ହେବ ପୁଣି ଡମ୍ବରୁବାଜିବ ନାହିଁ,ଇଏ କେମିତି କଥା,ମୁଁ ଭୋଳରେ ଡମ୍ବରୁ ବଜାଇ ନୃତ୍ୟ କଲି, ପାର୍ବତୀ ଘରେ ନିଆଁ ଲଗାଇ ଦେଲେ ।ଏମିତି ବହୁତ କଥା ଅଛି କହି ଡମ୍ବରୁଧର ଦୀର୍ଘ ନିଶ୍ଵାସ ନେଲେ ।ସେଇ- ଦିନଠୁ ପାର୍ବତୀ ନନ୍ଦୀକୁ କହିଛନ୍ତି ମତେ ଜଗିବାପାଇଁ,ସବୁବେଳେ ସେ ମୋ ଦୁଆର ମୁହଁରେ ଜଗିବସିଛି, କାଳେ କୋଉଠି କ’ଣ ଅଘଟଣ କରିଦେବି ? ସେଇଠୁ ପ୍ରଭୁ ଶ୍ରୀବିଷ୍ପୁ ଆରମ୍ଭ କଲେ,ମୋ ସମସ୍ୟା ଆଗରେ ତମର କିଛି ନୁହଁ । ମୋର ଗୋଟିଏ ପୁଅ ଅଛି,କାମଦେବ,ତା କାରନାମା କ’ଣ କହିବି,ମୋ ନାକ କଟିଯାଉଛି ସମସ୍ତଙ୍କ ଆଗରେ ।ଭିଣୋଇ ମହାଶୟ,ଆପଣଙ୍କର ୨ଟି ପୁତ୍ର ସ୍ଥାନରେ ମୋର ଦୁଇଗୋଟି ପତ୍ନୀ,ଲକ୍ଷ୍ମୀ ଓ ସରସ୍ଵତୀ,ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି,ସରସ୍ବତୀ ତା ପାଖ ମାଡନ୍ତି ନାହିଁ,ସରସ୍ବତୀ ଯାହାକୁ ଵରପ୍ରଦାୟକ ହୁଅନ୍ତି,ତାକୁ ଲକ୍ଷ୍ମୀ ଅନାନ୍ତି ନାହିଁ।ସରସ୍ବତୀ ସଵୁ ବେଳେ ବୀଣାବାଦନ କରି ବିଦ୍ୟାଦାନ କରୁଥାନ୍ତି,ଅଧୁନା ପ୍ରଧାନମନ୍ତ୍ରୀ ମୋଦି ଯୋଉ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ତା’ର ଆଦ୍ୟ ପ୍ରବର୍ତ୍ତିକା ହେଲେ ଲକ୍ଷ୍ମୀ ।ଆପଣଙ୍କର ପତ୍ନୀ ହେଲେ ଆପଣଙ୍କ ସହିତ ରହୁଛନ୍ତି,ମୋ ଭାଗ୍ୟରେ ସେତକ ନାହିଁ,ଲକ୍ଷ୍ମୀ ସଦାସର୍ବଦା ବିଶ୍ଵସାରା ବୁଲୁଥାନ୍ତି,କୋଉଠି ସ୍ଥିର ନୁହଁନ୍ତି,ସେଥିପାଇଁ ତାଙ୍କ ନାମ ଚଞ୍ଚଳା । ସମସ୍ତେ ମତେ ପ୍ରାର୍ଥନା କରନ୍ତି,ମାତ୍ର ଲକ୍ଷ୍ମୀଙ୍କୁ ଲୋଡ଼ନ୍ତି,ଆଉ ଲକ୍ଷ୍ମୀ ଯାହା ଘରକୁ ଗଲେ କେହି ଛାଡ଼ିବାକୁ ନାରାଜ,କାରଣ ସିଏ ଅନ୍ନପୂର୍ଣ୍ଣା,ପଡିଦାତା ସାଆନ୍ତାଣୀ।ଏମିତିକି ଶ୍ରୀକ୍ଷେତ୍ରରେ ମୁଁ ଜଗତର ନାଥ,ଜଗନ୍ନାଥ,କାଳିଆ ସାଆନ୍ତ,ବଳିଆରଭୁଜ,ଚକାନୟନ,କଳାବଦନ ଏମିତି କେତେ କ’ଣ ମାତ୍ର ବଡ଼ଦେଉଳର ମାଲିକାଣୀ ଶ୍ରୀଲକ୍ଷ୍ମୀ,ଶ୍ରୀମନ୍ଦିର।ଖା‌ଲି ସେତିକି ମୋ ଅଧିକାର- ରେ ଅଛି,ମୁକ୍ତି, ମୋକ୍ଷ ଇତ୍ୟାଦି, ମାତ୍ର ଆଜିକାର ବସ୍ତୁବାଦୀ ଦୁନିଆରେ ମୁକ୍ତି, ମୋକ୍ଷ, ଧର୍ମ, ପ୍ରାର୍ଥନା,ପ୍ରବଚନ ପ୍ରଭୃତି ଶୁଖିଲା କଥାକୁ ପଚାରୁଛି କିଏ,ସିଏ ଯେତେ ଶୀର୍ଷସ୍ତରୀୟ ହେଉ,ସମସ୍ତେ ଧନ, ସମ୍ପତ୍ତି, ମାନ, ମର୍ଯ୍ୟାଦା, ନାମ ପଛରେ ଗୋଡାଇଛନ୍ତି।ତେଣୁ ସମସ୍ତେ ମତେ ପ୍ରାର୍ଥନା କରନ୍ତି ସତ ମାତ୍ର ଖୋଜନ୍ତି ଲକ୍ଷ୍ମୀ କିମ୍ବା ସରସ୍ବତୀଙ୍କୁ,ଅଧିକାଂଶ ଲକ୍ଷ୍ମୀଙ୍କୁ । ଆପଣ ମୋ ଜାଗାରେ ଥିଲେ କ’ଣ ଭାବିଥାନ୍ତେ!ମୋ ବାହନ କଥା କ’ଣ କହିବି,ପକ୍ଷୀରାଜ ଗରୁଡ,ନିମିଷକେ ସାରା ବ୍ରହ୍ମାଣ୍ଡ ଵୁଲିଆସେ,କିନ୍ତୁ କଥା କ’ଣ କି,ମୋହାତରେ କିଛି ଲଗାମ ନାହିଁ କି ସିଟବେଲ୍ଟ ନାହିଁ,କୋଉଦିନ କେତେବେଳେ ଯଦି କ’ଣ ହେଇଗଲା,ଭୁବନେଶ୍ୱର- ରେ ଯେମିତି ସିଟବେଲ୍ଟ ବାଧ୍ୟତାମୂଳକ କରିଛନ୍ତି,କେଜାଣି କ’ଣ ହେବ ! ତା’ପରେ ଉପରକୁ ଉପର ଯୋଉ ଶୀତ,ଆଉ କହନ୍ତୁନି ସେକଥା ! ଏବେ ଆହୁରି କ’ଣ ହେଇଚି ଜାଣନ୍ତି, ଆପଣ ତ ଜାଣନ୍ତି, ମତେ କେତେ ନାଁରେ ଲୋକ ଡାକନ୍ତି,କିଏ ଠକ,କିଏ ଚୋର,କିଏ ଚକ୍ରୀ,କିଏ ଦଗାଦିଆ,ଏମିତି କେତେ କ’ଣ ଡାକନ୍ତି,ମୋର ଏଇମିତି ପ୍ରକୃତି ଯୋଗୁ ଲକ୍ଷ୍ମୀଙ୍କ ଆଦେଶରେ ଗରୁଡ଼ ସବୁବେଳେ ମୋ ଦୁଆରେ ମତେ ଜଗିକି ବସିଛି, କୁଆଡେ ପଳାଇଲେ ଲକ୍ଷ୍ମୀଙ୍କୁ ତୁରନ୍ତ ଖବର ଦେବ, କାଳେ କୋଉଠି କ’ଣ ଉଚ୍ଚନୀଚ ହୋଇଯିଵ ! ଆପଣ ତ ହେଲେ ଭୂମି ଉପରେ ଧରିତ୍ରୀମାତା କୋଳରେ,କୈଳାସ ହେଉ ବା ଶ୍ମଶାନରେ ରହୁଛନ୍ତି, ମୁଁ କୋଉଠି ରହୁଛି ଜାଣିଛନ୍ତି,ଅଥଳ ଦରିଆରେ, ପୁଣି ମୋ ଶଯ୍ୟା ହେଲା,ଶେଷନାଗ,ଅନନ୍ତ,ତାଙ୍କର ଅଜସ୍ର ଫଣାରେ ମୋ ମୁଣ୍ଡ ଉପରେ ଅଛନ୍ତି । କୋଉ ଦିନ ଯଦି ମନ କ’ଣ ବିଚାରିଲା,କୋଉ ଫଣାରୁ ଟିକେ ଫୁ କରିଦେବେ ମୋ କଥା ସେତିକି ରେ ଇତିଶ୍ରୀ,ଭାବିଲା ବେଳକୁ ମୋ ଦେହ ଶୀତେଇ ଉଠୁଛି,ଆପଣ ସେଗୁଡା କ’ଣ ବୁଝିବେ,ଯାହା କଷ୍ଟ ତା’ର ।ଆଉ ଗୋଟେ କଥା ଅନନ୍ତ ଓ ଗରୁଡ ପରସ୍ପରର ଖାଦକ- ଖାଦ୍ୟ ହେଲେ ମଧ୍ୟ ଉଭୟଙ୍କର ସ୍ତର ବହୁତ ଉଚ୍ଚ ହୋଇଥିବାରୁ,ପୁଣି ଜଣେ ବାହନ,ଜଣେ ବିଛଣା ହୋଇଥିବାରୁ ମୋର,ପରସ୍ପର ଭିତରେ ଏତେଟା ତିକ୍ତତା ନାହିଁ କହିଲେ ଚଳେ ।ଏମିତି କଥାବାର୍ତ୍ତା ଚାଲିଥିବାବେଳେ ବିଶ୍ଵନାଥ କହିଲେ ଜାଣିଲେ ଭାଇ ଭୁବନେଶ୍ୱରରେ କୁଆଡେ ବଢିଆ ଘୁଗୁନି ମିଳୁଛି,ଥରେ ଖାଇଲେ ପାଟିରୁ ଛାଡିବନି, ମାତ୍ର ତ୍ରିକାଳଦର୍ଶୀ, ସର୍ଵଜ୍ଞାତା ମହର୍ଷି ନାରଦଙ୍କଠୁ ଯାହା ଶୁଣିଲି ଆଉ ଇଛା ହେଉନି ।ଶ୍ରୀବିଷ୍ପୁ କହିଲେ କାହିଁ କ’ଣ ହେଲା କି ?ସଦାଶିବ କହିଲେ କହନ୍ତୁନି ଭାଇ ଏତେ ଚାଣ୍ଡାଳଗୁଡା,ଭଲ ଲାଗିବ ବୋଲି ସେଥିରେ ଗୋରୁଚର୍ବି ମିଶାଉଛନ୍ତି । ମୋରି ନନ୍ଦୀ ଭୃଙ୍ଗୀଙ୍କ ପୁଅ ନାତିଗୁଡାକୁ ବୁଢ଼ା ହୋଇଗଲେ କଂସେଇକୁ ଦେଇଦେଉଛନ୍ତି,ତା’ବୋଲି ସେଇ ଚର୍ବି ମିଶେଇଵ ! ଶାଳକ ଭିଣୋଇ ଏମିତି ଦୁଃଖସୁଖ ହେଉ ହେଉ ରାତି ଏଗାରଟା ହେଲାଣି, ଖିଆଲ ନାହିଁ,ୱେଟର୍ ଆସି କହିଲା ଆଜ୍ଞାମାନେ ଆପଣମାନେ ଯାଆନ୍ତୁ,ରାତି ଏଗାର ହେଲାଣି, ଆମେ ରାତି ଚାରିରୁ ଉଠିଥିଲୁ,ଆପଣ ଗଲେ ମୁଁ ସବୁ ବନ୍ଦ କରି ଯିବି କହି ହାଇ ମାରିଲା। ପ୍ରଭୁ ଦୁହେଁ ଅନେକ ଦିନପରେ ଟିକେ ମନଖୋଲା କଥା ହେଉଥିଲେ,କହିଲେ ଆଉ ଟିକେ ରହୁନ,ଏତେ ଦିନପରେ ଟିକେ ଭଲରେ ଦୁଃଖସୁଖ ହେଉଛୁ,ସେତକ ବି କରେଇ ଦେଉନ । ସେ ୱେଟର କହିଲା,ନାଇଁ ଆଜ୍ଞା ଆପଣ ଯାଆନ୍ତୁ ଆମକୁ ପୁଣି ଚାରିଟା ରାତିରୁ ଉଠିବାକୁ ପଡ଼ିବ । ମହେଶ୍ବର,ଵିଷ୍ପୁ କହିଲେ ହଉ ହେଲା ବାବା ଆମେ ଯାଉଛୁ କହି ଦୁଇ ଜଣ ଯାକ ଉଭାନ ହୋଇଗଲେ,ଏମିତି ହଠାତ୍ ଦୁଇଜଣ ସୁସ୍ଥ,ସୁନ୍ଦର ମଣିଷ ଉଭାନ ହୋଇଯିବା ଦେଖି ସେ ୱେଟର ସେଵେଠୁ କୋମାରେ ଅଛି, ଘଟଣାର ଗୁରୁତ୍ବ ଦୃଷ୍ଟିରୁ ରାଜ୍ୟ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।
ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯