ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ – କହିଲେ ଏବେ ଡାକବାଲା ବନିଲା ଚଲାବୁଲା କରୁଥିବା ବ୍ୟାଙ୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଲକଟୋରା ଷ୍ଟାଡିଅମ ଠାରେ “ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ” (ଆଇପିପିବି) ଶୁଭାରମ୍ଭ କରିଛନ୍ତି | ଆଇପିପିବିର ଦେଶବ୍ୟାପୀ 650 ଶାଖା 3250 ଏସେସ ପଏଣ୍ଟ ରହିଛି | ଏଗୁଡିକର ମଧ୍ୟ ସମାନାନ୍ତର ଭାବେ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି |

ଏହି ଅବସରରେ ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ | ଆଇପିପିବି ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ, ସେପ୍ଟେମ୍ବର 2018 ଠାରୁ ଦେଶ ଇତିହାସରେ ଏକ ଅଭୂତପୂର୍ବ ସୁବିଧାର ଶୁଭାରମ୍ଭ ହୋଇଛି | ଏହା ସ୍ମରଣୀୟ ହୋଇ ରହିବ | ଏହା ସହିତ ଦେଶବ୍ୟାପୀ ସମସ୍ତ 1.55 ଲକ୍ଷ ଡାକଘର 31 ଡିସେମ୍ବର 2018 ସୁଦ୍ଧା ଆଇପିପିବି ପ୍ରଣାଳୀ ସହିତ ଯୋଡି ହୋଇଯିବେ | ସେ କହିଲେ ଆମ ସରକାର ପୁରୁଣା ବ୍ୟବସ୍ଥା ଗୁଡିକର Reform ଏବଂ perform କରି, ସେଗୁଡିକୁ Transform କରିବା କାମ କରୁଛି |

ପ୍ରଧାନମନ୍ତ୍ରୀ କହିଲେ ଭାରତୀୟ ଡାକ ବିଭାଗ ନିକଟରେ ଦେଢ଼ ଲକ୍ଷ ଡାକଘର ଅଛି | 3 ଲକ୍ଷରୁ ଅଧିକ ପୋଷ୍ଟ ମେନ ଦେଶର ଜନତାଙ୍କ ସହ ଯୋଡି ହୋଇ ରହିଛନ୍ତି | ଏତେ ବଡ଼ ନେଟୱାର୍କକୁ ଟେକ୍ନୋଲୋଜି ସହିତ ଯୋଡି ଏକବିଂଶ ଶତାବ୍ଦୀରେ ସେବାର ସବୁଠାରୁ ଶକ୍ତିଶାଳୀ ସିଷ୍ଟମ ବନାଇବାର କାର୍ଯ୍ୟ ଆମେ କରିଛୁ | ଏବେ ଡାକବାଲା ହାତରେ ସ୍ମାର୍ଟ ଫୋନ ଅଛି ଏବଂ ବ୍ୟାଗରେ ଏକ ଡିଜିଟାଲ ଡିଭାଇସ ମଧ୍ୟ ଅଛି |

ପ୍ରଧାନମନ୍ତ୍ରୀ କହିଲେ, ଆଇପିପିବି କୃଷକମାନଙ୍କ ପାଇଁ ମଧ୍ୟ ବଡ଼ ସୁବିଧା ସାବ୍ୟସ୍ତ ହେବ | ପ୍ରଧାନମନ୍ତ୍ରୀ ଫସଲ ବୀମା ଭଳି ଯୋଜନାକୁ ଏହା ଦ୍ୱାରା ଅଧିକ ସୁବିଧା କରାଯାଇପାରିବ | ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପରେ ଏବେ ଯୋଜନା ଗୁଡିକର କ୍ଲେମ ରାଶି ଘରେ ବସି ମିଳିପାରିବ | ସୁକନ୍ୟା ସମୃଦ୍ଧି ଯୋଜନାରେ କନ୍ୟା ନାମରେ ସଞ୍ଚିତ ରାଶି କ୍ଷେତ୍ରରେ ମଧ୍ୟ ଏହା ସୁଵିଧା ଯୋଗାଇ ଦେବ |

ପ୍ରଧାନମନ୍ତ୍ରୀ କହିଲେ, ଡାକବାଲା ଓ ପୋଷ୍ଟ ଅଫିସ ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ | ଆଜିଠାରୁ ଦେଶରେ “ଡାକିଆ ଡାକ ଲାୟା ସହିତ ଡାକିଆ ବ୍ୟାଙ୍କ ଲାୟା” ବୋଲି ମଧ୍ୟ କୁହାଯିବ | ଆଜି ମଧ୍ୟ ମୋତେ ହଜାର ହଜାର ସଂଖ୍ୟାରେ ଚିଠି ମିଳୁଛି | ମନ କି ବାତ ପାଇଁ ପ୍ରତି ମାସରେ ହଜାର ହଜାର ଚିଠି ଆସୁଛି | ଏହି ଚିଠି ମୋତେ ଲୋକଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ କରାଉଛି |

ପ୍ରଧାନମନ୍ତ୍ରୀ କହିଲେ, ଆଇପିପିବି ଲଞ୍ଚ ହେବା ପରେ ଏବେ ଡାକବାଲା ଚଲାବୁଲା କରୁଥିବା ବ୍ୟାଙ୍କ ପାଲଟିଛି | ସେ କହିଲେ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଦେଶର ଅର୍ଥତନ୍ତ୍ର, ସାମାଜିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି | ଆମ ସରକାର ପୂର୍ବରୁ ଜନଧନ ମାଧ୍ୟମରେ କୋଟିକୋଟି ଗରିବ ପରିବାରଙ୍କୁ ପ୍ରଥମେ ବ୍ୟାଙ୍କ ସହ ଯୋଡିଥିଲା ଏବଂ ଆଜି ସେହି ବ୍ୟାଙ୍କ ହିଁ ଗାଁ ଓ ଗରିବଙ୍କ ଦ୍ୱାର ପାଖରେ ପହଂଚିବାର କାମ ଆରମ୍ଭ କରିଦେଲାଣି |

ପିଏମ ମୋଦି କହିଲେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଦେଶର ପ୍ରତ୍ୟେକ ଗରିବ ପର୍ଯ୍ୟନ୍ତ, ଦେଶର କୋଣେ କୋଣେ, ଦୂର ଦୂରାନ୍ତ ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଘନ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ପର୍ଯ୍ୟନ୍ତ, ଜଣେ ଜଣେ ଭାରତୀୟଙ୍କ ଦ୍ୱାର ମୁହଁରେ ବ୍ୟାଙ୍କିଂ ସୁବିଧାର ମାର୍ଗ ଖୋଲିଯାଇଛି |

ଆଇପିପିବି ସଞ୍ଚୟ ଓ ଚାଲୁ ଜମା ଖାତା, ଅର୍ଥ ହସ୍ତାନ୍ତରଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ବିଲ ପୈଠ ସମେତ ଅନ୍ୟାନ୍ୟ ବାଣିଜ୍ୟିକ ପେମେଣ୍ଟ ସୁବିଧା ଉପଲବ୍ଧ କରାଇବ | ଏହି ସୁବିଧାଗୁଡିକ ଏବଂ ଏହା ସହ ସମ୍ବନ୍ଧିତ ସେବା ବ୍ୟାଙ୍କର ଅତ୍ୟାଧୁନିକ ପ୍ରଦ୍ୟୋଗିକୀ ପ୍ଲାଟଫର୍ମର ଉପଯୋଗ କରାଯାଇ ବହୁ ବିକଳ୍ପ ମାଧ୍ୟମ (କାଉଣ୍ଟର ସେବା, ମାଇକ୍ରୋ ଏଟିଏମ, ମୋବାଇଲ ବ୍ୟାଙ୍କିଂ ଏପ ଏସଏମଏସ ଓ ଆଇବିଆର) ଜରୀଆରେ ଉପଲବ୍ଧ କରାଇବ |

ସୂଚନା ଯୋଗ୍ୟ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଭାରତୀୟ ଡାକ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି | ଏହାଦ୍ୱାରା ସଞ୍ଚୟ ଜମା ଖାତା ସହିତ ଚାଲୁ ଜମା ଖାତା ଖୋଲାଯାଇପାରିବ | ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ କେବଳ ସଞ୍ଚୟ ଜମାଖାତାରେ ଅଧିକ ସୁଧ ଦେବା ସହିତ ଦ୍ୱାର ପାଖରେ ମଧ୍ୟ ବ୍ୟାଙ୍କିଂ ସୁବିଧା ଯୋଗାଇଦେବ | ଏହାର ଅର୍ଥ ହେଲା ଏବେ ଆପଣ ନିଜ ଘରେ ବସି ବ୍ୟାଙ୍କ ଖାତା ଖୋଲିପାରିବେ |