ଆସୁଛି ଆଉ ଏକ ଲଘୁଚାପ : ୧୮ରୁ ପ୍ରବଳ ବର୍ଷା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଜି ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଗତ ୧୪ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଝାଡ଼ଖଣ୍ଡ ଉପରେ ରହିଛି । ଏହାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ । ସେହିପରି ବିକାନିର୍‌ରୁ ଆରମ୍ଭ ହୋଇ ଆଜମେର ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିଥିବା ମନସୁନ୍‌ ଟ୍ରପ୍‌ ଲାଇନ୍‌ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଧୀବରଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତାକାଲି ବର୍ଷା କମିବ । କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହେବ । ତେବେ ଆସନ୍ତା ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ବୋଲି ଡ. ସାହୁ ଆକଳନ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁରଠାରେ ସର୍ବାଧିକ ୨୪୦ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ ହୋଇଛି । ସେହିପରି ଶାଲେଭଟରେ ୧୪୯ ମିଲିମିଟର, ଖଇରମାଳ ଓ ବୌଦ୍ଧରାଜରେ ୧୪୧ ମିଲିମିଟର, ଡୁଙ୍ଗୁରିପାଲିରେ ୧୩୮ ମିଲିମିଟର, ଜମାଦାରପଲିରେ ୧୩୩ ମିଲିମିଟର, କଣ୍ଟାମାଳରେ ୧୩୦ ମିଲିମିଟର, ସୋନପୁରରେ ୧୨୫ ମିଲିମିଟର, ପାଟଣାଗଡ଼ରେ ୧୨୪ ମିଲିମିଟର, ବୁର୍ଲାରେ ୧୧୭ ମିଲିମିଟର, ହୀରାକୁଦରେ ୧୧୦ ମିଲିମିଟର, ସମ୍ବଲପୁରରେ ୧୦୪ ମିଲିମିଟର, ବିନିକା, ବାରକୋଟ ଓ ବାରିପଦାରେ ୧୦୧ ମିଲିମିଟର ଓ ନାକଟିଦେଉଳରେ ୯୮ ମିଲିମିଟର ବର୍ଷା ହୋଇଥିବା ବିଭାଗ ରେକର୍ଡ କରାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା