ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

ଆସିକା(ସମୃଦ୍ଧ ଓଡିଶା)ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ମୋ କଲେଜ ଅଭିଯାନ ତରଫରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆର୍ଥିକ ସ୍ବାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ମହାବିଦ୍ୟାଳୟର ଯୋଗ୍ୟତା ନିରୁପଣ ଉପଦେଷ୍ଟା ଡ. ସନ୍ତୋଷ କୁମାର ଚୌଧୁରୀ ସଭା ସଂଚ଼ାଳନ କରିଥିଲେ। ଏଥିରେ ଆର୍ଥିକ ସ୍ବାକ୍ଷରତା ତଥା ଅନ୍ତର୍ଭୁକ୍ତିକରଣର ପରାମର୍ଶଦାତା ତଥା ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଉପ ସଚିବ ଶ୍ରୀ ହରି ଚ଼ରଣ ମିଶ୍ର, ଭାରତୀୟ ଡ଼ାକ ବିଭାଗର ଅର୍ଥ ପ୍ରଦାନ ପରିଚାଳକ, ଶ୍ରୀ କୃଷ୍ଣଚ଼ନ୍ଦ୍ର ନାୟକ ଏବଂ ଭଂଜନଗର ଉପଖଣ୍ଡର ଅତିରିକ୍ତ ଜିଲ୍ଲା ଅର୍ଥ ପରିଚାଳନା ଓ ସେବା ସଞ୍ଚୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ନାଗରିକ ତଥା ଦେଶର ମେରୁଦଣ୍ଡ ମନେ କରି ଅର୍ଥ ସଞ୍ଚୟର ଭାବନାକୁ ଜାଗ୍ରତ କରିବା ପାଇଁ ଏବଂ କେଉଁ କ୍ଷେତ୍ରରେ ଅର୍ଥ ବିନିଯୋଗ କଲେ ଭବିଷ୍ୟତରେ ସୁରକ୍ଷିତ ରହିପାରିବ ସେ ଉପରେ ଶ୍ରୀ ମିଶ୍ର ନିଜର ମତ ଉପସ୍ଥାପନା କରିଥିଲେ। ଜାତୀୟ ବ୍ୟାଙ୍କ, ଆଂଚଳିକ ବ୍ୟାଙ୍କ, ଭାରତୀୟ ଡ଼ାକ ବିଭାଗ, ସରକାରୀ ସ୍ବୀକୃତୀ ପ୍ରାପ୍ତ ନନ୍-ବ୍ୟାଙ୍କିଙ୍ଗ୍ ସେକ୍ଟର ଗୁଡିକରେ ଟଙ୍କା ଜମାକରିବା ସବୁଠାରୁ ଶ୍ରେୟସ୍କର ହେବ ବୋଲି ସମସ୍ତଙ୍କୁ ସୂଚ଼ାଇ ଥିଲେ ଏବଂ ସଚ଼େତନ କରିଥିଲେ। ଭାରତୀୟ ଡ଼ାକ ବିଭାଗୀୟ ଅର୍ଥ ପ୍ରଦାନ ପରିଚାଳକ ଶ୍ରୀ ନାୟକ ସାଧାରଣ ଜନତା ଯଥା – ଶ୍ରମିକ, କୃଷକ, ଭାଗ ଚାଷୀ, କୁଟିର ଶିଳ୍ପୀ, କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବୀମା ତଥା ସଞ୍ଚୟ କରିବାର ସରଳିକରଣ ତଥା ସରକାରଙ୍କ ତରଫରୁ ଅନେକ ଶୃଙ୍ଖଳାବଦ୍ଧ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ଅଟଳ ପେନସନ୍ ଯୋଜନା ବିଷୟରେ ମଧ୍ୟ ବୁଝାଇ ଥିଲେ। ଭଂଜନଗର ଉପଖଣ୍ଡର ଅତିରିକ୍ତ ଜିଲ୍ଲା ଅର୍ଥ ପରିଚାଳନା ଓ ସେବା ସଞ୍ଚୟ ଅଧିକାରୀ ଶ୍ରୀ ରଥ ସାଇବର କ୍ରାଇମରୁ କିପରି ନିଜକୁ ସରକ୍ଷିତ ମନେ କରିବେ ଓ ବର୍ତ୍ତିପାରିବେ ଏବଂ କେସ୍ ଲେସ୍ ଡିଜିଟାଲ୍ ଟ୍ରାନ୍ଜେକସନ୍ ଟଙ୍କା ନେଣ ଦେଣ ପ୍ରକ୍ରିୟାରେ ସହାୟକ ହେଉଥିବା ପେଟିଏମ୍, ଫୋନ ପେ, ଗୁଗଲ ପେ ଇତ୍ୟାଦି ସଫ୍ଟଓ୍ବେର ଆପ ଗୁଡିକୁ କିପରି ସତର୍କତାର ସହ ଉପଯୋଗ କରି ପାରିବେ, ଏହାର ସବିଶେଷ ବିବରଣୀ ଛାତ୍ରଛାତ୍ରୀମାମଙ୍କୁ ବିଭିନ୍ନ ପ୍ରକାରର ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲେ। ଉକ୍ତ ଶିବିରରେ କଲେଜର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ପରିଶେଷରେ ସଭା ସଂଚାଳକ ଡ. ଚୌଧୂରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ