ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ: କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ସମୃଦ୍ଧଓଡିଶା) ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି । ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ idco ଜରିଆରେ ସମ୍ପାଦିତ ହୋଇଛି। ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ BMC ର mayor ସୁଲୋଚନା ଦାସ, CMOର ମୂଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର