ଆନନ୍ଦାୟନ କାନ୍ୟାଶ୍ରମରେ ଚାଇଲ୍ଡଲାଇନ୍ ପକ୍ଷରୁ ଶିଶୁ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଂଚାୟତର ସରସୀଦାଠାରେ ଥିବା ଆନନ୍ଦ ଦାୟିନୀ କନ୍ୟାଶ୍ରମରେ ଜିଲା ଚାଇଲ୍ଡଲାଇନ୍ ପକ୍ଷରୁ ଶିଶୁ ଦିବସ ପାଳନ ଓ ବାଳିକାମାନଙ୍କୁ ସଚେତନତା ତଥା ବିଭିନ୍ନ ବିଷୟରେ ପ୍ରତିଯୋଗୀତା କରାଯାଇଛି । ଏହି ଅବସରରେ ଜିଲା ଚାଇଲ୍ଡଲାଇନ୍‌ର ମୁଖ୍ୟ ପ୍ରଶାନ୍ତ କୁମାର ରାଉତ ଅଧ୍ୟକ୍ଷତା କରି ଏଥିନେଇ ବାଲେଶ୍ୱର ଜିଲାରେ ବାଲ୍ୟ ବିବାହ ବନ୍ଦ କରିବା, ଶୋଷଣ, ନିର୍ଯ୍ୟାତନା ଇତ୍ୟାଦି ସଂପର୍କରେ କାର୍ଯ୍ୟକରିଥିବାର କେତେକ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା ଯୋଗ ଦେଇ ଶିଶୁ ମାନଙ୍କୁ ନେଇ ବିଭିନ୍ନ ଆଇନ୍ ସଂପର୍କରେ ବର୍ଣ୍ଣନା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଅନ୍ତେବାସୀମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସଂଗଠନର ମୁଖ୍ୟଙ୍କୁ ଜଣାଇବା ଉଚିତ ବୋଲି କହିଥିଲେ । ସାମ୍ବାଦିକ ତଥା ସ୍ତମ୍ବକାର ରାମଚନ୍ଦ୍ର ସିଂହ ଯୋଗ ଦେଇ ଅନ୍ତେବାସୀଙ୍କର ବିଭିନ୍ନ ସମସ୍ୟା ଆଲୋଚନା କରି ସେଠାରେ ରହୁଥିବା ପିତାମାତାହୀନ ଓ ନିସହାୟ କନ୍ୟାମାନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ପ୍ରସ୍ତାବ ରଖିଥିଲେ । ସଂଗଠନର ସଭ୍ୟ କାଳିଚରଣ ଦାସ, ସାମ୍ବାଦିକ ଅବନୀ ଚାନ୍ଦ, ଶିଶୁ ଦିବସର ଉଦ୍ଦେଶ୍ୟ ଏବଂ ପାରିପାଶ୍ୱର୍କ ଅବସ୍ଥାକୁ ଲକ୍ଷ୍ୟକରି ଆଧ୍ୟାତ୍ମିକ ଚିନ୍ତା ଚେତନା ମଧ୍ୟରେ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସଂଗଠନର ପ୍ରତିଷ୍ଠାତା କାଞ୍ଚନ ବାଳା ପରିଡା ୨୦୦୪ ମସିହାରୁ ଏପରି ଏକ ଅନୁଷ୍ଠାନ ଖୋଲି ନିରାଶ୍ରୟ ଝିଅମାନଙ୍କୁ ନେଇ ରକ୍ଷଣାବେକ୍ଷଣ କରିବା ସହିତ ଶିକ୍ଷା ବ୍ୟବସ୍ଥା ଚାଲିଥିବା ସଂପର୍କରେ କହିଥିଲେ । ଏପରି ଅନୁଷ୍ଠାନକୁ ସରକାର ହାତକୁ ନେଇ ଏରି ଝିଅମାନଙ୍କୁ ନୂତନ ରାହାଦେବାରେ ସହାୟକ ହୁଅନ୍ତୁ ବୋଲି କହିଥିଲେ । ଇଂ ବେଦୌନାଥ ପରିଡା ଗ୍ରାମାଞ୍ଚଳର ଏପରି ଏକ ଅନୁଷ୍ଠାନ ଚଳାଇବାର ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ନାଚ, ଗୀତ, ଡ୍ରଇଂ ଇତ୍ୟାଦିରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା