ଆଦିବାସୀ ଅଧ୍ୟୁସିତ ପଟସପୁରରେ ପିଇବା ପାଣିର ସମସ୍ୟା ଉତ୍କଟ-ନଳକୂପର ନାହିଁ ପ୍ଲାଟଫର୍ମ : ଦୁଷିତ ପାଣି ଲୋକଙ୍କ ଭରସା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର କାଳିକ ପଞ୍ଚାୟତରେ ଲୋକଙ୍କ ପିଇବା ପାଣି ସମସ୍ୟା ବଢିବାରେ ଲାଗିଛି । ଆଦିବାସୀ ଅଧ୍ୟୁସିତ ଏହି ପଞ୍ଚାୟତରେ ଆବଶ୍ୟକ ନଳକୂପ ନ ଥିବା ବେଳେ ପିଇବାପାଣି ପ୍ରକଳ୍ପ ଖନନ ନ ହୋଇ ମଧ୍ୟ ୧ଲକ୍ଷ ୯୬ହଜାର ଟଙ୍କାର ବିଲ ହୋଇଥିବାରୁ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି । କାଳିକ ପଞ୍ଚାୟତର ପଟାସପୁର ଏକ ଆଦିବାସୀ ଗ୍ରାମ । ଏଥିରେ ପ୍ରାୟ ୮୦ପରିବାର ବସବାସ କରିଥାନ୍ତି । ଗ୍ରାମରେ ୨ଟି ନଳକୂପ ଖନନ ହୋଇଥିଲେ ମଧ୍ୟ ଏହାର ପ୍ଲାଟଫର୍ମ ନ ଥିବାରୁ ନଳକୂପ ମୂଳରେ ପାଣି ଜମି ରହୁଛି । ସାଲୁବାଲୁ ପୋକ ବଢୁଥିବା ବେଳେ ପାଣିରୁ ଦୁର୍ଗନ୍ଧ ବାହାରୁଛି ବୋଲି ବିନତୀ ବେହେରାଙ୍କ ନେତୃତ୍ୱରେ ବହୁ ଆଦିବାସୀ ମହିଳା ଅଭିଯୋଗ କରିଛନ୍ତି । ବିଶୁଦ୍ଧ ପିଇବା ପାଣି ଲାଗି ନିକଟରେ ଏକ ପାନୀୟ ଜଳପ୍ରକଳ୍ପ ଖନନ ହେବାର ଯୋଜନା ଥିଲେ ମଧ୍ୟ ଅଦ୍ୟାବଧି ତାହା ହୋଇନଥିବାରୁ ଗ୍ରାମବାସୀମାନେ ହଇଜା ଭଳି ରୋଗକୁ ସମ୍ମୁଖୀନ ହେବାକୁ ଯାଉଥିବା ସେମାନେ କହିଛନ୍ତି । ତେଣୁ ଅବିଳମ୍ବେ ଉକ୍ତ ନଳକୂପର ପ୍ଲାଟଫର୍ମ ନିର୍ମାଣ ଓ ପାଣି ବିଶୁଦ୍ଧ କରାଯିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା