ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍କୁଲ ବନ୍ଦ କରିବା ଓ କୃଷକର ସର୍ବନାଶ ପାଇଁ ଉଦ୍ଧିଷ୍ଟ କୃଷି ବିଲ ରଦ୍ଧ ପାଇଁ ଆଦିବାସୀ ଭାରତ ମହାସଭାର ପ୍ରତିବାଦ…

ଭଞ୍ଜନଗର/ଜଗନ୍ନାଥ ପ୍ରଶାଦ (ସମୃଦ୍ଧ ଓଡିଶା) ଆଦିବାସୀ ଅଞ୍ଚଳର ସ୍କୁଲ ବନ୍ଦ କରି ଆଦିବାସୀମାନଙ୍କୁ ମୁର୍ଖ କରିବା ପାଇଁ ଚକ୍ରାନ୍ତ ଓ କୃଷକର ସର୍ବନାଶ ପାଇଁ ଉଦ୍ଧିଷ୍ଟ କୃଷି ବିଲକୁ ରଦ୍ଧ କରିବା ଦାବିରେ ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜଗନ୍ନାଥ ପ୍ରଶାଦ ବ୍ଲକର ପୁଡୁରିଙ୍ଗି, ସଲପତଇଲା, କଷାକେନ୍ଦୁ ଆଦି ଆଦିବାସୀ ଗ୍ରାମରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଆଦିବାସମାରଣ ନୀତି ଆପଣାଇ ଜଳ, ଜଙ୍ଗଲ, ଜମି ହଡପ କରି ଆଦିବାସୀଙ୍କୁ ସର୍ବସ୍ବାନ୍ତ କରି ଚାଲିଥିବା ବେଳେ ଆଦିବାସୀଙ୍କୁ ମୁର୍ଖ କରି ରଖିବା ପାଇଁ ରାଜ୍ୟ ସରକାରଙ୍କ ନୂତନ ଶିକ୍ଷା ନୀତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ କମ୍ପାନୀ ସ୍ବାର୍ଥରେ କୃଷି ବିଲ ଆଣି କୃଷକର ସର୍ବନାଶ କରିବା ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୨୫ ସେପ୍ଟେମ୍ବର ୨୦୨୦ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହାକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା(A.B.M) ନେତୃତ୍ୱରେ ଆଦିବାସୀ ଗ୍ରାମବାସୀମାନେ ଐକ୍ୟବଦ୍ଧ ହୋଇ ବିଲକୁ ରଦ୍ଧ କରିବା ପାଇଁ ଦାବି କରିଥିଲେ । କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋତ୍ସାହନ ଏବଂ ସୁବିଧା ପ୍ରଦାନ ) ବିଧେୟକ -୨୦୨୦, କୃଷକ (ସଶକ୍ତି କରଣ ଏବଂ ସୁରକ୍ଷା) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ବିଧେୟକ -୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ ବିଧେୟକ -୨୦୨୦ ତୁରନ୍ତ ରଦ୍ଧ କରି ଚାଷୀ ଓ ଆଦିବାସୀଙ୍କ ହିତରେ ସରକାର କାମ କରିବା ପାଇଁ ପ୍ରତିବାଦ ସ୍ଥଳରେ ନାରାବାଜି ଦେଇଥିଲେ ।କର୍ପୋରେଟ୍ କମ୍ପାନୀ ହାତରେ କୃଷିକୁ ଟେକି ଦେଶକୁ ବରବାଦ କରିବାକୁ ଆଦିବାସୀ ସମାଜ ଘୋର ପ୍ରତିବାଦ କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫( ସଂଶୋଧନ) ବିଲ ଆଣି ଅତ୍ୟାଵଶ୍ୟକୀୟ ଚାଉଳ, ଗହମ, ଅନ୍ୟାନ୍ୟ ଖାଦ୍ୟ ଶସ୍ୟ, ସମସ୍ତ ପ୍ରକାର ଡାଲି, ତୈଳ ବୀଜ, ଆଳୁ ଏବଂ ପିଆଜ ଆଦି ୨୦ ଟି ଅତ୍ଯାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ଉପରେ କଳା ବଜାରୀ ଏବଂ ମୁନାଫାଖୋରୀ ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ କାରବାର ବୃଦ୍ଧି ପାଇବ I କୋଟି କୋଟି ସାଧାରଣ ଖାଉଟି ସଙ୍କଟ ସମୟରେ ଭୟଙ୍କର ଆର୍ଥିକ ବୋଝ ଏବଂ ବଜାରରେ ଅତ୍ୟାଵଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଜନିତ ଅତି କଠିନ ପରିସ୍ଥିତିକୁ ସାମନା କରିବେ । ବର୍ତ୍ତମାନ ଠାରୁ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବଜାର ବ୍ୟବସ୍ଥା ଉପରେ ସରକାରୀ ନିୟନ୍ତ୍ରଣର ବିଲୋପ ଘଟାଇ ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ ନିୟନ୍ତ୍ରଣ ରହିବ । ମହଙ୍ଗା ଦର ବୋଝରେ ଖାଉଟି ହନ୍ତସନ୍ତ ହେବ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ(MSP)ର ଦାୟିତ୍ୱରୁ ସରକାର ଓହରିବା ଏବଂ କୃଷି ବଜାରର କର୍ପୋରେଟ କରଣ କରିବା, କୃଷି ଉପ୍ତାଦନ ବିପଣନ କମିଟି (APMC)କୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ/ଭାଙ୍ଗି ଦେଇ କର୍ପୋରେଟ ମାନଙ୍କୁ କୃଷି ବଜାରରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି l “କୃଷି ଉପ୍ତାଦନ, କୃଷିଜାତ ଦ୍ରବ୍ୟ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଏବଂ ବିତରଣ ” ରେ କମ୍ପାନୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦିଆଯାଇଛି l ଏହା ଦ୍ୱାରା କୃଷି ମଣ୍ଡିରେ ସାଧାରଣ କୃଷକ ମୁଲଚାଲ କ୍ଷମତା ହରାଇବେ, ଅଘୋଷିତ ଭାବେ ଚାଲିଥିବା ଆଗୁଆ ବାଣିଜ୍ୟ କାରବାରକୁ ଏହି ବ୍ୟବସ୍ଥା ଦ୍ୱାରା ଆଇନ ସମ୍ମତ କରାଯାଇଛି l କମ୍ପାନୀ, ସୁଧଖୋରୀ ବ୍ୟବସାୟୀ ଏବଂ ଦଲାଲ ମାନେ ସକ୍ରିୟତାର ସହିତ ସହଜରେ କୃଷି ବଜାର କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲାଇସେନ୍ସ ଦିଆଯାଇଛି । ସ୍ବାମିନାଥନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ପ୍ରଦାନ କରିବା ବଦଲରେ ମୋଦ ସରକାରଙ୍କ ଜୁମଲା ଏମ ଏସ ପି ପାଇଁ କୃଷକ ମାନଙ୍କୁ ଭୁଆ ବୁଲାଇବା ନୀତି । ଠିକା ଚାଷ ବ୍ୟବସ୍ଥା ପ୍ରବର୍ତ୍ତନ କରି ଭାଗଚାଷୀ ଓ ଆଦିବାସୀଙ୍କ ଜମି ହଡପ ନୀତିକୁ କାର୍ଯ୍ୟକାରୀ କରିବା ମୋଦି ସରକାର ର ଅସଲ ନୀତି ବୋଲି ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ଟୁନା ମଲ୍ଲିକ ବର୍ଣ୍ଣନା କରିଛନ୍ତି । ମୋଦି ସରକାର କର୍ପୋରେଟ ମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି l ଭାରତର ସଂସଦ ଏବଂ କୃଷକ ମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛନ୍ତି l କୃଷକ ମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି ଆଣିଛନ୍ତି । ଆଦିବାସୀ, ଦଳିତ, କୃଷକ, ଶ୍ରମିକ, ଛାତ୍ର, ଯୁବକ, ମହିଳା ଆଦିଙ୍କୁ ଶସ୍ତା ଶ୍ରମିକ କରି କ୍ରୀତଦାସ ସଜାଇବା ପାଇଁ ମୋଦି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଆଦିବାସୀଙ୍କ ପ୍ରିୟ ନେତା ଗୋପାଳ କୃଷ୍ଣ ମଲ୍ଲିକ(କାହ୍ନୁ) ନିଜ ବକ୍ତବ୍ୟରେ ରଖିଥିଲେ । ଟୁନା ମଲ୍ଲିକ, ଗୋପାଳ କୃଷ୍ଣ ମଲ୍ଲିକ, ଭରତ ପ୍ରଧାନ, ବିଷ୍ଣୁ ପ୍ରସାଦ ମଲ୍ଲିକ, ଭଗବାନ ପ୍ରଧାନ, ଅଶୋକ ମଲ୍ଲିକ ଆଦି ଏହି ପ୍ରତିବାଦର ନେତୃତ୍ବ ନେଇଥିଲେ ।