‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’

ଭୁବନେଶ୍ବର(ସମୃଦ୍ଧ ଓଡିଶା)‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଏହି ଲେଖାକୁ ନେଇ ଏବେ ରାଜ୍ୟରେ ଚଳଚଞ୍ଚଳ ରାଜନୀତି I ସମ୍ବାଦରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ସମ୍ପାଦକୀୟ ଲେଖାକୁ ନେଇ ବିଜେଡି ଦଳରେ ହ୍ରୁତ କମ୍ପନ ସୃଷ୍ଟି ହୋଇଛି ଫଳରେ ସାରା ରାଜ୍ୟରେ କୋଣ ଅନୁକୋଣରେ ମଧ୍ୟ ଚର୍ଚ୍ଚା ସରଗରମ ହେବାରେ ଲାଗିଛି I ‘ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ । ମୋର ଦଳ ଛାଡିବାର ନାହିଁ । ମତ କଣ ବଦଳେ ନାହିଁ କି ? ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି ? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି ? ସେମାନେ କଣ ଦଳ ବଦଳାଇ ନାହାନ୍ତି ? ମନ୍ତ୍ରୀଙ୍କ ପରାମର୍ଶ କ’ଣ ବେଦର ଗାର ?’’ ଖଣ୍ଡପଡ଼ାର ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏଭଳି କଡା ପ୍ରତିକ୍ରିୟା ଦେଇ କହିଛନ୍ତି । ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆଜି ସୌମ୍ୟରଂଜନ ‘ସମ୍ବାଦ’ରେ ଦୁଇ ସପ୍ତାହ ପୂର୍ବରୁ ଲେଖିଥିବା ସଂପାଦକୀୟ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ପ୍ରସଙ୍ଗରେ ବୟାନ ଦେଇ କହିଥିଲେ ଯେ ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ପାରିବେ ସେଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି,ତେବେ ଉକ୍ତ ଦଳ ବିରୁଦ୍ଧରେ ବା ସରକାରଙ୍କ ବିରୁଦ୍ଧରେ କି ସରକାରଙ୍କ ନୀତି ବିରୁଦ୍ଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଅମୂଳକ । ଏହାକୁ ବ୍ଲାକମେଲିଂ ବୋଲି କୁହାଯିବ । ସେ ଦଳରୁ ବାହାରି ଯାଇ ସମାଲୋଚନା କରନ୍ତୁ ବୋଲି ପ୍ରତାପ ଦେବ କହିଥିଲେ । କିନ୍ତୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ କହିଥିଲେ ଯେ ମୁଁ ଯେଉଁ ଦଳରେ ଅଛି ସେ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓଡ଼ିଶାରେ ଏଭଳି ରହିଛି, ଦେଶରେ ଆଉ କୌଣସି ଦଳର ନେତାଙ୍କ ଲୋକପ୍ରିୟତା ଏମିତି ନାହିଁ, କି ଅତୀତରେ ନ ଥିଲା କିମ୍ବା ଭବିଷ୍ୟତରେ ବି ମିଳିବ ନାହିଁ I ସେଭଳି ଦଳରେ ମୂଁ ରହିଥିବାରୁ ଗର୍ବ ଅନୁଭବ କରୁଛି I ମୁଁ ବିଜେଡ଼ିକୁ ଭଲ ପାଉଛି I ଦଳର ଦୋଷ ଦୁର୍ବଳତା ସୁଧାରିବାକୁ ଉଦ୍ୟମ କରୁଛି ବୋଲି ସୌମ୍ୟବାବୁ କହିଥିଲେ I ଏହାକୁ ନେଇ ଏବେ ଗାଁରୁ ଧରି ସହର ଯାଏଁ ଚର୍ଚ୍ଚା ଜୋର ଧରିଛି I

ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ