ଆଇନ ସଚେତନତା ନେଇ ଗଞ୍ଜାମ ପୋଲିସ ବିଭାଗର ଦୃଷ୍ଟାନ୍ତମୂଳକ ପଦକ୍ଷେପ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସଚେତନତା ଅଭାବରୁ ଦିନକୁ ଦିନ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି। ଏହି ଅପରାଧ କିପରି ହ୍ରାସ ପାଇବ ତଥା ଲୋକଙ୍କ ମଧ୍ୟରେ ସଚେତନତା ଆସିବ, ସେଇ କଥାକୁ ପାଥେୟ କରି ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଏବେ ସବୁ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଗଞ୍ଜାମ ପୋଲିସ ବିଭାଗ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହି କ୍ରମରେ ଆଜି ସର୍ବ ପ୍ରଥମେ ସରକାରୀ ଉଚ୍ଚ ବିଦ୍ୟାଳୟ, ରମ୍ଭା ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ବେହେରା ତଥା ରମ୍ଭା ଥାନା ସବ ଇନ୍ସପେକ୍ଟର ବିମଳ କଅଁରଙ୍କ ସହଯୋଗରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ମିଶ୍ର ଅଧ୍ୟକ୍ଷତାରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗର ହାତ ବଢାଇଥିଲେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ଦ୍ୱାରା ଅତିଥି ପରିଚୟ ପରେ ଡ଼ିଏସପି ମମତା ନାୟକ ପୋକ୍ସ ଆଇନ ତଥା ଛାତ୍ରଛାତ୍ରୀ ମାନେ ଶିକାର ହେଉଥିବା ଅସଦାଚରଣର ମୁକାବିଲା କିପରି କରିପାରିବେ ସେ ନେଇ ପିଲାମାନଙ୍କୁ ତାଲିମ ଦେଇଥିଲେ। ପରେ ଛତ୍ରପୁର ଏସ୍ଡିପିଓ ଗୌରହରି ସାହୁ ଟ୍ରାଫିକ ଆଇନ ତଥା ହେଲମେଟ ବ୍ୟବହାର ଉପରେ ନିଜର ମନ୍ତବ୍ୟ ରଖି ପିଲାଙ୍କୁ ୧୮ବର୍ଷ ପୂର୍ବରୁ ଗାଡି ନ ଚଲାଇବାକୁ ଉପଦେଶ ଦେଇଥିଲେ। ସେହିପରି ସାଇବର ସେଲର ଏଏସଆଇ କିରଣ ପାତ୍ର ମୋବାଇଲ ହ୍ୟାକିଂ, ସାଇବର ଧୋକା, ଓଟିପି ସେୟାର ନ କରିବା ଆଦି ବିଷୟରେ ପିଲାଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ପରବର୍ତ୍ତୀ ବକ୍ତା ହିସାବରେ ଛତ୍ରପୁର କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ପିଲାମାନଙ୍କୁ ଆଇନ ବିଷୟରେ ସଚେତନ କରିବା ସହ ଭବିଷ୍ୟତରେ କିପରି ଆଇନ ପାଠ ପଢି ତାକୁ ନିଜର ବୃତ୍ତି ହିସାବରେ ରଖି ସଫଳ ପ୍ରୋସେକ୍ୟୁଟର, ମାଜିଷ୍ଟ୍ରେଟ ତଥା ଜଜ ହେଇପାରିବ ସେ ନେଇ ଉଦବୋଧନ ଦେଇଥିଲେ। ସେହିପରି ଖଲ୍ଲିକୋଟ ଫରେଷ୍ଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପରିବେଶ ସଚେତନତା ବାର୍ତ୍ତା ଦେଇଥିଲେ ଓ ସର୍ବଶେଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣିଗାରେଡି, ନଖ ଦର୍ପଣ, ଖଟିଆ ବୁଲା ଆଦି ଉପରେ ପିଲାଙ୍କୁ ସଚେତନ କରିବା ସହ ସବୁ ପିଲାଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେଇ ସମାଜରେ ନାଁ କମେଇବାକୁ ପ୍ରୋତ୍ସାହିତ କରିଥିଲେ। ଗଞ୍ଜାମ ପୋଲିସ ବିଭାଗ ତରଫରୁ ହୋଇଥିବା ଆଜିର ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ଭବିଷ୍ୟତରେ ଏହିଭଳି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଗଞ୍ଜାମ ଜିଲ୍ଲାର ସବୁ ବିଦ୍ୟାଳୟରେ କରାଯିବ ଓ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦିଆଯିବ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା