ଅସହାୟଙ୍କୁ ସାହା ହେଲା “ଟିମ କ୍ଲିନ ସିଟି”: ରାସ୍ତାକଡର ଦୁଇ ଅସହାୟଙ୍କୁ ମିଳିଲା ନୂଆ ଜୀବନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା କଟକଣା ଯୋଗୁଁ ଟିମ କ୍ଲିନ ସିଟି ପକ୍ଷରୁ ବନ୍ଦ ଥିବା ଅସହାୟଙ୍କୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଆଜି ଟିମ ପକ୍ଷରୁ ପ୍ରଥମେ ବ୍ରହ୍ମପୁର ଭିଜିଲାନ୍ସ ଏସ ପିଙ୍କ ସରକାରୀ ବାସଭବନ ସମ୍ମୁଖ ରାସ୍ତା କଡ ନାଳ ପାଖରେ ପଡିଥିବା ଜଣେ ଅସହାୟ ବୃଦ୍ଧଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଏଥିପାଇଁ ଟିମ ପକ୍ଷରୁ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପିଙ୍କ ସହାୟତା ଲୋଡ଼ାଯାଇଥିଲା । ଏବଂ ଉଭୟେ ଏଥିରେ ସହଯୋଗର ହାତ ବଢାଇଥିଲେ । ସେହିଭଳି ଆସ୍କା ରୋଡ ସ୍ଥିତ ଗଙ୍ଗାଧର ନଗର ରାସ୍ତାରେ ଜଣେ ବୃଦ୍ଧା ପଡି ଆହତ ହୋଇଯାଇଥିଲେ । ଏନେଇ ଟିମ ସଦସ୍ୟଙ୍କୁ ସୂଚନା ମିଳିବା ମାତ୍ରେ ଟିମର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଟୋ ଯୋଗେ ନଗର ଚିକିତ୍ସାଳୟକୁ ଆଣିଥିଲେ । ପରେ ତାଙ୍କ ଠାରୁ ତାଙ୍କ ଠିକଣା ଓ ପରିବାର ଲୋକଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ । ପରିବାର ଲୋକଙ୍କ ସହ ଯୋଗାଯୋଗ କରି ତାଙ୍କର ୩ଜଣ ପୁଅଙ୍କ ଖବର ଦିଆଯାଇଥିଲା । ପରେ ସେମାନେ ଆସି ଟିମ ସଦସ୍ୟଙ୍କୁ ହାତଯୋଡି ଧନ୍ୟବାଦ ଦେଇଥିଲେ । ଟିମର ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଟିମର ସଦସ୍ୟମାନେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସହରରେ ବିଭିନ୍ନ ଛକରେ ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଓ ନିୟମିତ ରକ୍ଷଣାବେକ୍ଷଣ, ରାସ୍ତାକଡରେ ପଡି ରହୁଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସହାୟତା ଓ ଆଶ୍ରୟ ପ୍ରଦାନ କରିବା ସହିତ ଜିଲ୍ଲା ତଥା ରାଜ୍ୟ ବାହାରୁ ଟ୍ରେନ ଓ ଟ୍ରକ ଯୋଗେ ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଆଣି ଛଡ଼ାଯାଉଥିବା ଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ପୂର୍ବରୁ ୭୬ଜଣ ଅସହାୟଙ୍କୁ ସହାୟତା ଯୋଗାଇ ଟିମ ସୁନାମ ଅର୍ଜନ କରିଥିବା ବେଳେ ଆଜି ପୁଣି ଦୁଇଜଣଙ୍କୁ ରାସ୍ତାକଡରୁ ଉଠାଇ ସେବା ପ୍ରଦାନ କରି ଏହି ସଂଖ୍ୟାକୁ ୭୮ରେ ପହଞ୍ଚିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା