ଅମିତ ଶାହାଙ୍କ ଓଡିଶା ଗସ୍ତ ପାଇଁ ପ୍ରଚାର ଗାଡି ଶୁଭାରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ଭୋଧିତ କରିବେ । ପ୍ରଚାର ଗାଡି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରେ ଏହି ସନ୍ଦେଶ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଗାଡି ଗୁଡିକ ରାଜଧାନୀର ବିଭିନ୍ନ ୱାର୍ଡ ଗୁଡିକରେ ବୁଲି ପ୍ରଚାର କରିବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ କାର୍ଯ୍ୟାଳୟ ଠାରେ ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି । ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏହି ସଂପର୍କରେ ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସମ୍ଭୋଧିତ କରିବେ । ଏହି ଜନସାମବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ୱାନ ଦେଇଛନ୍ତି । ପ୍ରଚାର ଗାଡି ଶୁଭାରମ୍ଭ ଅବସରରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ମହାପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ବାବୁ ସିଂ, ଇରାଶୀଷ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଜୟନ୍ତ ଜେନାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର