ଅଦ୍ୟାବଧି ଖୋଲି ପାରିନି ଧାନ ମଣ୍ଡି : ୩୦ ହଜାର ଚାଷୀ ଅଭାବୀ ବିକ୍ରିର ଶୀକାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର ବଜାର ନିୟନ୍ତ୍ରୀତ କମିଟି ଅଧିନରେ ଚାଷୀମାନେ ୫.୫ଲକ୍ଷ କ୍ୟୁଣ୍ଟାଲ ଧାନ ବିକ୍ର କରିଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ଧାନମଣ୍ଡି ଖୋଲି ନଥିବାରୁ ପଞ୍ଜିକୃତ ଅଭାବି ଧାନ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ଫଳରେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ସରକାରଙ୍କ ନିତୀ ନିୟମ ଅନୁଯାୟୀ ବଜାର ନିୟନ୍ତ୍ରିତ କମିଟି ଉତ୍ପାଦିତ ଧାନ କିଣି ସରକାରଙ୍କ ଯୋଗାଣ ବିଭାଗକୁ ଦେଇଥାଏ । କିନ୍ତୁ ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଅଭାବ ଯୋଗୁଁ ସେମାନେ ସମବାୟ ସମିତି ଜରିଆରେ ପ୍ରତିବର୍ଷ ଧାନ କ୍ରୟ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସମଗ୍ର ରାଜ୍ୟରେ ସମବାୟ ସମିତିର ସଂପାଦକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବାରୁ ଅଦ୍ୟାବଧି ସମିତି ଜରିଆରେ ଧାନ କ୍ରୟ ହୋଇ ପାରିନାହିଁ । ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି ଅଧିନରେ ଜଳେଶ୍ୱରର ୧୯ଟି, ଭୋଗରାଇର ୧୯ଟି ଓ ବାଲିଆପାଳର ୧୬ଟି ସେବା ସମବାୟ ସମିତି (ପ୍ୟାକ୍ସ) ଜରିଆରେ ଧାନ କ୍ରୟ ହୋଇଥାଏ । କିନ୍ତୁ ଚଳିତବର୍ଷ ସମିତିର ସମ୍ପାଦକମାନେ ଆନ୍ଦୋଳନ ଚଳାଇଥିବାରୁ ଚଳିତବର୍ଷ ଧାନ କ୍ରୟ ହୋଇ ପାରିନାହିଁ । ଜିଲା ପ୍ରଶାସନ ପକ୍ଷରୁ ଏଆର୍‌ସି ନିୟନ୍ତ୍ରିତ ବଜାର କମିଟି ଜରିଆରେ ଆଜି ଧାନ କ୍ରୟ କରିବାକୁ ସଂପାଦକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ୫୪ ଟି ପ୍ୟାକ୍ସ ମଧ୍ୟରୁ ଗୋଟିଏବି ହେଲେ କେଉଁଠାରେ ଧାନ କ୍ରୟ କରାଯାଇ ନାହିଁ । ଆସନ୍ତା ସୋମବାର ପାଖରୁ ଧାନ କ୍ରୟ ହେବ ବୋଲି ଆଜି ସନ୍ଧ୍ୟାରେ ବଜାର ନିୟନ୍ତ୍ରିତ କମିଟିର ସଂପାଦକ ବଳରାମ ଜେନା ସୂଚନା ଦେଇଛନ୍ତି । ଫଳରେ ଗତ ୧୦ ତାରିଖରୁ ପ୍ରତିଦିନ ଯେଉଁ ଚାଷୀମାନେ ଧାନ ମଣ୍ଡିରେ ବିକ୍ରି କରିବାର ଥିଲା ସେମାନେ ତାଙ୍କର ଧାନ ବିକ୍ରି ନେଇ ସନ୍ଧେହ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଗତବର୍ଷ ଯେଉଁମାନଙ୍କ ଏଭଳି ଅବସ୍ଥା ହୋଇଥିଲା ସେମାନେ ବହୁ ଆନ୍ଦୋଳନ ଓ ଦାବି ପରେ ଜିଲାପ୍ରଶାସନ କେତେକ ଚାଷୀଙ୍କ ଠାରୁ ଧାନ କିଣିଥିଲେ । ଅନ୍ୟପକ୍ଷରେ ଗତବର୍ଷ ଉପରୋକ୍ତ ୫୪ଟି ପ୍ୟାକ୍ସ ଜରିଆରେ ବଜାର ନିୟନ୍ତ୍ରିତ କମିଟି ୫.୫ ଲକ୍ଷ କ୍ୟୁଣ୍ଟାଲ ଧାନ କ୍ରୟ କରିଥିବା ବେଳେ ଅଦ୍ୟାବଧି ଆଦୌ କିଣିନଥିବାରୁ ଚାଷୀମାନେ ହରଡଘଣାରେ ପଡିଛନ୍ତି । ସରକାରୀ ଓ ବେସରକାରୀ ଋଣ ସହିତ ସାର ଓ କୀଟମରା ଦୋକାନୀର କରଜ ତଥା ଏବେ ପ୍ରତିକୂଳ ପାଗରେ ଧାନ କାଟି ବୋହି ଅମଳ କରିବାରେ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ଧାନ ବିକ୍ରି କଲେ ଚାଷୀ ଏସବୁ ଋଣ ପରିଶୋଧ କରିବାକୁ ଚାହିଁ ବସିଥିବା ବେଳେ ଧାନମଣ୍ଡି ଖୋଲିନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ବିଭିନ୍ନ ଅସୁବିଧା ଯୋଗୁଁ ଆଜି ଧାନକ୍ରୟ ହୋଇନଥିବାର ସଂପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି । ବିଶେଷତଃ ଡାଟାଏଣ୍ଟି ପ୍ରତିଦିନ, ପ୍ରତିଦିନ ମଣ୍ଡିର ଖର୍ଚ୍ଚ ଏବଂ ମିଲର ଆସିବା ନେଇ ଆସୁବିଧା ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ଶୀଘ୍ର ଧାନ କ୍ରୟର ବ୍ୟବସ୍ଥା ନ କଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସରକାର ଧନକ୍ୟୁଣ୍ଟା ମୂଲ୍ୟ ୧୯୪୦ଟଙ୍କା ରଖିଥିବା ବେଳେ ଖୋଲା ବଜାରରେ ପଶ୍ଚିମବଙ୍ଗଳାର ଧାନ ବ୍ୟବସାୟୀମାନେ କ୍ୟୁଣ୍ଟାଲ ପ୍ରତି ୧୩୪୦ ଟଙ୍କାରେ କିଣୁଥିବାର ଦେଖାଯାଇଛି ।

ରିପୋର୍ଟ : ଭୂପତି ପରିଡା