ଅଦୃଶ୍ୟ ରଙ୍ଗ : ଅଦୃଶ୍ୟ ରଙ୍ଗ

ଝରକା ପାଖରେ ଛିଡା ହେଇ କେତେ କ’ଣ ଭାବି ଚାଲିଥାଏ ଶ୍ରୀୟା । ଏମିତି ଏକ ଦିନରେ ଶୁଭ୍ରଜିତ୍ ତାକୁ ଛାଡି ଚାଲି ଯାଇଥିଲେ। ଶେଷ ଥର ପାଇଁ ସେ ଆଣି ଦେଇଥିବା ଲାଲ୍ ଶାଢୀ ଖଣ୍ଡକ ଯେମିତି ସେମିତି ଥୁଆ ହେଇଚି। ତାକୁ ପିନ୍ଧିବାକୁ ତା’ର ଭାଗ୍ଯ କାହିଁ ! କେତେବେଳେ କେମିତି ଆଲମାରୀ ଖୋଲି କେବଳ ଦେଖେ । ପୁଣି ଚଉତି ରଖି ଦିଏ ।

ପଛପଟୁ କାହାର ହାତ ସ୍ପର୍ଶରେ ହଠାତ୍ ଚମକି ପଡିଲା ସେ ।

–” ଆରେ ଛାଡ..ଛାଡ ନା..ଛାଡ”.. ଛାଡ ମତେ..”
ନିଜକୁ ମୁକୁଳେଇବାକୁ ଚେଷ୍ଟା କରୁଥିଲା ଶ୍ରୀୟା।
–” ଦେଖ ସମ୍ବିତ୍,ମତେ ଏ ସବୁ ଜମା ଭଲ ଲାଗେନି କହୁଚି ।”

ସମ୍ବିତ୍ କି ଛାଡିବା ମଣିଷ…ଶ୍ରୀୟା ମୁହଁରେ ଫଗୁ ମୁଠେ ବୋଳିବାର ଚେଷ୍ଟା । ଏମିତି ଏକ ସୁଯୋଗକୁ ତ’ ଅପେକ୍ଷା କରିଥିଲା ସେ କୋଉ ଦିନରୁ।

–“ଦେଖ ସମ୍ବିତ୍..ମତେ ରଗାଅନି..ନ’ ହେଲେ ଦେଖିବ ।”
ଶ୍ରୀୟା ଉତ୍ତେଜିତ ହେବାର ଦେଖି ସମ୍ବିତ୍ ଟିକିଏ ସଂଯତ ହେଇଗଲା ।

ସେ ପଟ ଚାଳିଆ ପାଖରୁ ଶାଶୂଙ୍କର କର୍କଶ ସ୍ବର ଶୁଣା ଗଲା ।
–” କଣ ହେଲା କି ଶ୍ରୀ..କାଇଁ ପାଟି କରୁଚୁ?
ରୋଷେଇ ସରିଲା ?”…

–” ନା ମ’ କିଛି ନୁହେ ମା’ । ହଁ, ହଁ ରୋଷେଇ ସରିବା ଉପରେ ।”
କଥା ବାଆଁରେଇଲା ଶ୍ରୀୟା ଅତି ଚତୁରତାର ସହ। ନ ହେଲେ ଶାଶୂ ଏ କଥା ଜାଣିଲେ ଘର ଉପର ତଳ କରି ଦେବେ ।

    ମା’ଙ୍କ ପାଟି ଶୁଣି ସମ୍ବିତ୍, ଶ୍ରୀୟାଠାରୁ ଟିକିଏ ଦୂରେଇ ଯିବାକୁ ଚେଷ୍ଟା କରିବା ସମୟରେ ମୁଠେଇ ଧରିଥିବା ଫଗୁଗୁଡାକ ବିଞ୍ଛି ହେଇଗଲା ଶ୍ରୀୟା ଉପରେ ।

କ୍ରୋଧ ସମ୍ବରଣ କରି ନ’ ପାରି ଠୋ କରି ଚାପୁଡାଟିଏ ମାରିଲା ସମ୍ବିତର ଗାଲ ଉପରେ ଶ୍ରୀୟା ।
ଆଉ ରାଗ ତମ୍ ତମ୍ ହୋଇ କହିଲା–
–” ତମେ ମତେ ଆଉ କି ରଙ୍ଗ ଦେବ କୁହତ ସମ୍ବିତ୍..କଣ କରୁଚ ଏ ସବୁ ? ଏ ସବୁ ପାପ ବୁଝିଲ ।”

ଆଖି ଲୁହୁକୁ ଲୁଗା କାନି କି ବାନ୍ଧି ରଖିପାରେ ଯେ। ସେମିତି ବହି ଚାଲିଥାଆନ୍ତି ଦୁଇ ଆଖିରୁ ।
ଆଜି କ’ଣ ହେଇଚି ସମ୍ବିତର । ଆଗରୁ ତ’ ଏମିତି କେବେ..

ସମ୍ବିତ୍ ତଳ ମୁହାଁ ହୋଇ ସେମିତି ଛିଡା ହୋଇ ଥାଏ । ଭୟ, ଲଜ୍ଯା ଆଉ ଆତ୍ମଗ୍ଳାନିରେ ।

ଶ୍ରୀୟା ଆବେଗ ଆଉ ଭାବବିହ୍ବଳ ସ୍ବରରେ ପୁଣି କହିଲା–
–“ଦେଖୁଚ..ଦେଖି ପାରୁଚ ତ’..ମୋର ଏଇ ଶୁଭ୍ର ବସ୍ତ୍ର ? ତୁମ ଭାଇ ମତେ କେମିତି ସାତ ରଙ୍ଗରେ ଜଡେଇ ଦେଇ ଚାଲି ଯାଇଚନ୍ତି ଦେଖୁଚ ତ’ ?…ଦିନେ କି ଦି’ ଦିନ ପାଇଁ ନୁହେଁ..ସାରା ଜୀବନ ପାଇଁ..ଦେଖ ଦେଖ ଭଲଭାବେ ଦେଖ ।”

ଅମାନିଆ ଲୁହ ସବୁ ଆଖିର ବନ୍ଧ ବାଡ ଡେଇଁ ମୁକୁଳିବାକୁ ଚେଷ୍ଟା କରୁଥାଆନ୍ତି ।

ସମ୍ବିତ୍ ମଧ୍ଯ ଶ୍ରୀୟାର ଦି’ ଗୋଡକୁ ଜାବୁଡି ଧରି ଭୋଭୋ କାନ୍ଦିବାକୁ ଲାଗିଲା ।

–“ମତେ କ୍ଷମାକର ଭାଉଜ..ତମ ପ୍ରତି ଥିବା ମୋର ସମ୍ମାନ କାଠି, କୂଟା ପରି ଏତେ ହାଲୁକା ନୁହେଁ ଭାଉଜ.. କେବଳ ଯାହା…..”

ଶ୍ରୀୟା ଆଖିରୁ ନିଗିଡି ପଡୁଥିବା ଲୁହଗୁଡାକ ସମ୍ବିତର ମଥା ଉପରେ ପଡି ତାର ସମସ୍ତ ପାପ ଭାବନାକୁ ଧୋଇ ଦେଉଥାଆନ୍ତି ଯେମିତି। ଦୁନିଆ ଯାହାକୁ କି ପାପ ଆଖ୍ଯା ଦେଇଥାଏ ।

ସତରେ,ଏହା କଣ ପାପ ? ମନେ ମନେ ଭାବୁଥାଏ ସମ୍ବିତ୍ । ଯଦି ହଁ, ତା ହେଲେ ସେ ପ୍ରାୟଶ୍ଚିତ କରିବାକୁ ପ୍ରସ୍ତୁତ ଅଛି।

ସମ୍ବିତ୍ ଗଦ୍ ଗଦ୍ ସ୍ବରରେ କହିଲା–
–” ମତେ କ୍ଷମା କରିବ ଭାଉଜ….ଖାଲି ଯାହା ତମ ଦୁଃଖକୁ ଦେଖି ଭାବିଥିଲି… ନ ହେଲେ ଅନ୍ଯ କିଛି ନୁହେଁ ଭାଉଜ । ମତେ ତମେ ଭୁଲ ବୁଝିବନି ମୁଁ ଜାଣେ ।”

ସମ୍ବିତ୍ ଲୁଚେଇ ଧରିଥିବା ସିନ୍ଦୂର ଫରୁଆଟା ହାତରୁ କେତେବେଳେ ଖସି ପଡି ଗଡିଗଡି ଯାଉଥିବା ସମୟରେ ଶ୍ରୀୟାର ଟିକି ନଣନ୍ଦ ଉଠେଇ ନେଲା । ଶାଶୂଙ୍କ ହାବୁଡେ ପଡିବା ପୂର୍ବରୁ ।
**
ଲେଖିକା : ବିରଜା ମୋହିନୀ ତ୍ରିପାଠୀ , ସମ୍ବଲପୁର