ଅତରସିଂରେ ଜିଲାପାଳ ଓ ଆରକ୍ଷୀ ଅଧକ୍ଷ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଅତରସିଂ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଆସିଥିବା ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୯୩ ଗୋଟି ଅଭିଯୋଗ ଦରଖାସ୍ତ ଆସିଥିଲା । ସେଥିମଧ୍ୟରୁ ୬୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୬ଟି ଗ୍ରାମ ସମସ୍ୟା ସମ୍ଭନ୍ଧୀୟ ଅଭିଯୋଗର ଦରଖାସ୍ତ ଆସିଥିଲା । ଆସିଥିବା ସମସ୍ତ ଅଭିଯୋଗ ଦରଖାସ୍ତ ଗୁଡିକ ମଧ୍ୟରୁ କେବଳ ୧୭ ଗୋଟି ଅଭିଯୋଗର କାର୍ଯ୍ୟକ୍ରମ ସ୍ଥଳରେ ହିଁ ଜନ-ଶୁଣାଣୀର ତ୍ୱରିତ ସମାଧାନ କରାଯାଇଥିଲା । ଅନ୍ୟ ସବୁ ଅଭିଯୋଗ ଗୁଡିକ ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉଚିତ ତଦନ୍ତ କରି ସେଠିର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଜଣକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୮ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ଜଣକୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆ ଯାଇଥିଲା । ଏହି ଅବସରରେ ବି ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ସୁସ୍ଥ ସ୍ୱାସ୍ଥ୍ୟ ଓ ବିଭିନ୍ନ ରୋଗର ନିରାକରଣ ଉପରେ ସଚେତନତା ମୂଳକ ବ୍ୟାନର ଓ ପୋଷ୍ଟର ସବୁ ପ୍ରଦର୍ଶନ କରାଯାଇଥିଲା । ବ୍ଲକର ଆଇସିଡିଏସ ପକ୍ଷରୁ ମଧ୍ୟ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନ କରାଯାଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ସରପଞ୍ଚ, ସମିତିସଭ୍ୟ, ବ୍ଲକ ବିଡ଼ିଓଙ୍କ ସମେତ ବହୁ ସଂଖ୍ୟାରେ ପଞ୍ଚାୟତ ଅଞ୍ଚଳବାସୀ ଯୋଗ ଦେଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା