ଅଜଣା କିଡ୍ନି ରୋଗରେ ଆର୍ଜିପଲ୍ଲୀ ପଞ୍ଚାୟତରେ ପୁଣି ଜଣେ ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅଜଣା କିଡ୍ନି ରୋଗରେ ଆଉ ଜଣଙ୍କ ମୃତ ଘଟିଥିବା ଜଣାପଡିଛି । ଗୋଟେ ପରେ ଗୋଟେ ଏହି କିଡ୍ନି ବିମାରିରେ ନିରୀହ ଲୋକଙ୍କ ସଂସାର ଉଜୁଡ଼ିବାରେ ଲାଗିଛି ହେଲେ ପ୍ରଶାସନର ଟିକେ ହେଲେ ନିଦ ଭାଙ୍ଗୁ ନାହିଁ ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଯୁବ ବସ୍ଥାରେ ପୁଅ ରୋଜଗାର କ୍ଷମ ହୋଇ ଘରକୁ ଚଳାଇବେ ବୋଲି ମା ବାପା ଅନ୍ୟ ଭଳି ଅନେକ ଆଶା ଭରସା କରିଥିଲେ ହେଲେ ନିୟତିରେ କିଛି ଅଲଗା ଲେଖା ହୋଇଥିଲା । ଯେଉଁ ପୁଅ ମା ବାପାର ସେବା କରିବା କଥା ମା ବାପା ଦୀର୍ଘ ଦିନ ଧରି ସେହି ପୁଅର ଏହି ଅଜଣା କିଡ୍ନି ବିମାରିର ସେବାରେ ଲାଗିପଡିଥିଲେ ହେଲେ ଗତ ରବିବାର ଦିନ ଲକ୍ଷ୍ମଣ ସେଠି (ପିଣ୍ଡୁ ) ୨୫ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ପିଣ୍ଡୁ ଗୋଟେ ବୋଲି ପୁଅ ଥିଲା । ପୁଅ ମରିବା କଥାକୁ ପାସୁରି ପାରୁ ନାହାନ୍ତି ପିତା ମାତା । ଝୁରି ଝୁରି ଆଖିର ଲୁହ ସୁଖୁ ନି କି ପୁଅକୁ ଭୂଲି ପାରୁନାହାନ୍ତି । ଏହା ସାରା ଆର୍ଜିପଲ୍ଲୀ ପଞ୍ଚାୟତର ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଏହି କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଆଖପାଖ ପଞ୍ଚାୟତରେ ୧୮୦ରୁ ଉର୍ଦ୍ଧ ଲୋକଙ୍କ କ୍ରମାଗତ ଜୀବନ ଗଲାଣି ୩୦୦ରୁ ଉର୍ଦ୍ଧ ଲୋକ ବର୍ତ୍ତମାନ ରୋଗରେ ଜର୍ଜରିତ ହୋଇ ଅଛନ୍ତି । ଆର୍ଜିପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ ଲକ୍ଷ୍ମୀ କହିବା ଅନୁଯାୟୀ ପୂର୍ବରୁ ଗ୍ରାମରେ ଏଭଳି କୌଣସି ରୋଗରେ ଲୋକେ ମରୁନ ଥିଲେ । ଯେଉଁଦିନ ଠାରୁ ଆଇଆରଇ କମ୍ପାନୀ ପରିସରରେ ମୋନାଜାଇଟ୍ ପ୍ରୋସେସିଙ୍ଗ ପ୍ଲାଟଟି ସ୍ଥାପନ ହୋଇଛି ତାପର ଠାରୁ ଆମ ଅଞ୍ଚଳ ଓ ଆଖପାଖ ପଞ୍ଚାୟତର ଗ୍ରାମରେ କିଡ୍ନି ରୋଗ ଭଳି ଏକ ମହାମାରି ବଢିଚାଲିଛି ତାହା ସହିତ ଚର୍ମରୋଗ ଓ ପାରାଲେସିସ୍ ରୋଗ ମଧ୍ୟ ବହୁଳ ଭାବେ ଦେଖିବାକୁ ମିଳୁଛି ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଏ କଥା ଆମେ ଆଇଆରଇ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ତତ୍ପରତା ଦେଖିବାକୁ ମିଳୁନି ଏହା ଦୁଃଖର ବିଷୟ ଏ ରୋଗ ଦିନକୁ ଦିନ ଗାଁରେ ବଢିବାର ଲାଗିଛି ଯଦି ଆଇଆରଇ କିମ୍ବା ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଆଗାମୀ ସମୟରେ ଏକ ବଡ ଧରଣର ସଂଘର୍ଷ ହେବ ବୋଲି କ୍ଷୋଭ ପ୍ରକାଶ କରି ଜଣାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଘଟଣାକୁ ନେଇ ବିଭିନ୍ନ ସଂଗଠନ ସହ ଗ୍ରୀନ୍ ନୋବେଲ ବିଜେତା ପରିବେଶବିତ୍ତ ପ୍ରଫୁଲ ସାମନ୍ତରା ମଧ୍ୟ ଆପତ୍ତି ଅଭିଯୋଗ ଆଣି ମନାଜାଇଟ କମ୍ପାନୀକୁ ଦାୟୀ କରିଛନ୍ତି । ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ଆବାହକ ଗୁରୁଦେବ ବେହେରା ମଧ୍ୟ ପ୍ରଶାସନର ନିରବତା ଓ କମ୍ପାନୀ ଦଲାଲଙ୍କ ମଧୁଚନ୍ଦ୍ରିକ ଲାଗି ଆଜି ଏ ଅଞ୍ଚଳରେ ଗୋଟେ ପରେ ଗୋଟେ ନିରିହ ଜୀବନ ଉଜୁଡ଼ିବାରେ ଲାଗିଛି ବୋଲି କହିଛନ୍ତି । ଆଗକୁ ଦେଖାଯାଉ ପ୍ରଶାସନର ନିରବତା ନିଦ ଭାଙ୍ଗୁଛି ନା ଆଉରି ଏହି ଅଜଣା କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ସାଧାରଣ ଗ୍ରାମବାସୀଙ୍କ ଜୀବନ ଉଜୁଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି ।

ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା