ବି.ବି.ହାଇସ୍କୁଲ ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ ଓ ସମସ୍ତ ସାରସ୍ୱତ ଅନୁଷ୍ଠାନ ଗୁଡିକର ମିଳିତ ଆନୁକୂଲ୍ୟରେ ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜନ୍ମ ଜୟନ୍ତୀ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ବିଦ୍ୟାଳୟର ଦାୟିତ୍ବରେ ଥିବା ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳର ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଯୋଗଦାନ କରି ସମର କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ କବିଙ୍କ ନାମରେ ନାମିତ ହୋଇଥିବାରୁ ଓ ସେହି ବିଦ୍ୟାଳୟରେ ଆଜି ଉପସ୍ଥିତ ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି ବୋଲି ଦୃଢୋକ୍ତି ପ୍ରକାଶ କରି ସେହି କାଳଜୟୀ ସାରସ୍ୱତ ସାଧକ ସମର କବି ବ୍ରଜନାଥ ବଡ଼ଜେନା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଏକ ଅମ୍ଳାନ ଜ୍ୟୋତିଷ୍କ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶତାୟୁ ଅନୁଷ୍ଠାନର ସହକାରୀ ଶିକ୍ଷକ, କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାହିତ୍ୟ ଓ ସାରସ୍ୱତ ଅନୁଷ୍ଠାନମାନଙ୍କ ପକ୍ଷରୁ ଯୋଗଦାନ କରିଥିବା ସମସ୍ତ ସୁଧୀବୃନ୍ଦଙ୍କୁ ସ୍ୱାଗତ କରିଥିଲେ । ସେ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା କରିବା ସଙ୍ଗେ ସଙ୍ଗେ ‘ବ୍ରଜନାଥ ସ୍ମରଣେ’ ଶୀର୍ଷକ ଶାଣିତ, ବ୍ୟଙ୍ଗାତ୍ମକ ହୃଦୟସ୍ପର୍ଶୀ କବିତାଟିଏ ପାଠ କରି ସାମ୍ପ୍ରତିକ ପରିସ୍ଥିତିରେ ବ୍ରଜନାଥଙ୍କ ପ୍ରାସଙ୍ଗିକତା ସମ୍ପର୍କରେ ସୁବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ ମଧ୍ୟ ଷୋଡ଼ଶ ଶତାବ୍ଦୀର ମହାନ୍ ସାରସ୍ଵତ ସାଧକ ରଘୁ ଅରକ୍ଷିତଙ୍କ ସୁଯୋଗ୍ୟ ଦାୟାଦ ବ୍ରଜନାଥଙ୍କ ” ଅମ୍ବିକା ବିଳାସ”,”ଚତୁର ବିନୋଦ”, “ସମର ତରଙ୍ଗ”, “ବିଚକ୍ଷଣା”,”ଗୁଣ୍ଡିଚା ବିଜେ”, “ଗୋପୀ ବିଳାପ”, “କେଳି କଳାନିଧି”, “ରାଜ୍ୟସଭା”, ଜଣାଣ ଓ ସଙ୍ଗୀତ”, ବିଦେଶ ଅନୁଚିନ୍ତା” ଆଦି ଅନେକ ସୃଷ୍ଟି ବାସ୍ତବରେ କାଳଜୟୀ ବୋଲି ଦୃଢ଼ ମତପୋଷଣ କରିଥିଲେ । ଭାବରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଡ଼ଃ ପୁଷ୍ପଲତା ରଥ ହାଇସ୍କୁଲ ପାଠ୍ୟପୁସ୍ତକରେ ବ୍ରଜନାଥଙ୍କ ଲେଖା ସନ୍ନିବେଶିତ କରିବାକୁ ସମସ୍ତଙ୍କର ସହିତ ସମ୍ମିଳିତ ଭାବରେ ଦୃଢ଼ ଦାବୀ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ । ସେ ମଧ୍ୟ ଆହୁରି କହିଥିଲେ ଯେ ଅତୀତରେ ଦେଶ ବିଦେଶରେ ଅସଂଖ୍ୟ ସମର ବା ଯୁଦ୍ଧର କାହାଣୀରେ ଇତିହାସ ରୁଦ୍ଧିମନ୍ତ ସତ୍ୟ ମାତ୍ର, ଦେଶ ଓ ଜାତିର ସମସାମୟିକ ଯୁଦ୍ଧ-ବିଗ୍ରହର ଘଟଣାକୁ ଉପଜିଵ୍ୟ କରି କାବ୍ୟ ରଚନା କରି “ସମର ତରଙ୍ଗ”ର ସେ ଯେଭଳି ଲେଖି ଯାଇଛନ୍ତି, ସେହିପରି ପ୍ରାଚୀନ ସାହିତ୍ୟରେ ବିରଳ ଗଦ୍ୟ ଗ୍ରନ୍ଥ “ଚତୁର ବିନୋଦ” ସୃଷ୍ଟି କରି ସ୍ଵକୀୟ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି ବୋଲି ଦୃଢ଼ ମତପୋଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ପ୍ରାଚୀନ ଗଦ୍ୟ ସାହିତ୍ୟର ଗର୍ଭାନୁଶୀଳନ କଲେ ଅତୁଳନୀୟ ମହାନ୍ ସାରସ୍ଵତ ସାଧକ ବଡ଼ଜେନାଙ୍କ ସାମୁହିକ ସୃଷ୍ଟି, ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାରର କାଳଜୟୀ ଅମ୍ଲାନ ଅମୃତ ପଣ୍ୟ, ତାହା ବର୍ତମାନର ପିଢ଼ିଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ ନିଶ୍ଚିତ ଏବଂ ଏହା ମଧ୍ୟ ପ୍ରମାଣିତ କରିଦିଏ ଯେ କବି ଦୀନକୃଷ୍ଣଙ୍କ ପରି ବଡ଼ଜେନା ପ୍ରଭୃତିଙ୍କ”କଲମ” ବଜାରର ନୁହେଁ ପଣ୍ୟ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ଵୀୟ ବକ୍ତବ୍ୟରେ ଅସାଧାରଣ ପ୍ରତିଭାସମ୍ପନ୍ନ, ଅଦ୍ଭୁତ ଶଦ୍ଦ ଶୈଳୀ ଚୟନ, ନିର୍ଭୀକ, ନିର୍ଲୋଭୀ ବଡ଼ଜେନା ସ୍ଵକୀୟ ଲେଖନୀ ଚାଳନା କରି ଅଢେ଼ଇ ଶହ ବର୍ଷ ତଳେ ଓଡିଆ ସାରସ୍ଵତ କ୍ଷେତ୍ରରେ ନୂତନ ସରସତା ସୃଷ୍ଟି କରି ଯାଇଛନ୍ତି ବୋଲି ଦୃଢ଼ ମତପୋଷଣ କରିଥିଲେ । ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ମାଟିର ଏହି ସୁଯୋଗ୍ୟ ସନ୍ତାନ ” ରାଜନଙ୍କୁ ଛଳୋକ୍ତି” ଶୀର୍ଷକରେ ବ୍ୟଙ୍ଗ ବିଦ୍ରୁପ ଲେଖା ଲେଖିବା ଦଣ୍ଡରେ ରାଜଦଣ୍ଡ ନିର୍ବାସିତ ହୋଇ କେନ୍ଦୁଝର ରାଜାଙ୍କ ଆଶ୍ରମରେ ଥିବା ସମୟରେ “ଅମ୍ବିକା ବିଳାସ”, ଯାହା”ଅ” ଅକ୍ଷର ନିୟମରେ ରଚନା କରିଥିଲେ, ତାହା ଓଡ଼ିଆ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ସମ୍ପଦ ବୋଲି ମତପ୍ରକାଶ କରିଥିଲେ । ଏହି ଶତାୟୁ ବିଦ୍ୟାଳୟର ଅନ୍ୟତମ ଛାତ୍ର,ଅନ୍ୟତମ ଯୁବ ସାହିତ୍ୟିକ, ସଂଗଠକ ତଥା ନାଟ୍ୟକାର ଇଂ ମାନସ କୁମାର ନନ୍ଦ ସମ୍ମାନିତ ଅତିଥି ଭାବରେ ସ୍ଵୀୟ ଅଭିଭାଷଣରେ ବ୍ରଜନାଥଙ୍କ କୃତ ‘ଅମ୍ବିକା ବିଳାସ’ ଯେଉଁଥିରେ ଶିବ-ପାର୍ବତୀଙ୍କ ଵିଵାହ ପ୍ରସଙ୍ଗକୁ ରୀତିଯୁଗର ଆଳଙ୍କାରିକ କାବ୍ୟ ଶୈଳୀର ପରିଚର୍ଯ୍ୟା ଅତି ସୁନ୍ଦର ଭାବରେ ପ୍ରତିଫଳିତ । ତାଙ୍କ “ଶ୍ୟାମରାସୋତ୍ସବ” ଏକ କାଳଜୟୀ ସୃଷ୍ଟି ବୋଲି ନିଜର ଅଭିମତ ଉପସ୍ଥାପନ କରିଥିଲେ । ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ ବ୍ରଜନାଥ ବଡ଼ଜେନାଙ୍କ ସାମଗ୍ରିକ ସାହିତ୍ୟକୃତି ଗୁଡିକୁ ଅନୁଶୀଳନ କରି ବ୍ରଜନାଥଙ୍କୁ ‘କବି ଚକ୍ରବର୍ତ୍ତୀ’ ଉପାଧିରେ ଭୂଷିତ କରିବାକୁ ଦୃଢ଼ ଆହ୍ୱାନ ଜଣାଇ ଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁସାହିତ୍ୟିକ ତଥା ଯୁବ ସଂଗଠକ କବି ଅବନୀ କୁମାର ମିଶ୍ର ଅନ୍ୟତମ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାର୍ମିକ ଓଡ଼ିଆ ଗଦ୍ୟ ରଚନାର ନିଦର୍ଶନ ରୂପେ” ଚତୁର ବିନୋଦ”ର ସାହିତ୍ୟିକ ମୂଲ୍ୟ ଯେ କଳନା କରିବାର ପ୍ରଜ୍ଞାଯେ ଆମ ନିକଟରେ ନାହିଁ, ତାହା ସ୍ବୀକାର ପୂର୍ବକ ଏହି ମହାନ କାଳଜୟୀ ସାରସ୍ଵତ ସ୍ରଷ୍ଟାଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ସେ ଓ ଉପସ୍ଥିତ ସମସ୍ତେ କୋଟି କୋଟି ପ୍ରଣାମ ଜଣାଇଥିଲେ । ଶତାୟୁ ଅନୁଷ୍ଠାନର ଶିକ୍ଷୟିତ୍ରୀ ବବିତା ଲେଙ୍କା ସ୍ଵୀୟ ବକ୍ତବ୍ୟରେ ସମର କବିଙ୍କ ଅନ୍ୟତମ କୃତିରୁ ବଛା ବଛା କିଛି ଅଂଶ ଉଚ୍ଚ ବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ ସାମିଲ କରିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦାୟିତ୍ବରେ ଥିବା ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ରଶ୍ମୀ ହୋତା, କଳ୍ପନା ବାରିକ, ବବିତା ଲେଙ୍କା, ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବବିତା ଦାସ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଜୟନ୍ତୀର ଆବାହକ ଡା. ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ ସଭା ସାଙ୍ଗ ହୋଇଥିଲା ।