କଳାକାର ମହାମଞ୍ଚ ପକ୍ଷରୁ ଶିଳ୍ପୀ ସମ୍ବର୍ଦ୍ଧନା ଓ ଓଡ଼ିଆ ନବ ବର୍ଷ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଶିଳ୍ପୀ ସମ୍ବର୍ଦ୍ଧନା ଓ ଓଡ଼ିଆ ନବ ବର୍ଷ ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜାତୀୟ ସଙ୍ଗୀତ କାଳକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ମଞ୍ଚଜ୍ୟୋତି, ଶିଳାପଦ୍ମ, ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପ୍ରମୁଖ ଅନୁଷ୍ଠାନ ପ୍ରଶାସନିକ କରୋନା କଟକଣା ଘେନି ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ସ୍ତରୀୟ ସମ୍ମିଳିତ ହୋଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ମଞ୍ଚ କଳାକାର ଦଳେଶ୍ ଚନ୍ଦ୍ର ପ୍ରଧାନ, ନୃତ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ମାମା, ସୁନାମଧନ୍ୟ ହାସ୍ୟ ଅଭିନେତା ନୀଳାମ୍ବର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତିର ମାହାତ୍ମ୍ୟ ଉପସ୍ଥାପନ ସହିତ ସଂଘର କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶିଲାପଦ୍ମ ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ପକ୍ଷରୁ ଲୋକନାଟ୍ୟ ଦାସକାଠିଆ ଗାୟକ ସାରଥୀ ପଣ୍ଡା ଓ ଭଗବାନ ପାତ୍ର, ପାଳିଆ ଉଲ୍ଲାସ ପଣ୍ଡା ଓ ପ୍ରଦୀପ କୁମାର ସାହୁ, କଣ୍ଠଶିଳ୍ପୀ ବୃନ୍ଦାବନ ସାହୁ ଏବଂ ନୃତ୍ୟଶିଳ୍ପୀ ସୁଶ୍ରୀ ବିଜୟଲକ୍ଷ୍ମୀ ପାଢ଼ୀ ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର ଉପଢୌକନ ପ୍ରଦାନ ସହ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସଂଘ କୋଷାଧ୍ୟକ୍ଷ ବଳଦେବ ସାହୁ ଅତିଥି ପରିଚୟ, କଣ୍ଠଶିଳ୍ପୀ ଅନୁରାଧା ପାଣି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଛଳରେ ସଭିଙ୍କୁ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଜଗତ କଲ୍ୟାଣ କାମନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ବିଜୟଲକ୍ଷ୍ମୀଙ୍କ ଦେଶାତ୍ମବୋଧକ ନୃତ୍ୟ ଏବଂ ଭଗବାନ ପାତ୍ର ଓ ସାଥୀଙ୍କ ଦ୍ଵାରା ଦାସକାଠିଆ ମାଧ୍ୟମରେ ସେତୁବନ୍ଧ ପ୍ରତିଷ୍ଠା ପରିବେଷଣ ଉତ୍ସବଟିର ଶୋଭା ବିବର୍ଦ୍ଧନରେ ବିଶେଷ ସହାୟତା କରିଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କିଶୋର କପୂର୍, ମହେନ୍ଦ୍ର ସାହୁ, ବାପୀନି ପାତ୍ର, ନୀଳମାଧବ ଜେନା, ଲକ୍ଷ୍ମୀ ନାରାୟଣ ସାମଲ, ସଂଜ୍ଞା ସମାହିତ ପାଢ଼ୀ, ମାମିନା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ କଳା କେନ୍ଦ୍ର ସମ୍ପାଦକ ସ୍ୱରଗୌରବ୍ କୃଷ୍ଣ ପ୍ରସାଦ ସାବତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।