ବିବାଦୀୟ ପରିସ୍ଥିତିରେ ଦିଗପହଣ୍ଡି ବନବିଭାଗ ତନଖି ଫାଟକ:ବନ୍ଦ ସତ୍ୱେ ଚାଲିଥିଲା ତନଖି …

ଦିଗପହଣ୍ଡି(ସମୃଦ୍ଧ ଓଡିଶା) ଦିଗପହଣ୍ଡି-ରାୟଗଡା ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦିଗପହଣ୍ଡି ସହର ଉପକଣ୍ଠରେ ବନବିଭାଗ ତନଖି ଫାଟକଟି ରହିଛି । ହେଲେ ଏହି ତନଖି ଫାଟକର ମୁଖ୍ୟ ଗେଟଟି ଭାଙ୍ଗିଯିବାରୁ ଏବେ ମୁକୁଳା ପଡି ରହିଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଷେଧାଦେଶ ସତ୍ୱେ ଏହି ବନବିଭାଗ ତନଖି ଫାଟକ ଚାଲିଥିବାରୁ ଦିଗପହଣ୍ଡି ବନାଞ୍ଚଳରେ କାର୍ଯ୍ୟରତ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବା ନେଇ ସମାଲୋଚନା ହେଉଥବା ଜଣାପଡିଛି । ବେପରୁଆ ଚାଳନା ଯୋଗୁଁ ଏକ ଟ୍ରକ୍ ଧକ୍କାରେ ବନବିଭାଗ ତନଖି ଫାଟକର ଗେଟ୍ ଭାଙ୍ଗି ଯିବା ଏବଂ ତାହା ଠାରୁ ଜରିମାନା ଆଦାୟ ପରେ ଏବେ ବନବିଭାଗ ତନଖି ଫାଟକରେ ଚାଲିଥିବା ବିଭିନ୍ନ ଅସାଧୁ କାର୍ଯ୍ୟକାରିତା ଉପରେ ସହରରେ ଚର୍ଚ୍ଚା ହେଉଥିବା ଜଣାପଡିଛି। ପ୍ରକାଶଯେ, ରାଜ୍ୟ ଅର୍ଥ ବିଭାଗ ଚିଠିନଂ ୮୩୧୫/ଏଫ୍ ତାରିଖ ୨୮.୩.୨୦୧୭ ପ୍ରକାରେ ୨୦୧୭ ମସିହା ଅପ୍ରେଲ ୧ ଠାରୁ ନାଲଦା ବ୍ୟତୀତ ସମସ୍ତ ଆନ୍ତଃ ରାଜ୍ୟ ଚେକ୍ ଗେଟ୍ ମାନଙ୍କରେ କର୍ମଚାରୀଙ୍କୁ ହଟାଇ ଦିଆଯାଇ ମୋବାଇଲ୍ ସ୍କ୍ୱାର୍ଡ ପାର୍ଟି ଯୋଗେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଥିଲା । ଏହି ଚିଠି ପ୍ରକାରେ ଗତ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରୁ ମେମୋ ନଂ ୮୭୬୪ ତାରିଖ ୩୧ ମାର୍ଚ୍ଚ ୨୦୧୭ ପ୍ରକାରେ ସମସ୍ତ ଜିଲା ବନ ଅଧିକାରୀଙ୍କୁ ବନବିଭାଗ ତନଖି ଫାଟକ ସବୁ ବନ୍ଦ କରିଦେବା ପାଇଁ ନର୍ଦ୍ଦେଶ ମଧ୍ୟ ରହିଥିଲା । ହେଲେ ଏହି ବନବିଭାଗ ତନଖି ଫାଟକ ସବୁ ଯେଉଁ ଭଳି ଚାଲିବା କଥା ସେହି ଭଳି ଚାଲୁ ରହିଥିବା ପରବର୍ତ୍ତୀ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୂର୍ବରୁ ପୁଞ୍ଜିକୟାଁ ଛକ ଉପରେ ଏହି ବନବିଭାଗ ତନଖି ଫାଟକ ରହିଥିଲା । ବିଶ୍ୱ ବ୍ୟାଙ୍କ ଅନୁମୋଦିତ ରାସ୍ତା ପ୍ରକଳ୍ପରେ ଏହି ସ୍ଥାନକୁ ଭାଙ୍ଗି ଦିଆଯିବା ପରେ ସହର ଉପକଣ୍ଠରେ ପୁନଶ୍ଚ ଏକ ତନଖି ଫାଟକ କାର୍ଯ୍ୟାଳୟ କରାଯାଇ ତନଖି ଫାଟକ ସ୍ଥାପନ କରାଯାଇଥିଲା । ସେଠାରେ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରାଯାଇ ସେହି ରାସ୍ତାରେ ଯାଉଥିବା ସମସ୍ତ ଯାନବାହାନ ଯାଞ୍ଚ କରାଯାଉଥିଲା । ପରବର୍ତ୍ତୀ ସମୟରେ ଫାଟକ ଉଠାଇଦେବା ପାଇଁ ନିର୍ଦ୍ଦେଶାନାମା ଜାରି ହେବା ପରେ ତନଖି ଫାଟକଟିକୁ ଟେକିଦିଆଯାଇଥିଲା । ହେଲେ ଗତ ଅପ୍ରେଲ ମାସରେ ଏକ ମାଲ ବୋଝେଇ ଟ୍ରକ୍ ଧକ୍କାରେ ତନଖି ଫାଟକଟି ଭାଙ୍ଗିଯାଇଥିଲା । ଏନେଇ ଯୁକ୍ତି ତର୍କ ହୋଇ ବିବାଦ ବଢିବା ପରେ ସମ୍ପୃକ୍ତ ଟ୍ରକ୍ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଆଉ ତନଖି ଫାଟକର ଗେଟ୍ ପକାଯାଇନଥିଲା । ସମ୍ପ୍ରତ୍ତି ମୁକୁଳା ପଡି ରହିଥିଲେ ହେଁ ଉକ୍ତ ତନଖି ଫାଟକ କାର୍ଯ୍ୟାଳୟକୁ ଖୋଲାଯାଇ ସେଠାରେ ବିଭଗୀୟ କର୍ମଚାରୀ ମାନେ ବସଉଠ କରୁଥିବା ଏବେ ଯାନବାହାନ ଯାଞ୍ଚ କରୁଥିବା ଜାଣିବାକୁ ମିଳିଛି । ଏନେଇ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କୁ ପଚରାଯିବାରେ କହିଛନ୍ତି ଯେ, ଟ୍ରକ୍ ଧକ୍କାରେ ଫାଟକଟି ଭାଙ୍ଗିଯିବାରୁ ଫାଟକଟି ମୁକୁଳା ପଡି ରହିଛି ଏବଂ ଅଶୋକ ମିଶ୍ର ନାମକ ଜଣେ ଅବସରପ୍ରାପ୍ତ ଫରେଷ୍ଟରଙ୍କ ପିଟିସନ୍ ଦ୍ୱାରା ଉକ୍ତ ଫାଟକଟି ଏବେ ମୁକୁଳା ପଡି ରହିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ଗତ ଦୁଇ ବର୍ଷ ହେଲା ଆନ୍ତ ରାଜ୍ୟ ବନ ବିଭାଗ ତନଖି ଫାଟକ ସବୁକୁ ବନ୍ଦ କରି ମୋବାଇଲ୍ ସ୍କ୍ୱାର୍ଡ ପାର୍ଟି କରି ବନ୍ୟ ସାମଗ୍ରୀ ଚାଲାଣ ଉପରେ ତୀକ୍ଷ୍ମ ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ରହିଥିôବା ବେଳେ ଦିଗପହଣ୍ଡି ବନବିଭାଗ ପକ୍ଷରୁ ହେୟ ଜ୍ଞାନ ନକରି ବନବିଭାଗ ତନଖି ଫାଟକ ମନଇଛା ଭାବେ ଚାଲିଥିଲା ବୋଲି ଅବସରପ୍ରାପ୍ତ ଫରେଷ୍ଟର ଅଶୋକ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେଣୁ କରି ଫାଟକଟି ସମ୍ପ୍ରତ୍ତି ଟ୍ରକ୍ ଧକ୍କାରେ ଭାଙ୍ଗିଗଲା ବୋଲି ସେ କହିଛନ୍ତି । ବେଆଇନ ଭାବେ ବିଭାଗୀୟ କର୍ମଚାରୀ ମାନେ ଉକ୍ତ ତନଖି ଫାଟକକୁ ଚଳାଇ ସେଠାରୁ ଜଙ୍ଗଲ ମାଫିଆ ମାନଙ୍କ ସହିତ ସଲାସୁତୁରା କରି ଅସାଧୁ ମେଣ୍ଟ ଚଳାଉଥିଲେ ବୋଲି ସେ କହିଛନ୍ତି ।ତେବେ ଉକ୍ତ ବନବିଭାଗ ତନଖି ଫାଟକଟି ସମ୍ପ୍ରତ୍ତି ମୁକୁଳା ପଡି ରହିଥିବାରୁ ଏହା ଜଙ୍ଗଲ ମାଫିଆ ମାନଙ୍କୁ ସୁହାଇବା ଭଳି ହୋଇଥିବା ସମାଲୋଚନା ହେଉଛି । ମୁକୁଳା ପଡି ରହୁଥିବାରୁ କୌଣସି ପ୍ରକାର ତନଖି କିମ୍ବା ଯାଞ୍ଚର ଆବଶ୍ୟକତା ନଥିବାରୁ ବେଧଡକ ଭାବେ ଜଙ୍ଗଲଜାତ ଦ୍ରବ୍ୟ ଆଦି ବିନା ଦ୍ୱିଧାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସେହିଭଳି ମୋବାଇଲ୍ ସ୍କ୍ୱାର୍ଡ ଯୋଗେ କେବଳ ଔପଚାରିକତା ଦୃଷ୍ଟିରୁ ଧରପଗଡ କରାଯାଇ ଜଙ୍ଗଲଜାତ ଦ୍ରବ୍ୟ ଜବତ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା