କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ : ଧର୍ମେନ୍ଦ୍ର ବାଦ ପଡିବେନି ତ ?…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ ସେ ନେଇ ଜୋର ଚର୍ଚ୍ଚା ଚାଲିଥିବା ବେଳେ ଓଡିଶା ରାଜନୀତିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଦ ପଡିବେକି ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।କେନ୍ଦ୍ରରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ସଭାପତି ଅମିତ ଶାହ। । ମନ୍ତ୍ରିମଣ୍ଡଳ ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମୋଦିଙ୍କ ନୂଆ ଟିମ୍‌ରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଖବର ଅନୁସାରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ସେମାନଙ୍କ ସ୍ଥାନ ବଜାୟ ରଖିବେ କି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପଶ୍ଚିମବଙ୍ଗରେ ବିଜେପିର ସହପ୍ରଭାରୀ ଦାୟିତ୍ୱ ନେଇ ଭଲ ପ୍ରଦର୍ଶନ କରିଥିବାରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପୁରସ୍କାର ସ୍ୱରୂପ ମନ୍ତ୍ରୀ କରାଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଅପରାଜିତା ଷଡଙ୍ଗୀ ଓ ‘ଓଡ଼ିଶାର ମୋଦି’ କୁହାଯାଉଥିବା ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।ମୋଦିଙ୍କ ପ୍ରଥମ ପାଳିରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ଜୁଏଲ ଓରାମ। ଏଥର ସେ ସୁନ୍ଦରଗଡ଼ ଆସନରୁ ଜିତିଛନ୍ତି। ୨ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ବାଜିମାତ କରିଥିବାରୁ ଜୁଏଲଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସ୍ୱାଭାବିକ । ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ଉଜ୍ଜ୍ୱଳାକୁ ଲୋକପ୍ରିୟ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ମଧ୍ୟ ମଧ୍ୟ ପ୍ରଦେଶରେ ବିଜେପିର ଲୋକପ୍ରିୟତା ହ୍ରାସ ଓ ଓଡ଼ିଶାରେ ପରିଶ୍ରମ ତୁଳନାରେ ସମର୍ଥନ କମିଯିବା ନେଇ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରୀପଦ ମିଳିବା କଷ୍ଟ ହୋଇପାରେ ବୋଲି ଆଲୋଚନା ହେଉଛି। ପ୍ରଧାନ ମନ୍ତ୍ରୀ ୩୦ରେ ଶପଥ ଗ୍ରହଣ କରିବେ ସେତେବେଳେ ସବୁ କଳ୍ପନା ପ୍ରାଞ୍ଜଳ ହୋଇଯିବ ବୋଲି କୁହାଯାଉଛି ।