ରାଜ୍ୟ ମନ୍ତ୍ରୀମଣ୍ଡଳରେ ଉତ୍ତର ବାଲେଶ୍ୱରକୁ ଉପେକ୍ଷା:ସାଧାରଣରେ ନୈରାଶ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ସାଧାରଣ ନିର୍ବାଚନ ପରେ ବିଜେଡିର ଗଡ କୁହାଯାଉଥିବା ଉତ୍ତର ବାଲେଶ୍ୱରରୁ ୩ଜଣ ବିଧାୟକ ବହୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଆଜି ଘୋଷିତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜଣେ ହେଲେ ସ୍ଥାନ ପାଇନଥିବାରୁ ସମଗ୍ର ଉତ୍ତର ବାଲେଶ୍ୱରରେ ନୈରାଶ୍ୟ ଦେଖା ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗକ ସିମୁଳିଆର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିବା ବେଳେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ କାହାରିକୁ ପ୍ରତିନିଧିତ୍ୱ ମିଳିନଥିବାରୁ ସାଧାରଣରେ ଆଲୋଚନା ହେବା ସହିତ ମୁଖ୍ୟମନ୍ତ୍ରୀ ଏହାକୁ ପୁନଃବିଚାର କରିବାକୁ ଜନସାଧାରଣ ନିବେଦନ କରିଛନ୍ତି । ଗତ ନିର୍ବାଚନରେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିବା ବେଳେ ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏବେ ନିର୍ବାଚନରେ ସେ ୨୦ହଜାରରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଏଥର ତାଙ୍କୁ ନିରାଶ ହେବାକୁ ପଡିଛି । ଜଳେଶ୍ୱର ବିଧାନସଭା ଆସନରୁ ଅଶ୍ୱିନୀ କୁମାର ପାତ୍ର ଜିଲାର ସର୍ବାଧିକ ଭୋଟ ବ୍ୟବଧାନ ପ୍ରାୟ ୩୫ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିଣି ମନ୍ତ୍ରୀ ପଦ ଆଶାରେ ଥିଲେ ମଧ୍ୟ ତାହା ତାଙ୍କୁ ମଳିପାରିନାହିଁ । ସେହିପରି ବସ୍ତା ନିର୍ବାଚନ ମଣ୍ଡଳୀରେ ନିତ୍ୟାନନ୍ଦ ସାହୁ ୧୯ହଜାରରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ସେ ମନ୍ତ୍ରୀ ମଣ୍ଡଳର ପ୍ରତିନିଧିତ୍ୱ ପାଇପାରିନାହାନ୍ତି । ପୁନଶ୍ଚ ରେମୁଣା ନିର୍ବାଚନ ମଣ୍ଡଳିରୁ ସୁଦାମ ଚନ୍ଦ୍ର ପରିଡା ପ୍ରଥମଥର ବିଜୟର ସ୍ୱାଦ ଚାଖିଥିବା ବେଳେ ସେ ମଧ୍ୟ ମନ୍ତ୍ରୀପଦ ପାଇବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ସେଥିରୁ ସେ ନିରାଶ ହୋଇଛନ୍ତି । ଭୋଗରାଇ ବିଧାୟକ ଅନନ୍ତ ଦାସ କ୍ରମାଗତ ଭାବେ ୪ର୍ଥ ଥର ବିଧାୟକ ହୋଇଛନ୍ତି । ପୂର୍ବରୁ ସେ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ଅତୀତରେ ଜଳେଶ୍ୱର – ଦୀଘା ରେଳପଥ, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, କୀର୍ତ୍ତନିଆ ବନ୍ଦର ତାଙ୍କର ମାନସ କନ୍ୟା ହୋଇଥିବା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଉତ୍ତର ଉପାନ୍ତରେ ଏକ ଜୀବନରେଖା ଭାବେ ହୋଇଥିବାରୁ ଏହାର ପୁନଃନିର୍ମାଣ ଶେଷ କରିଛନ୍ତି । ପାନୀୟଜଳ ଲାଗି ୨ଟି ମେଗା ୱାଟର ପ୍ରଜେକ୍ଟ ଭୋଗରାଇରେ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଜନସାଧାରଣ ତାଙ୍କୁ ଆସ୍ଥା କରି ବିପୁଳ ସଂଖ୍ୟାରେ ଜିତାଇଥିଲେ । ସରକାରୀ ଅନୁଦାନରେ ତାଳସାରୀ ମହୋତ୍ସବକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଇ ସେହି ଆଳରେ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିମଧ୍ୟ ମନ୍ତ୍ରୀପଦ ପାଇବାରୁ ବଂଚିତ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ଅମଳରୁ ଜଳେଶ୍ୱରର ବିଧାୟକ ଏବଂ ନବୀନ ବାବୁଙ୍କ ସମୟରେ ବାଲେଶ୍ୱର ଜିଲା ଯୋଜନାବୋଡ ଅଧ୍ୟକ୍ଷ ତଥା ଜଳେଶ୍ୱର ବିଧାନସଭା ଆସନରୁ ୪ଥର ନିର୍ବାଚିତ ଅଶ୍ୱିନୀ କୁମାର ପାତ୍ର ଚଳିତ ଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପାରିନାହାନ୍ତି । ୨୦୧୪ରେ ୩୩ହଜାର ଓ ୨୦୧୯ରେ ୩୫ହଜାରରୁ ଅଧିକ ସଂଖ୍ୟାକ ଭୋଟ ପାଇ ଜିଲାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ତାଙ୍କୁ ମଧ୍ୟ ବଂଚିତ କରାଯାଇଛି । ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆକୁ ସୁବର୍ଣ୍ଣରେଖାର ଗୁରୁଦାସପୁର ଓ ଶିକ୍ଷରପୁର ଠାରେ ସ୍ଥାୟୀ ସେତୁ ନିର୍ମାଣ କରି ଜଳେଶ୍ୱର ସହିତ ସଂଯୋଗ କରିଛନ୍ତି । ଜଳେଶ୍ୱରରୁ ବସ୍ତା ବ୍ଲକକୁ ସଂଯୋଗଲାଗି ଚୋରମାରାଠାରେ ବିଜୁ ସେତୁର କାର୍ଯ୍ୟ ଆରମ୍ଭ କରାଇଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଜଳେଶ୍ୱର ବିଜ୍ଞାପିତ ଅଂଚଳରୁ ମ୍ୟୁନିସିପାଲଟିର ମାନ୍ୟତା ହାସଲ କରିବା, ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ୫ କୋଟି୬୦ଲକ୍ଷ ଟଙ୍କା ବ୍ୟୟରେ ମାତୃଭବନ ନିର୍ମାଣ କରିବା କାର୍ଯ୍ୟ କରାଇଛନ୍ତି । ତତ୍କାଳୀନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନାଙ୍କ ସହଯୋଗରେ ଜଳେଶ୍ୱରରେ ନୂଆବଜାର ଓ ରାଜଘାଟଠାରେ ୨ଟି ରେଳ ଓଭରବ୍ରିଜ୍ ନିର୍ମାଣ ଆରମ୍ଭ କରିଛନ୍ତି । ସହର ମଧ୍ୟରେ ବାରମୁହଁ ପୋଲ ତାଙ୍କର ଅନ୍ୟଏକ ସଫଳତାର ମାଇଲ ଖୁଣ୍ଟ । କ୍ରମାଗତ ଭାବେ ୨ଥର ବସ୍ତାରୁ ବିଜେଡିର ବିଧାୟକ ଭାବେ ନିତ୍ୟାନନ୍ଦ ସାହୁ ଅଧିକ ଭୋଟରେ ଜିଣିଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇଛି । ତେଣୁ ଉତ୍ତର ବାଲେଶ୍ୱରର ନେତୃବୃନ୍ଦ ଓ ନିର୍ବାଚିତ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଏ ଅଂଚଳରୁ ପ୍ରତିନିଧିତ୍ୱ କରିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିରାଚରିତ ବକ୍ତବ୍ୟ ‘ଆପଣମାନେ ଖୁସି ତ’ – ଉତ୍ତର ବାଲେଶ୍ୱରରେ ପ୍ରତିଫଳିତ ହୋଇନାହିଁ ।

ରିପୋର୍ଟ : ଭୂପତି କୁମାର ପରିଡ଼ା