ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ପାଳିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ସରସ୍ୱତୀ ଶିଶୁ ମନ୍ଦିରରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବିଜେପୁର ଖଗେଶ୍ୱର ସାହିତ୍ୟ କମିଶନ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକକର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହ୍ନିକନ୍ୟାଙ୍କ ପ୍ରତିକୃତିରେ ମାଲ୍ୟଅର୍ପଣ କରି ଏହାକୁ ଉଦଘାଟନ କରିଥିଲେ । ସଭାପତି ନାଟ୍ୟକାର ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଶିକ୍ଷାବିତ୍ ସୋମନାଥ ପଧାନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଥିଲେ । ପାର୍ବତୀ ଥିଲେ ସ୍ଵାଭିମାନୀ, ନିରଭିମାନୀ ବ୍ୟକ୍ତିତ୍ୱର ଅଧିକାରୀ । ତାଙ୍କର ତ୍ୟାଗ, ନିଷ୍ଠା, ସେବାର ପଟାନ୍ତର ନାହିଁ । ତେଣୁ ସେ ପଶ୍ଚିମ ଓଡିଶାର ମଦର ଟେରସା ଭାବେ ପରିଚିତି ଲାଭ କରି ଥିଲେ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଜେପୁରର ଆଦର୍ଶ ଶିକ୍ଷକ ମୋହନ ବେହେରାଙ୍କ ସ୍ମୃତିରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକ ଟପ୍ପର ହୋଇଥିବା ଜାଲପାଲି ୟୁଜିଏଚଏସର ସୋହନ ପଧାନଙ୍କୁ ମୋହନ ପ୍ରଜ୍ଞା ସମ୍ମାନ ୨୦୨୦ରେ ସମ୍ମାନୀତ କରାଯାଇଥିଲା । ଯୁବକବି ଦେବାଶିଷ ମେହେର ମାନପତ୍ର ପାଠ କରିଥିଲେ। ସେହିପରି ପଣ୍ଡିଚେରୀର ସର୍ଜରୀ ବିଶେଷଜ୍ଞ ଡାକ୍ତର ବିଜୟାନନ୍ଦ ନାଏକଙ୍କ ପକ୍ଷରୁ ଅଗ୍ରଣୀ ଚାଷୀ ନାରାୟଣ ନାଏକ ସ୍ମାରକୀ ସମ୍ମାନରେ ସୋହନ ପଧାନଙ୍କୁ ପାଞ୍ଚ ହଜାର ଟଙ୍କାର ସହାୟତା ରାଶି ଦେଇ ପୁରସ୍କୃତ କରାଯାଇଥିଲା । କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସହ ସଂପାଦକ ହ୍ରୁଦମଣି ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଉପସଭାପତି ଦିଲ୍ଲୀପ କୁମାର ଦେବତା । ତୁଳସୀରାମ ମେହେର, ଚିତ୍ତରଞ୍ଜନ ପଧାନ, ପରମେଶ୍ୱର ପଧାନ, ବାସୁଦେବ ପଧାନ, କ୍ଷିତିପତି ରଣା, ରାଜୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କବୟିତ୍ରୀ ଅହଲ୍ୟା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସମଲାଇପଦର ସ୍ଥିତ ପାର୍ବତୀ ଗିରି ଅନାଥା ବ୍ରୁଦ୍ଧାଶ୍ରମରେ ପାର୍ବତୀ ଗିରିଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି । ସୁବାଷ ପ୍ରଧାନ, ଲାଲସାହେବ ବାରିକ, ଅଶୋକ ବାରିକ, ଜନକୀ ପୁରି, ଅକ୍ଷୟ ବାରିକ ପ୍ରମୁଖ ଯୋଗଦେଇ ବହ୍ନିକନ୍ୟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଂପାଦକ ଜଳନ୍ଧର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ