ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଲାଗିବ ଜରିମାନା:୧ରୁ ଆଉ ଛାଡ଼ ନାହିଁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଉ ଛାଡ ନାହିଁ । ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ନ ଥିଲେ ଗଣିବାକୁ ପଡିବ ଜରିମାନା । ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କଡାକଡି ଲାଗୁ କରାଯିବ । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି । ଏଥିସହିତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ଦେଉଥିବା ମାନୁଆଲ ପିୟୁସି ସାର୍ଟିଫିକେଟକୁ ଅବୈଧ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ୨୦୧୯ରୁ ‘ବାହନ’ ଅନଲାଇନ ବ୍ୟବସ୍ଥା ଜରିଆରେ ପିୟୁସି ସାର୍ଟିଫିକେଟ ଦେବା ବାଧ୍ୟତାମୂଳକ କରାଯାଇଥିଲା । ତେବେ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହାକୁ ଅକ୍ଟୋବାର ପହିଲା ଯାଏ ବୃଦ୍ଧି କରାଯାଇଥିଲା । ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ଇଲେକ୍ଟ୍ରୋନିକ ଫର୍ମାଟରେ ସାର୍ଟିଫିକଟେ ଇସ୍ୟୁ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସେହି ସାର୍ଟିଫିକେଟକୁ ଏମ.ପରିବହନ ଆପ୍‌ ମାଧ୍ୟମରେ ରଖି ଗାଡି ଯାଞ୍ଚ ବେଳେ ଚାଳକମାନଙ୍କୁ ଦେଖାଇବାକୁ ପଡିବ । ରାଜ୍ୟରେ ୧୬୩ଟି ପଞ୍ଜୀକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି । ସେଥିରୁ ୧୦୬ଟିକୁ ବାହନ ସହ ଲିଙ୍କ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡା ଆହୁରି ୧୪ଟି ନୂତନ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ପିୟୁସି ସାର୍ଟିଫିକେଟ ଦେବାକୁ ପଞ୍ଜୀକୃତ କରାଯାଇଛି । ପିୟୁସି ସାର୍ଟିଫିକେଟ ପାଇଁ ଦୁଇ ଚକିଆ ଓ ତିନି ଚକିଆ ଯାନବାହନ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାଲୁକା ଯାନ ପାଇଁ ୧୦୦ ଟଙ୍କା ଏବଂ ମଧ୍ୟମ ଓ ଭାରି ଯାନ ପାଇଁ ସାର୍ଟିଫିକେଟ ବାବଦରେ ୧୫୦ ଟଙ୍କା ସହ ଜିଏସଟି ଦେବାକୁ ଧାର୍ଯ୍ୟ କରାଯାଇଛି । କେଉଁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରଗୁଡିକ ପଞ୍ଜୀକୃତ ହୋଇଛି ସେଗୁଡିକର ସମସ୍ତ ବିବରଣୀ www. odishatransport.gov.in ଏବଂ www.orissatransport.nic.inରେ ଉପଲବ୍ଧ । ଜନସାଧାରଣ ଏହାର ସହାୟତା ନେଇ ପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଓଡ଼ିଶାରେ ଲାଗୁ ହେବା ପରେ ଗାଡି କାଗଜ ପତ୍ର ନ ଥିବା ଚାଳକ ଓ ମାଲିକଙ୍କ ମନରେ ଛନକା ପଶି ଯାଇଥିଲା । ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଜନଅସନ୍ତୋଷ ଦେଖା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଯାଏ କୋହଳ କରିଥିଲେ । ଏହି ସମୟରେ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରି ଆସନ୍ତା ଅକ୍ଟୋବର ପହିଲାରୁ ପିୟୁସିକୁ ବାଧ୍ୟତାମୂଳକ କରିଛି ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା