ପିଓକେ ସମେତ ଉତ୍ତର ଭାରତରେ ବଡ଼ଧରଣର ଭୂକମ୍ପ ଅନୁଭୂତ: ୫ ମୃତ୍ୟୁ ୫୦ ଆହତ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପାକିସ୍ଥାନ ପିଓକେରେ ହେଲା ବଡଧରଣର ଭୂକମ୍ପ, ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ସେହିପରି ପାକିସ୍ତାନର ଇସ୍‌ଲାମାବାଦ, ପେଶାଓ୍ବର, ରାଓ୍ବଲପିଣ୍ଡି ଓ ଲାହୋର ସମେତ ବହୁ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ଲାହୋର ଅଞ୍ଚଳରୁ ୧୭୩ କିଲୋମିଟର ଦୂର ଜାଟଲାନ ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହା ନିକଟରେ ମିରପୁର ସହର ରହିଥିବାରୁ ସେଠାରେ କେତେକ ଘରଦ୍ୱାର ଭୁଶୁଡ଼ିପଡ଼ିଛି। ସେହିପରି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଭୂକମ୍ପ ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ସେଠାକାର ରାସ୍ତା ଫାଟି ଯାଇଥିବା ବେଳେ କିଛି ଗାଡ଼ିମଟର ଓଲଟିପଡ଼ିଛି। ଭଗ୍ନାବଶେଷ ତଳେ କେତେଜଣ ଲୋକ ଫସିରହିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।