ପାରଳା ପୋଲିସ ଦ୍ୱାରା ବାଇକ୍ ଲୁଟେରା ଦଳ ଗିରଫ :୨୪ ବାଇକ୍ ଜବତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ୬ଜଣିଆ ବାଇକ୍ ଲୁଟେରା ଦଳ ଗିରଫ କରି ସେମାନଙ୍କ ଠାରୁ ୨୪ଗୋଟି ବାଇକ ଜବତ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ, ପୋଲିସ ପେଟ୍ରୋଲିଂ ସମୟରେ ଫରେଷ୍ଟ ଗେଟ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅଜିତ ମାଳୀ(୨୩) ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପଚରା ଉଚରା କରିଥିଲେ । ସେ ବ୍ୟବହାର କରୁଥିବା ବାଇକଟି ଚୋରା ବୋଲି ଜଣାପଡିଥିଲା । ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଏହି ବାଇକ ଲୁଟେରା ଦଳରେ ସମ୍ପୃକ୍ତ ଥିବା ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମୋଟ ୨୪ଗୋଟି ଚୋରା ବାଇକ ଜବତ ହୋଇଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ୫ଜଣ ହେଲେ ସୁଧାକର ପାତିକି (୨୬), ସମୀର କୁମାର ସିଂ (୪୦), ଗଙ୍ଗା ପ୍ରଧାନ (୨୫), ରବୀନ୍ଦ୍ର ମିଶାଲ (୨୦), ମିଖା ଗମାଙ୍ଗ (୨୧) ବୋଲି ଜଣାପଡିଛି । ଏହି ସମସ୍ତ ତଥ୍ୟ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଏହି ଘଟଣାକୁ ନେଇ ସୁଚନା ପ୍ରଦାନ କରିବା ସହ ଏଥିରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି । ଏହି ଚୋରା ବାଇକ ଗୁଡିକ ଜବତ ହେବାପରେ ଆହୁରି କିଛି ଚୋରା ବାଇକୁ ଧରିବାପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି । ଏହି ସମସ୍ତ ବାଇକ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଦି ସ୍ଥାନରୁ ଚୋରୀ ହୋଇଥିବାର ସୁଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । 

ରିପୋର୍ଟ : କୃଷ୍ଣ କୁମାର ବେହେରା