ଜାଲ ସାଟିଫିକେଟରେ ଆଶାକର୍ମୀ ଚୟନକୁ ନେଇ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୧୩ ନଂ ଓ ୫ନଂ ୱାଡ ଲାଗି ଉଦ୍ଦିଷ୍ଟ ଆଶାକର୍ମୀ ଚୟନରେ ଜାଲ ସାଟିଫିକେଟ୍‌ରେ ଚଞ୍ଚକତା ଭାବେ ଚୟନ କରାଯାଇଥିବାକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ସାଟିଫିକେଟ ଯାଞ୍ଚ କରିବାକୁ ଜିକେଭଟ୍ଟର ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ଗତ ଅଗଷ୍ଟ ୧୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନନ୍ଦିକା ଓ ପଥରପୁରା ଲାଗି ଏକ ଆଶା କର୍ମୀ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ମୋଟ ୧୬ଜଣ ଆବେଦନ କରିଥିଲେ । ଗତ ସେପ୍ଟେମ୍ବର ୨୪ ତାରିଖରେ ଚୟନ କରାଯିବା ପରେ ୨୭ ତାରିଖରେ ଏକ ବିଜ୍ଞପ୍ତି ଜରିଆରେ ଜନୈକା ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା । ମାତ୍ର ଜନୈକ ମହିଳା ଜଣକଙ୍କ ଭୋଟର ଲିଷ୍ଟରେ ନାମ ନଥିବା ବେଳେ ତାଙ୍କର ସାର୍ଟିଫିକେଟ ଜାଲ ଥିବାର ଗ୍ରାମବାସୀ ତଥା ଆବେଦନକାରୀ ସସ୍ମିତା ପାତ୍ର, ତନ୍ମୟ ପାତ୍ର, ରଂଜିତା ପାତ୍ର, ଜ୍ୟୋସ୍ନାରାଣୀ ପାତ୍ର, ଜଗନ୍ନାଥ ଭଂଜ, ମଲ୍ଲିକା ଭଂଜ, ସସ୍ମିତା ଭଂଜ, ରେଖାରାଣୀ ବେହେରା, କଳ୍ପନା ସେଠୀ, ରୂପା ସାହୁ ପ୍ରମୁଖ ଅଭିଯୋଗ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା