କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ବର୍ଷ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଏହି ରାଷ୍ଟ୍ରରେ ଆନ୍ଦୋଳନ କରିବା ବା ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନା କରିବା ସାଧାରଣ ନାଗରିକର ଅଧିକାର । ଠିକ୍ ସେହିପରି ଓଡ଼ିଶା ରାଜ୍ୟର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭଉଣୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ ସହ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଆସୁଛନ୍ତି । ହେଲେ ଗତ ୧୦.୧୨.୨୦୨୧ ରିଖ ଆନ୍ଦୋଳନ ବେଳେ ନିରୀହ ଛାତ୍ର କଂଗ୍ରେସ କର୍ମୀଙ୍କୁ ଭାରତ ବର୍ଷର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସର ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନରେ ପଶି ପୋଲିସ ଗୋଡ଼ାଇ ଗୋଡାଇ ଆକ୍ରମଣ କଲା । ଯାହାକି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । ସାଧାରଣ ଜନତାର ସୁରକ୍ଷା ପାଇଁ ଶପଥ ନେଉଥିବା ପୋଲିସ ପ୍ରଶାସନ କାହା ନିର୍ଦ୍ଦେଶରେ ଏପରି କାର୍ଯ୍ୟ ଘଟାଇଲା । ସରକାରୀ ଦଳର ଇଙ୍ଗିତରେ ପୋଲିସ ଦ୍ୱାରା ଏଭଳି ସୁସ୍ଥ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଏଣୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ଓଡ଼ିଶା ପୋଲିସର ଏହି ବର୍ବରତାକୁ ଦୃଢ଼ ନିନ୍ଦା କରୁଛି । ଏଥିସହ ଏହି ଆକ୍ରମଣରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରୁଅଛି । ଏହାକୁ ଦୃଢ଼ ଭାବେ ନିନ୍ଦା କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ ଅନୂସୁଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ, ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡି, ସୋରଡ଼ା ବ୍ଲକ ସଭାପତି ହରେକୃଷ୍ଣ ରଥ, କୁନା ବିଶୋୟୀ, ବୁଲୁ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ଏନଏସି ସଭାପତି ଜି. ଶ୍ରୀନିବାସ ରାଓ, ଜଲାଲ୍ ଖାଁ, ଭବାନୀ ବେହେରା, ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ, ଟି ଚନ୍ଦ୍ର ଶେଖର ରେଡ୍ଡି, ପର୍ଶୁ ରାମ ପରିଡା, ଏନ. କୁନା ରେଡ୍ଡିଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା