୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ କଲେଜ ପଡ଼ିଆରେ କୋଭିଡିର ନୀତି ନିୟମ ମାନି ପାଳନ କରାଯାଇଛି । ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତବର୍ଷ କୋୖଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସାମିଲ ନ କରାଯାଇ କେବଳ ବ୍ରହ୍ମପୁର ପୋଲିସ ଏହି ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦାର ଯୋଗ ଦେଇ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ନିର୍ବିଶେଷରେ ସମସ୍ତେ ସମାନ ତେଣୁ ଆମେ ଆମ ଭାରତୀୟ ଜାତୀୟ ସଂହତିକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛୁ ବୋଲି ମତବ୍ୟକ୍ତ କରଥିଲେ । ଏହି ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ କମାଣ୍ଡେଣ୍ଟ ରୂପେ ଦିଲ୍ଲୀପ କୁମାର ବେହେରା ଯୋଗ ଦେଇଥିବା ବେଳେ ସେକେଣ୍ଡ କମାଣ୍ଡେଣ୍ଟ୍ ଅଫିସର ଭାବେ ସର୍ଜେଣ୍ଟ କବିବର ଦେହୁରୀ ରହି ପ୍ୟାରେଡ଼ ପରିଚାଳନା କରିଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧା ଭାବରେ ୨୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ଼୍ ଯୋଦ୍ଧାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବା ବେଳେ ହାଇସ୍କୁଲ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ ୬ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ୨୬ ଜଣ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପଙ୍ଗ ଆଓ ଏବଂ ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ନିଗମ କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର, ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ କୌଣସି ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବାକୁ ଅନୁମତି ଦିଆଯାଇନଥିଲା । ଏଥିରେ ବ୍ରହ୍ମପୁର ଟାଉନ ଏସ୍ଡ଼ିପିଓ ବିଷ୍ଣୁ ପ୍ରତି, ଗୋଶାଣିନୁଆ ଗାଁ ଥାନା ଅଧିକାରୀ ସୁମିତ୍ ସୋରନ୍, ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଡ଼ି. ମାଲେଶ୍ୱର ପାତ୍ର ଏବଂ ଉପ- ଜିଲ୍ଲାପାଳ କାଯ୍ୟାଳୟର ରାମଚନ୍ଦ୍ର ବେହେରା, ଅଶ୍ୱିନୀ ଦାସଙ୍କ ସମେତ ବ୍ରହ୍ମପୁର ପୋଲିସର ବହୁ ଅଧିକାରୀ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିଲେ ବୋଲି ଉପଖଣ୍ଡ ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା