୬୦ ରାଜପଥରେ ଓଲଟିଲା ସାମରିକ ବାହିନୀର ଗୋଳାବାରୁଦ ବୋଝେଇ କଣ୍ଟେନର : ବିଷ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଚାଳକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନମ୍ବର ଜାତୀୟ ରାଜପଥରେ ଭାରତୀୟ ସାମରିକ ବାହିନୀର ୧୯ଟି କଣ୍ଟେନର କର୍ଣ୍ଟାଟକରୁ ଖଡଗପୁର ଗଲାବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ହୋଟେଲ ରାଜପଥ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଓଲଟି ପଡିଥିଲା । ଭୋର ସମୟରେ ଏହା ଘଟିଥିବାରୁ ଖବରପାଇ କଣ୍ଟେନର ଚାରିପଟେ ସିଆଇଏସ୍‌ଏଫର ଜବାନମାନେ ଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ନିଜ ଅକ୍ତିଆର୍‌ରେ ରଖିଥିଲେ । ସେଥିରେ ଥିବା ସାମରିକ ବାହିନୀର ଗୋଳାବାରୁଦ ଓ ସରଞ୍ଜାମ ସଂପର୍କରେ ସେମାନେ ସୂଚନା ଦେଇନଥିବା ବେଳେ ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଥିଲେ । ଘଟଣାରୁ ପ୍ରକାଶ, ସାମରିକ ବାହିନୀର ଏନ୍‌.ଏଲ-୦୧-ଏବି-୮୭୧୨ କଣ୍ଟେନରଟି ବହୁ ସାମରିକ ସରଞ୍ଜାମ ଧରି ରାସ୍ତାକଡକୁ ଓଲଟିଥିଲା । ଭାଗ୍ୟକୁ ନିକଟରେ କୌଣସି ଯାନ ନଥିବାରୁ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଥିଲା । ଏହି ୧୮ଚକ ବିଶିଷ୍ଟ କଣ୍ଟେନରରେ ବହୁ ଯୁଦ୍ଧ ସରଞ୍ଜାମ ଥିବାର ଦୂରରୂ ଦେଖିବାକୁ ମିଳୁଥିବା ବେଳେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଅରୁଣ କୁମାର କୌଣସି ତଥ୍ୟ ଦେବାକୁ ମନା କରିଥିଲେ । ୧୮ଟି କଣ୍ଟେନର ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିବା ବେଳେ ଉକ୍ତ ଯାନଟି ଘଟଣାସ୍ଥଳରେ ପଡିରହିଥିଲା । ଆଶ୍ଚର୍ଯ୍ୟର ବିଷୟ ଦୁର୍ଘଟଣାଗ୍ରସ୍ତ ଯାନର ଚକ ଗୁଡିକ ଅତି ପୁରୁଣା ଓ ସେଥିରେ କଟା ଓ ଫାଟ ଦାଗ ଦେଖିବାକୁ ମିଳୁଛି । ଯୁଦ୍ଧ ସାମଗ୍ରୀ ନେଇ ଯାଉଥିବା ଏପରି ଅସୁରକ୍ଷିତ ଯାନଗୁଡିକ ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷ କିପରି ନଜର ଦେଇନାହାନ୍ତି ତାହାହିଁ ଆଲୋଚ୍ୟର ବିଷୟ । ଗୋଳାବାରୁଦ ବିଷ୍ଫୋରଣ ହୋଇଥିଲେ କେବଳ ୬୦ନଂ ଜାତୀୟ ରାଜପଥ ନୁହେଁ ନିକଟସ୍ଥ ଗ୍ରାମଗୁଡିକ ନିଶ୍ଚିହ୍ନ ହୋଇ ଯାଇଥାନ୍ତା । ପ୍ରକାଶଯୋଗ୍ୟ ଗତ ୫ମାସ ତଳେ ୬୦ ନଂ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ରାସ୍ତାର ଡାଉନ୍‌୍ ଲାଇନ୍‌ର ମରାମତି ଲାଗି ପ୍ରାୟ ଦେଢ କି.ମି. ସ୍ଥାନ ଅବରୋଧ ଧ ଖୋଳିଥିବାରୁ ଅପ୍ ଓ ଡାଉନ୍‌ର ସମସ୍ତ ଯାନ ଗୋଟିଏ ରାସ୍ତାରେ ଚଳାଚଳ କରୁଛି । ଫଳରେ ଏହିସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି । ଗତ କିଛିଦିନ ତଳେ କୌଣସି ଏକ ଅଜଣା ଟ୍ରକ୍ ଏକ ବାଇକ୍ କୁ ଦଳିଦେବାକରୁ ୨ଜଣଙ୍କ ମୃତ୍ୟୁ ଘଟିଥିଲା । ସାମରିକ ବାହିନୀର ଏହି କଣ୍ଟେନର ଦୁର୍ଘଟଣାରେ ମୃତାହତ ସଂପର୍କରେ ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ଚାଳକ ଆହତ ହୋଇ ଚିକିତ୍ସିତ ହେଉଥିବା କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା