“୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ” ଓ “ମୋ ସ୍କୁଲ ଅଭିଯାନ”କୁ ମିଳିଲା ସମ୍ମାନଜନକ ସ୍କଚ୍ ଆୱାର୍ଡ଼

ଭୁବନେଶ୍ଵର(ସମୃଦ୍ଧଓଡିଶା)ଓଡ଼ିଶlର “ମୋ ସ୍କୁଲ ଅଭିଆନ” ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷାବର୍ଗ ଅଧୀନରେ ସମ୍ମାନଜନକ ସ୍କଚ୍ ପୁରସ୍କାରରେ ଶନିବାର ଦିନ ସମ୍ମାନିତ ହୋଇଛି। ମୋ ସ୍କୁଲ୍ ଅଭିଆନର “ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ” ଏବଂ “୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ” ମାନ୍ୟତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି |ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି। ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ମୋଟ୍ ୮୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସଫଳ ଭବିଷ୍ୟତ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ତେବେ ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ କରିବେ।ଶିକ୍ଷା ହିଁ ଆମ ସମାଜର ସାମୂହିକ ଚିନ୍ତାଧାରକୁ ଉଚ୍ଚ ସ୍ତରକୁ ନେଇଥାଏ । ବର୍ତ୍ତମାନର ଛାତ୍ରଛାତ୍ରୀମାନେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଗାରିମା ବୃଦ୍ଧି ଘଟିଛି। ଏହି ରୂପାନ୍ତରୀକରଣ ମାଧ୍ୟମରେ ପିଲାମାନଙ୍କୁ ବଡ଼ ସ୍ଵପ୍ନ ଦେଖ‌ିବା ପାଇଁ ସାହାସ ମିଳୁଛି। ଏଥିପାଇଁ ସୁଯୋଗ ସୃଷ୍ଟି ହୋଇଛି ।ସେହିପରି, ୨୦୧୭ ମସିହା ନଭେମ୍ବର ମାସ ୧୪ ତାରିଖ, ଶିଶୁ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିଲା ଏକ ଯୁଗାନ୍ତକାରୀ ଅଭିନବ ପ୍ରୟାସ । ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିବାକୁ ଅଙ୍କା ହୋଇଥିଲା ନକ୍ସା । ଅରମ୍ଭ ହୋଇଥିଲା ‘ମୋ ସ୍କୁଲ୍ ଅଭିଯାନ’ । ରାଜ୍ୟର ଜନସାଧାରଣ ଏବଂ ସରକାରଙ୍କ ମଧ୍ୟରେ ସହଭାଗୀତା ରକ୍ଷା କରି ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଭାବରେ ଅନ୍ତର୍ଭୁକ୍ତ କରିବାକୁ ‘ମୋ ସ୍କୁଲ୍‌’ ଏକ ସର୍ବୋତ୍କୃଷ୍ଟ ମଞ୍ଚ । ଏକ ଛୋଟ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଇତିମଧ୍ୟରେ ୬ବର୍ଷ ପୂରଣ କରି ୭ବର୍ଷରେ ପଦାର୍ପଣ କରିଛି । ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଏକ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଛି ‘ମୋ ସ୍କୁଲ୍ ଅଭିଯାନ’ । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଭିତ୍ତିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯାଉଛି । ମୋ ସ୍କୁଲ୍ ଅଭିଯାନ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ସେହିଭଳି ୧୩ଲକ୍ଷରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ମାଧ୍ୟମରେ ‘ମୋ ସ୍କୁଲ୍‌’ ମାଧ୍ୟମରେ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲ୍‌ର ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି । ଏହି ପୁରାତନ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନୂତନ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କର ବୌଦ୍ଧିକ ବିକାଶରେ ଭାଗିଦାରୀ ହୋଇଛନ୍ତି ।ଇତିମଧ୍ୟରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ୫୩ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ‘ମୋ ସ୍କୁଲ୍‌’ । ଏହି ପୁରସ୍କାର ମୋ ସ୍କୁଲକୁ ଆଣିଦେଇଛି ଆଉ ଏକ ସଫଳତାର ଫର୍ଦ୍ଦ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଳ ମୋ ସ୍କୁଲର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା କହିଛନ୍ତି, “ଶିକ୍ଷାଗତ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଆମର ଉଦ୍ୟମ, ଆମକୁ ଆଜି ଏହି ସଫଳତା ଆଣି ଦେଇଛି ।” ଏହି ପୁରସ୍କାର ଗ୍ରହଣ କରି ସେ ଖୁବ୍ ଗୌରବାନ୍ୱିତ ବୋଲି ମତବ୍ୟକ୍ତ କରିଛନ୍ତି । ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ୍ ଜେନା ମଧ୍ୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶାସନ, ଶିକ୍ଷା ଏବଂ ଅନ୍ୟାନ୍ୟ ବର୍ଗରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ପାଇଁ ସ୍କଚ୍ ଆୱାର୍ଡ଼ ଏକ ବେଶ୍ ଜଣାଶୁଣା ପୁରସ୍କାର । ଏହି ସମଗ୍ର ଦେଶରେ ବ୍ୟକ୍ତିବିଶେଷ ଏବଂ ସଂଗଠନର ପ୍ରଭାବଶାଳୀ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରିଥାଏ |

ରିପୋର୍ଟ : ରାଜତ ମହାପାତ୍ର