୫୭ ରାଜ୍ୟ ରାଜପଥର ଉଭୟ ପଟରେ ବ୍ୟାପକ ଜବରଦଖଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ବାଟଗ୍ରାମ -ଚନ୍ଦନେଶ୍ୱର ୫୭ତମ ରାଜ୍ୟ ରାଜପଥର ଉଭୟପଟେ ବ୍ୟାପକ ଜବର ଦଖଲ, ଜଳନିଷ୍କାସନ ନାଳ ଅବରୋଧ ଓ ବହୁ କୋଠାଘର ନିର୍ମାଣ ଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ବର୍ଷା ଦିନରେ ଜଳ ନିଷ୍କାସନ ହୋଇନପାରୁଥିବାରୁ ଅଚଳାବସ୍ଥା ସୃଷ୍ଟି ହୁଏ । ବାରମ୍ବାର ତହସିଲଦାରଙ୍କ ଠାରୁ ଜିଲାପାଳପର୍ଯ୍ୟନ୍ତ ଦାବୀ ଓ ଅଭିଯୋଗ ଯୋଇ ଆସୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କେତେକ ସ୍ଥାନର ଜନସାଧାରଣ ଜିଲାପାଳ ଓ ମୋସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତୀତର ଜଳେଶ୍ୱର-ବାଟଗ୍ରାମ -ଚନ୍ଦନେଶ୍ୱର ଏବେ ୫୭ରାଜ୍ୟ ରାଜପଥଭାବେ ପରିଚିତ । ଜାତୀୟ ରାଜପଥ ଲାଗି ପ୍ରସ୍ତୁତି ସରିଥିବା ବେଳେ ରାସ୍ତାର ଦୁଇକଡରେ ଅବରୋଧ ସମସ୍ୟାଭାବେ ଦେଖା ଦେଇଛି । ଏହି ରାସ୍ତାର ନୟନଯୋରୀର ବର୍ଷଜଳ ନିଷ୍କାସନ ହୋଇଥାଏ । ଜଳେଶ୍ୱରରୁ ନାମ୍ପୋ ଯାଏ ଗ୍ରାମଗୁଡିକର ବର୍ଷାପାଣି ନାମ୍ପୋ ଖାଳରେ, ନହରାଖାଳରେ, କମର୍ଦ୍ଦା ପାଖରୁ ବାଟଗ୍ରାମଯାଏ ଗ୍ରାମଗୁଡିକର ବର୍ଷାପାଣି ଚିତେଇ ଖାଳରେ, ବାଟଗ୍ରାମଠାରୁ ଚନ୍ଦନେଶ୍ୱର ଯାଏ ରାସ୍ତାକଡ ଗ୍ରାମଗୁଡିକର ବର୍ଷାପାଣି କପାସିଆ ନାଳ, ଟୋପି ନାଳ ଇତ୍ୟାଦି ଦ୍ୱାରା ସୁବର୍ଣ୍ଣରେଖା ନଦୀକୁ ପ୍ରବାଳିତ ହୋଇ ଆସୁଛି । କିନ୍ତୁ ଗତ କିଛିବର୍ଷ ଧରି ନୟନଯୋରି ଅବରୋଧ ହେବା, ସ୍ଥାୟୀ ନିର୍ମାଣ ହେବା ଇତ୍ୟାଦି ଯୋଗୁଁ ଜଳନିଷ୍କାସନ ହୋଇ ପାରୁନାହିଁ । ଫଳରେ ବର୍ଷପାଣି ନିଷ୍କାସନ ଲାଗି ଜେସିବି ଲଗାଇ ଅସ୍ଥାୟୀ ଜଳନିଷ୍କାସନର ବ୍ୟବସ୍ଥା କରାଯାଏ ଓ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚା ହୋଇଥାଏ । ଏବେ ପୁଣି ସରକାରଙ୍କ ଜାତୀୟ ରାଜପଥ ଘୋଷଣା ହେବାକୁ ଯାଉଛି । ରାଜପଥ ସମ୍ପ୍ରସାରଣରେ ଏହି ଜବରଦଖଲ ସମସ୍ୟା ସୃଷ୍ଟି ହେବା ସମ୍ଭାବନା । ଏହି ରାସ୍ତାର ଆମ୍ବଳିଅଠା, ଖଡରାବିନ୍ଧା, କାଶିଡିହା, ଭୁରୁକୁଣ୍ଡା, ଧାନସିମୁଳିଆ, ସୁଗୋ, ବାଣିଦା, ନାମ୍ପୋ, ବାଗପୁଞ୍ଜି, ଡେମୁରିଆ, ନହରା, ସାତଶୁଳିଆ, କାନପୁର, କମର୍ଦ୍ଦା, ବାରମାଇଲି, ସାହୁଛକ, ମହାଗବଛକ, କଚୁଆଡି, କଟିସାହି, ଥାନାଛକ, ଦେହୁର୍ଦ୍ଦା, ଚୌକି, ବନବସାଣ, ବଗଡ, ନୂଆଗାଁ, ନଗୁଆଁ, ଜଗନ୍ନାଥପୁର, ଚନ୍ଦନେଶ୍ୱର ଇତ୍ୟଦି ସ୍ଥାନରେ ବହୁସ୍ଥାନ ଜବରଦଖଲ ହେବା ସହିତ ବେଆଇନ୍‌ଭାବେ ପକ୍କାଗୃହ ନିର୍ମାଣ ହୋଇଛି । ଏଥିମଧ୍ୟରୁ ଖଡରାବିନ୍ଧା (କାଶିଡିହା) ଓ ନାମ୍ପୋ ଫାଣ୍ଡି ସମ୍ମୁଖ ସ୍ଥାନ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି । ଫଳରେ କ୍ଷୁବ୍ଧ ଗ୍ରାମବାସୀ ଗତ ୧୦ତାରିଖଷର ଏଥିରେ ପୁଣି ଜିଲାପାଳ ଓ ମୋ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା