୩ ଲକ୍ଷ ୮୦ ହଜାର ୭୯୭ ଭୂମିହୀନ କୃଷକ ପରିବାରଙ୍କୁ ମିଳିବ ସ୍ୱତନ୍ତ୍ର କୋଭିଡ୍ ସହୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୮୦ ହଜାର ୭୯୭ ଜଣ ଭୂମିହୀନ କୃଷକ ପରିବାରଙ୍କୁ ମିଳିବ ସ୍ୱତନ୍ତ୍ର କୋଭିଡ୍ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅପରାହ୍ନ ୫ଟାରେ ଏହାର ଶୁଭାରମ୍ଭ କରିଛନ୍ତି । କାଳିଆ ଯୋଜନା ହେଉଛି ସବୁଠାରୁ ଉତ୍ତମ ଯୋଜନା । ଚାଷୀଙ୍କ ସ୍ୱାର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯୋଜନା ହୋଇଛି । କରୋନା ମହାମାରୀ ସମୟରେ ସବୁଠାରୁ ଅଧିକା କୃଷକ ପ୍ରଭାବିତ ହୋଇଛନ୍ତି । ଏଥିଲାଗି ଗରିବ ଭୂମିହୀନ କୃଷକ ପରିବାର ପାଇଁ କୋଭିଡ୍ ସହାୟତା ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ବିଭିନ୍ନ କୃଷକମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକର କୃଷକମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଛତ୍ରପୁର ବ୍ଲକ ରାଜନାପଲ୍ଲୀ ଗ୍ରାମର ଚାଷୀ ରାମଚନ୍ଦ୍ର ପଢିଆରୀ ଓ କାହ୍ନୁ ପଢିଆରୀ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ସୁରେଶ ଚନ୍ଦ୍ର ବେହେରା ଓ ଅଭିମନ୍ୟୁ ଦାସ ଆଜି ସେମାନେ ବହୁ ଖୁସି ଅନୁଭବ କରିଛନ୍ତି । କୋଭିଡ୍ ସହାୟତା ନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ସେମାନଙ୍କୁ ୩ କିସ୍ତିରେ ୧୨ ହଜାର ୫୦୦ ଟଙ୍କା କାଳିଆ ଯୋଜନାରେ ସହାୟତା ମିଳିଛି । ଚାଷୀଙ୍କ ଅସମୟର ପ୍ରକୃତ ବନ୍ଧୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମଧ୍ୟ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକଜ୍ ଘୋଷଣା କରିବେ ତେବେ ଚାଷୀକୂଳ ଆହୁରି ଉପକୃତ ହୋଇପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କୁ ଅଗ୍ରିମ୍ କୋଭିଡ୍ ସହାୟତା ଦେବାକୁ ଘୋଷଣା ହୋଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ କହିବାନୁସାରେ ଗଞ୍ଜାମ ଜିଲ୍ଲାରେ ୪ ଲକ୍ଷ ୪୧ ହଜାର ୨୦ ଜଣ ଚାଷୀ ଅଛନ୍ତି । ସେହିପରି ୫ ଲକ୍ଷ ୬୫ ହଜାର ୪୪୮ ଜଣ ଭୂମିହୀନ ଚାଷୀ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା, ୱାଟର ସେଡ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ପି.କେ.ହଜାରୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।